ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦୁର୍ବଳ !
ଭୁବନେଶ୍ୱର : ଚଳିତ ମାସରେ ସମଗ୍ର ଦେଶରେ ବର୍ଷା ଅଭାବ ଦେଖାଦେଇଛି । ତେବେ ଗତ କିଛି ଦିନ ହେବ ମଧ୍ୟ ଓ ଉତ୍ତର ଭାରତରେ ଭଲ ବର୍ଷା ହୋଇଥିବାରୁ ନିଅଣ୍ଟ ପରିମାଣ କିଛିଟା ଭରଣା ହୋଇଛି । ମାତ୍ର ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦୁର୍ବଳ ହୋଇଯାଇଥିବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) କହିଛି । ଫଳରେ ଚଳିତବର୍ଷ ରାଜ୍ୟରେ ବର୍ଷା ନିଅଣ୍ଟ ଦେଖାଯିବାର ଆଶଙ୍କା ସୃଷ୍ଟି ହୋଇଛି ।
ସେହିପରି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ରିପୋର୍ଟ ଅନୁସାରେ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବିଶେଷ ବର୍ଷାର ସମ୍ଭାବନା ନାହିଁ । ତେବେ ୨୫ ତାରିଖ ବେଳକୁ ରାଜ୍ୟର କିଛି ଜିଲା ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର, ଯାଜପୁର, ଭଦ୍ରକ, ସୁନ୍ଦରଗଡ଼, କୋରାପୁଟ ଓ ମାଲକାନଗିରି ଜିଲ୍ଲାର କେତେକ ସ୍ଥାନରେ ବର୍ଷା ହୋଇପାରେ । ଅନ୍ୟପକ୍ଷରେ ଶୁକ୍ରବାର ଘରୋଇ ପାଣିପାଗ ସଂସ୍ଥା କହିଥିଲା ଯେ ଆସନ୍ତା ୨୭ କିମ୍ବା ୨୮ ଆଡ଼କୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବ । ଏହି ସମ୍ଭାବ୍ୟ ଲଘୁଚାପର ପ୍ରଭାବ ସୀମିତ ରହିବାର ସମ୍ଭାବନା ରହିଛି । ଏହା ସତ୍ତ୍ୱେ ଏହି ଲଘୁଚାପ ପ୍ରଭାବରୁ ରାଜ୍ୟରେ ବର୍ଷା ନିଅଣ୍ଟ ସ୍ଥିତି ସୁଧୁରିବାର ସମ୍ଭାବନା ରହିଛି । ସୂଚନା ଯେ, ଅଗଷ୍ଟ ୧ରୁ ୧୮ ମଧ୍ୟରେ ହାରାହାରି ୧୫୯.୯ ମିଲିମିଟର ବର୍ଷା ହୋଇଥାଏ । କିନ୍ତୁ ଚଳିତ ଅଗଷ୍ଟର ଏହି ସମୟରେ ଦେଶରେ ମାତ୍ର ୧୧୦ ମିଲିମିଟର ବର୍ଷା ହୋଇଛି, ଯାହାକି ୩୧ ପ୍ରତିଶତ କମ ।
