ଓଡ଼ିଶା ଛାଡ଼ିଲା ଦକ୍ଷିଣ ପଶ୍ଚିମ ମୌସୁମୀ!
ଭୁବନେଶ୍ୱର : ଓଡିଶାରୁ ସଂପୂର୍ଣ୍ଣ ବିଦାୟ ନେଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ପୂର୍ବ ଆକଳନ ଅନୁଶାରେ ଓଡିଶାରୁ ମୌସୁମୀ ବାୟୁ ଫେରିଯାଇଛି। ଏନେଇ ସ୍ପଷ୍ଟ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଆସନ୍ତା ୨୬ ତାରିଖରେ ସାରା ଦେଶରୁ ମୌସୁମୀ ଫେରିବ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ବର୍ତ୍ତମାନ କଳିଙ୍ଗପଟ୍ଟନମ୍, ନନ୍ଦିଗ୍ରମ, କୁର୍ନୁଲ, ଗାଦାଗ, ମଜଲି ଉପରେ ରହିଛି। ଏହା ଆସନ୍ତା ୨୬ ତାରିଖ ସୁଦ୍ଧା ଫେରିଯିବ।ଜୁନ ପହିଲାରୁ ଆଜି ସୁଦ୍ଧା ରାଜ୍ୟରେ ୧୧୨୨.୫ ମିମି ବର୍ଷା ହୋଇଛି। ୧୨୪୩.୮ ମିମି ବର୍ଷା ହେବା କଥା, ୧୦% କମ ବର୍ଷା କରାଇ ଫେରିଲା ମୌସୁମୀ।
ସେହିଭଳି ରାଜ୍ୟରେ ଆସନ୍ତା ୪-୫ ଦିନ ପାଗ ଶୁଖିଲା ରହିବ । ହେଲେ ଧୀରେ ଧୀରେ ତାପମାତ୍ରା କମିବ । ଓଡ଼ିଶାରେ ଡିସେମ୍ବର ୧୫ରୁ ଜାନୁଆରୀ ୧୫ ମଧ୍ୟରେ ସର୍ବାଧିକ ଶୀତର ପ୍ରକୋପ ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍ ବିଶ୍ୱାସ ପୂର୍ବାନୁମାନ କରିଛନ୍ତି । ସେହିପରି ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ପୂର୍ବାନୁମାନ କରିଛନ୍ତି, ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ । ରାତି ବେଳେ ତାପମାତ୍ରା କମିବ । ସକାଳ ସମୟରେ ବି ଥଣ୍ଡା ରହିବ । ଏବେ ଆଭ୍ୟନ୍ତରୀଣ ଓଡ଼ିଶାର ୨ ଡିଗ୍ରୀ ତାପମାତ୍ରା କମିଥିବା ବେଳେ ୨୮ରେ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି । ପରେ ଉପକୂଳରେ ବି ତାପମାତ୍ରା କମିବ ବୋଲି ଡ. ସାହୁ ଆକଳନ କରିଛନ୍ତି । ଅପରପକ୍ଷେ, ଶୁକ୍ରବାର ଦାରିଙ୍ଗିବାଡ଼ିରେ ସର୍ବନିମ୍ନ ତାପମାତ୍ରା ୧୬ ଡିଗ୍ରୀ ସେଲସିୟସ୍କୁ ଖସିଛି । ସେହିପରି କେନ୍ଦୁଝର ଓ ଝାରସୁଗୁଡ଼ାରେ ୧୮ ଡିଗ୍ରୀ ଏବଂ ହୀରାକୁଦ ଓ ସମ୍ବଲପୁରରେ ସର୍ବନିମ୍ନ ତାପମାତ୍ରା ୧୯ ଡିଗ୍ରୀ ସେଲସିୟସ୍କୁ ଖସିଛି ।
