ଖୁବଶୀଘ୍ର ଦେଶରେ ଉପଲବ୍ଧ ହେବ ‘ସ୍ପୁଟନିକ୍-ଭି’
ନୂଆଦିଲ୍ଲୀ : ଦେଶରେ କରୋନା ମହାମାରୀକୁ ନିୟନ୍ତ୍ରଣକୁ ଆଣିବାକୁ ସରକାର ଜାରି ରଖିଛନ୍ତି ଟିକାକରଣ । ଏଥିପାଇଁ ଲୋକଙ୍କୁ ବ୍ୟାପକ ସଂଖ୍ୟାରେ ଟିକା ଦିଆଯାଉଛି । ବର୍ତ୍ତମାନ ଟିକାକରଣ କେନ୍ଦ୍ରରେ କେବଳ କୋଭିଶିଲ୍ଡ ଏବଂ କୋଭାକ୍ସିନ୍ ଉପଲବ୍ଧ ହେଉଛି । ତେବେ ଖୁବଶୀଘ୍ର ଦେଶରେ ଉପଲବ୍ଧ ହେବ ଋଷର ଟିକା ସ୍ପୁଟନିକ୍-ଭି । କୋଭିଡ-୧୯ ୱାର୍କିଂ ଗ୍ରୁପ୍ର ସଭାପତି ଡ. ଏନ.କେ ଆରୋରା ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ଟିକାକରଣ କେନ୍ଦ୍ରରେ ସ୍ପୁଟନିକ୍-ଭି ଟିକା ମାଗଣାରେ ଉପଲବ୍ଧ ହେବ । ବର୍ତ୍ତମାନ ସୁଦ୍ଧା ସ୍ପୁଟନିକ୍-ଭି କେବଳ ଘରୋଇ ଡାକ୍ତରଖାନାରେ ଉପଲବ୍ଧ ହେଉଛି । ଆମେ ଆମର ମାଗଣା ଟିକାକକଣ କାର୍ଯ୍ୟକ୍ରମ ଅଧୀନରେ ଆମେ ଏହାକୁ ଉପଲବ୍ଧ କରାଇବୁ । କିନ୍ତୁ ଏହା ଟିକା ଯୋଗାଣ ଉପରେ ନିର୍ଭର କରୁଛି । ରୁଷର କରୋନା ଟିକା ସ୍ପୁଟନିକ୍-ଭି-18°C ତାପମାତ୍ରାରେ ରଖିବାକୁ ପଡିବ । ପୋଲିଓ ଟିକା ଗଚ୍ଛିତ ରଖିବା ପାଇଁ ବ୍ୟବହୃତ ଶୀତଳ ଶୃଙ୍ଖଳା ସୁବିଧା ସ୍ପୁଟନିକ୍-ଭି ସଂରକ୍ଷଣ ପାଇଁ ବ୍ୟବହୃତ ହେବ ବୋଲି ଆରୋରା କହିଛନ୍ତି । ତେବେ ଏହା ମଧ୍ୟ ନିଶ୍ଚିତ କରିବ ଯେ ପୋଲିଓ ଅଭିଯାନ ଭଳି ଏହି ଟିକା ପ୍ରତି ଗ୍ରାମାଞ୍ଚଳରେ ପହଞ୍ଚିବ । ଜୁଲାଇ ଶେଷ ସୁଦ୍ଧା ୧୨ ରୁ ୧୬ କୋଟି ଅଧିକ ଡୋଜ ଦିଆଯିବାର ଟାର୍ଗେଟ ରହିଛି ।
