ଭାରତକୁ ୨୯୭ ରନ ଟାର୍ଗେଟ୍ ଦେଲା ଦକ୍ଷିଣଆଫ୍ରିକା
ପାର୍ଲ : ଅଧିନାୟକ ତେମ୍ବା ବାଭୁମାଙ୍କ ଶତକ ଏବଂ ରସି ଭାନ ଡର ଡସେନଙ୍କ ଅପରାଜିତ ଦ୍ରୁତ ଶତକ ବଳରେ ପାର୍ଲର ବୋଲାଣ୍ଡ ପାର୍କରେ ବୁଧବାର ଖେଳାଯାଉଥିବା ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ର ପ୍ରଥମ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ୪ ୱିକେଟ୍ ହରାଇ ୨୯୬ ରନ କରିଛି । ଭାରତ ସମ୍ମୁଖରେ ୨୯୭ ରନର ବିଜୟ ଲକ୍ଷ୍ୟ ରହିଛି । ଅଧିନାୟକ ତେମ୍ବା ବାଭୁମା ୧୧୦ ଏବଂ ଡସେନଙ୍କ ଅପରାଜିତ ୧୨୯ ରନର ଆକର୍ଷଣୀୟ ଶତକୀୟ ଇନିଂସ ବଳରେ ଦକ୍ଷିଣ ଆଫ୍ରିକା ଏହି ସ୍କୋର କରିଛି । ଦୁଇ ବ୍ୟାଟସମ୍ୟାନ ଚତୁର୍ଥ ୱିକେଟ୍ ପାଇଁ ଦ୍ୱିଶତକୀୟ ଭାଗିଦାରୀ ଯୋଡିଛନ୍ତି । ଦୁଇ ବ୍ୟାଟସମ୍ୟାନଙ୍କ ସାମ୍ନାରେ ଭାରତୀୟ ବୋଲର ପ୍ରଭାବହୀନ ରହିଛନ୍ତି । ଏହା ପୂର୍ବରୁ ଟସ୍ ଜିତି ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଥିଲା ।
ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକାର ଆରମ୍ଭ ଭଲ ନଥିଲା । ୧୯ ରନ ସ୍କୋରରେ ପ୍ରଥମ ଝଟକା ଲାଗିଥିଲା । ଜାନେମନ ମଲାନ(୬)ଙ୍କୁ ଆଉଟ୍ କରି ବୁମରା ଭାରତକୁ ପ୍ରଥମ ସଫଳତା ଦେଇଥିଲେ । ଦଳୀୟ ସ୍କୋର ୫୮ ରନରେ କ୍ୱିଂଟନ ଡିକକ୍ (୨୭)ଙ୍କ ରୂପେ ଘରୋଇ ଦଳକୁ ଦ୍ୱିତୀୟ ଝଟକା ଲାଗିଥିଲା । ଆଡନ ମାରକ୍ରମ(୪) ରନ ଆଉଟ୍ ହୋଇ ପାଭିଲିୟନ ଫେରିଥିଲେ । ୬୮ ରନରେ ୩ଟି ୱିକେଟ୍ ହରାଇ ସଙ୍କଟରେ ଥିବା ଦକ୍ଷିଣ ଆଫ୍ରିକାର ଇନିଂସ ସମ୍ଭାଳିଥିଲେ ଅଧିନାୟକ ତେମ୍ବା ବାଭୁମା ଏବଂ ରସି ଭାନଡର ଡସେନ ।
ଦୁଇ ବ୍ୟାଟସମ୍ୟାନ ଧୈର୍ଯ୍ୟର ସହ ବ୍ୟାଟିଂ କରି ଇନିଂସକୁ ଆଗକୁ ବଢାଇଥିଲେ । ବାଭୁମା ଏବଂ ଡସେନ ଚମତ୍କାର ବ୍ୟାଟିଂ କରି ଭାରତୀୟ ବୋଲରଙ୍କୁ ନିରାଶ କରିଥିଲେ । ସେଟ୍ ହେବା ପରେ ଆକର୍ଷୀୟ ସଟ୍ ଖେଳୀ ଦକ୍ଷିଣ ଆଫ୍ରିକାର ସ୍କୋରକୁ ୨୦୦ ପାର୍ କରାଇଥିଲେ । ଏହି କ୍ରମରେ ବାଭୁମା ଏବଂ ଡସେନ ଦିନିକିଆରେ ଦ୍ୱିତୀୟ ଶତକ ଅର୍ଜନ କରିଥିଲେ । ଏହି ଯୋଡିକୁ ଭାଙ୍ଗିବାକୁ ଭାରତୀୟ ବୋଲରଙ୍କୁ ନାକେଦମ ହେବାକୁ ପଡିଛି । ୪୯ ତମ ଓଭରରେ ବାଭୁମା ବୁମରାଙ୍କ ବଲ୍ରେ କ୍ୟାଚ୍ ଆଉଟ୍ ହୋଇ ପାଭିଲିୟନ ଫେରିଥିଲେ । ସେ ୧୪୩ ବଲ୍ରୁ ୮ ଚୌକା ସହ ୧୧୦ ରନ କରିଥିଲେ । ଏହା ପୂର୍ବରୁ ଦୁଇ ବ୍ୟାଟସମ୍ୟାନ ଚତୁର୍ଥ ୱିକେଟ୍ ପାଇଁ ୨୦୪ ରନ ଯୋଡିଥିଲେ । ଏହା ଚତୁର୍ଥ ୱିକେଟ୍ ପାଇଁ ଦ୍ୱିତୀୟ ସର୍ବାଧିକ ରନ । ତେବେ ଶେଷ ଆଡକୁ ଭାରତୀୟ ବୋଲର ଦକ୍ଷିଣ ଆଫ୍ରିକାର ରନ ଗତି ଉପରେ ଅଙ୍କୁଶ ଲଗାଇଥିଲେ । ବଡ ସଟ୍ ଖେଳିବାକୁ ସୁଯୋଗ ଦେଇନଥିଲେ ଭାରତୀୟ ବୋଲର । ଫଳରେ ହାତରେ ୬ ୱିକେଟ୍ ଥାଇ ବି ଦକ୍ଷିଣ ଆଫ୍ରିକା ୩୦୦ ରନ କରିବାକୁ ସକ୍ଷମ ହୋଇନାହିଁ । ଡସେନ ୯୬ ବଲ୍? ୯ ଚୌକା ୪ ଛକା ସହ ୧୨୯ ରନର ଦ୍ରୁତ ଅପରାଜିତ ଇନିଂସ ଖେଳିଛନ୍ତି । ଶେଷ ଓଭରରେ ୧୭ ରନ ହେବାରୁ ଦକ୍ଷିଣ ଆଫ୍ରିକା ୪ ୱିକେଟ୍ ହରାଇ ୨୯୬ ରନ କରି ପାରିଛି । ଭାରତ ପକ୍ଷରୁ ଯଶପ୍ରୀତ ବୁମରା ୪୮ ରନ ଦେଇ ୨ଟି ଏବଂ ଅଶ୍ୱିନ ୫୩ ରନ ଦେଇ ୧ ୱିକେଟ୍ ନେଇଛନ୍ତି । ଦଳ ପକ୍ଷରୁ ଶାର୍ଦ୍ଦୁଳ ଠାକୁର ସବୁଠୁ ମହଙ୍ଗା ସାବ୍ୟସ୍ତ ହୋଇ ୧୦ ଓଭରରେ ୭୨ ରନ ଦେଇଛନ୍ତି । ୟୁଜବେନ୍ଦ୍ର ଚହଲ ୫୩ ରନ ଦେଇଥିଲେ ହେଁ କୌଣସି ସଫଳତା ପାଇ ନାହାନ୍ତି । ଭୁବନେଶ୍ୱର କୁମାର ୬୪ ରନ ଦେଇ ଗୋଟିଏ ହେଲେ ୱିକେଟ୍ ନେଇ ପାରି ନାହାନ୍ତି ।
