ଶ୍ରୀଜିଉଙ୍କ ନୀଳାଦ୍ରି ବିଜେ ଅନୁଷ୍ଠିତ
ପୁରୀ: ପବିତ୍ର ନୀଳାଦ୍ରି ବିଜେ ଅବସରରେ ଶ୍ରୀଜିଉମାନେ ରତ୍ନବେଦୀକୁ ବିରାଜମାନ କରୁଛନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ନେଇ ରତ୍ନବେଦୀକୁ ଫେରୁଛନ୍ତି । ୯ ଦିନିଆ ରଥଯାତ୍ରା ଶେଷ କରି ମହାପ୍ରଭୁ ଆଜି ଗୋଟି ପହଣ୍ଡିରେ ବଡ଼ଦେଉଳକୁ ଫେରୁଛନ୍ତି । ଏଥି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ପ୍ରଥମେ ମଦନମୋହନ ଓ ପରେ ରାମକୃଷ୍ଣଙ୍କୁ ରତ୍ନସିଂହାସନରେ ବିରାଜମାନ କରାଯିବା ପରେ ପ୍ରଭୁ ବଳଭଦ୍ରଙ୍କ ପହଣ୍ଡି ଆରମ୍ଭ ହୋଇଯାଇଛି । ତାଳଧ୍ୱଜ ରଥରୁ ବଳଭଦ୍ରକୁ ଓହ୍ଲାଯାଇଛି । ବଳଭଦ୍ରଙ୍କୁ ରତ୍ନବେଦୀରେ ବିରାଜମାନ କରାଯିବା ପରେ ଦେବୀ ସୁଭଦ୍ରାଙ୍କୁ ଗୋଟି ପହଣ୍ଡିରେ ରତ୍ନବେଦୀକୁ ନିଆଯିବ । ଶେଷରେ କାଳିଆ ସାଆନ୍ତ ରତ୍ନ ସିଂହାସନରେ ବିରାଜମାନ କରିବେ ।
ଘୋଷଯାତ୍ରାର ଏହି ଲୀଳାଖେଳା ଶେଷ ପରେ ମଙ୍ଗଳବାର ନୀଳାଦ୍ରି ବିଜେ କରିବେ ଚତୁର୍ଦ୍ଧାମୂର୍ତି । ରଥାରୂଢ଼ ଚତୁର୍ଦ୍ଧାମୂର୍ତି ପୁଣି ଗୋଟି ପହଣ୍ଡିରେ ଶ୍ରୀମନ୍ଦିର ରତ୍ନମଣ୍ଡପକୁ ବିଜେ କରିବେ । ଏତେ ଦିନ ଧରି ମାନ କରି ରହିଥିବା ମା’ ଲକ୍ଷ୍ମୀ ସାଆନ୍ତାଣୀଙ୍କୁ ରସଗୋଲା ଦେଇ ସ୍ୱୟଂ ବିଶ୍ୱନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥ ମାନଭଞ୍ଜନ କରିବେ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ନୀଳାଦ୍ରୀ ବିଜେ ଅବସରରେ ବଡ଼ଦାଣ୍ଡ ଉଛୁଳିପଡୁଛି । ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କର ଭିଡ଼ ଲାଗି ରହିଛି । ଭକ୍ତମାନେ ଆଜି ମହାପ୍ରଭୁଙ୍କୁ ରସଗୋଲା ଭୋଗ ଅର୍ପଣ କରି ନିଜକୁ ଧନ୍ୟ ମଣୁଛନ୍ତି ।
