ସ୍ୱତନ୍ତ୍ର ଓଡ଼ିଶାକୁ ପୂରିଲା ୮୭ ବର୍ଷ ! ଅଗ୍ରଗତି କରିପାରୁନି ଓଡ଼ିଆ ଭାଷା
ସ୍ୱତନ୍ତ୍ର ଓଡ଼ିଶାକୁ ପୂରିଲା ୮୭ ବର୍ଷ। ଫଳରେ ଏଥର ଓଡ଼ିଶା ପାଳିବ ୮୮ତମ ଉତ୍କଳ ଦିବସ । ୧୯୩୬ ମସିହା ଏପ୍ରିଲ ୧ରେ ଓଡ଼ିଶା ପାଇଥିଲା ସ୍ୱତନ୍ତ୍ର ଭାଷା ଭିତ୍ତିକ ରାଜ୍ୟର ମାନ୍ୟତା । ଓଡ଼ିଶା ମାଟି ମା’କୁ ସ୍ୱତନ୍ତ୍ର ରାଜ୍ୟ ଗଠନ କରିବାରେ ଭୂମିକା ନେଇଥିଲେ ୧୯୦୨ରେ ଗଠନ ହୋଇଥିବା ଉତ୍କଳ ସମ୍ମିଳନୀ । ସେତେବେଳେ ମାତ୍ର ୬ଟି ଜିଲାକୁ ନେଇ ଗଠନ ହୋଇଥିଲା ସ୍ୱତନ୍ତ୍ର ଓଡ଼ିଶା ରାଜ୍ୟ । ତେବେ ପ୍ରତି ବର୍ଷ ଏପ୍ରିଲ ପହିଲା ଦିନଟିକୁ ଓଡ଼ିଶା ଦିବସ ରୂପେ ପାଳନ କରା ଯାଇ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର କର୍ଣ୍ଣଧାରମାନଙ୍କୁ ସମ୍ମାନ ଅର୍ପଣ କରାଯାଏ।
ଭାଷା ଭିତ୍ତିରେ ରାଜ୍ୟ ଗଠନ ହେବାରେ ଓଡ଼ିଶା ଭାରତର ପ୍ରଥମ ରାଜ୍ୟ । ଶେଷ ହିନ୍ଦୁ ରାଜା ମୁକୁନ୍ଦ ଦେବଙ୍କ ଦେହାନ୍ତ ପରେ, ବ୍ରିଟିଶ ଶାସନରୁ ଅଲଗା ହୋଇ ଓଡ଼ିଶାକୁ ଏକ ଅଲଗା ରାଜ୍ୟ କରିବା ପାଇଁ ମଧୁସୂଦନ ଦାସ, ଫକୀର ମୋହନ ସେନାପତି, ଗୋପବନ୍ଧୁ ଦାସ, ନୀଳକଣ୍ଠ ଦାସ, ଗଙ୍ଗାଧର ମେହେର, ରାଧାନାଥ ରାୟ, ବାସୁଦେବ ସୁଢଳ ଦେବ ଓ କୃଷ୍ଣଚନ୍ଦ୍ର ଗଜପତିଙ୍କ ଚେଷ୍ଟାରେ ଆନ୍ଦୋଳନ ତେଜିଥିଲା। ପ୍ରଥମେ ଓଡ଼ିଶା ରାଜ୍ୟ ୬ ଜିଲା କଟକ, ପୁରୀ, ବାଲେଶ୍ୱର, ସମ୍ବଲପୁର, କୋରାପୁଟ ଓ ଗଞ୍ଜାମକୁ ନେଇ ତିଆରି ହୋଇଥିଲା । ୧୯୩୬, ଏପ୍ରିଲ ପହିଲାରେ ଓଡ଼ିଶାକୁ ଏକ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ମିଳିଲା । ୧୯୯୨ରେ ଓଡ଼ିଶାର ୧୩ ଜିଲାକୁ ପୁନର୍ବିଭାଜନ କରି ୩୦ ଜିଲାରେ ଭାଗ କରାଗଲା ।
ହେଲେ ବିଡମ୍ବନାର ବିଷୟ ଯେ ଅନ୍ୟ ଭାଷା ଭଳି ଓଡ଼ିଆ ଭାଷା ଅଗ୍ରଗତି କରିପାରୁ ନାହିଁ । ଲୋକେ ଓଡ଼ିଆରେ କଥା ହେବାକୁ କୁଣ୍ଠାବୋଧ କରୁଛନ୍ତି । ସରକାରୀ କାର୍ଯ୍ୟାଳୟରେ ସମ୍ପୂର୍ଣ୍ଣ ଭାବରେ ଓଡ଼ିଆ ଭାଷା କାର୍ଯ୍ୟକାରୀ ହୋଇପାରିନି । ଏପରିକି ପଡୋଶୀ ବି ଆମ ଓଡ଼ିଶାର ସୀମାନ୍ତ ଅଞ୍ଚଳ ଗୁଡିକୁ ମାଡି ବସିଲେଣି । ଓଡ଼ିଆ ଭାଷାକୁ ଆଗକୁ ନେବାକୁ ଓଡିଶାର ପ୍ରତ୍ୟେକ କୋଣ ଅନୁକୋଣରୁ ଲୋକଙ୍କ ଏକତାର ଆବଶ୍ୟକତା ରହିଛି ।
