ଆସିଲା ଏସ୍ଓପି : ଜାନୁଆରୀ ୩ରୁ ଖୋଲିବ ପ୍ରାଥମିକ ସ୍କୁଲ
- ଅଭିଭାବକଙ୍କ ଅନୁମତି ନେଇ ସ୍କୁଲ ଆସିବେ ପିଲା
- ଅନଲାଇନ୍ କ୍ଲାସ୍ ଜାରି ରହିବ, ୯ରୁ ୧୨ ଯାଏଁ କ୍ଲାସ
ଭୁବନେଶ୍ୱର : ଆସନ୍ତା ଜାନୁଆରୀ ୩ ତାରିଖରୁ ଖୋଲିବ ପ୍ରାଥମିକ ସ୍କୁଲ । ସାରା ରାଜ୍ୟରେ ପ୍ରଥମରୁ ପଂଚମ ଶ୍ରେଣୀ ଯାଏଁ ଥିବା ପ୍ରାୟ ୨୭,୦୦୦ ବିଦ୍ୟାଳୟ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି । ତେବେ ଯେଉଁଠି ଜାନୁଆରୀ ୫ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ପ୍ରଥମ ସମେଟିଭ୍ ପରୀକ୍ଷା ଅନୁଷ୍ଠିତ ହେବ ସେହି ସ୍କୁଲ ଗୁଡ଼ିକ ଜାନୁଆରୀ ୧୦ ତାରିଖରୁ ଖୋଲିବ । ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟାରୁ ପର୍ଯ୍ୟନ୍ତ ସ୍କୁଲ ଚାଲିବ । କ୍ଲାସ୍ ମଧ୍ୟରେ ଖାଇବା ଛୁଟି ରହିବ ନାହିଁ । ସ୍କୁଲରେ ମଧ୍ୟାହ୍ନ ଭୋଜନ ଦିଆଯିବ ନାହିଁ । ପୂର୍ବ ପରି ଶୁଖିଲା ରାସନ୍ ଦିଆଯିବ ।
ଉଲ୍ଲେଖନୀୟ ଯେ କୋଭିଡ୍ ପାଇଁ ୨ ବର୍ଷ ଧରି ପ୍ରାଥମିକ ସ୍କୁଲ ଗୁଡିକ ବନ୍ଦ ରହିଥିଲା । ସ୍କୁଲ ଖୋଲିବା ପାଇଁ ବିଭାଗ ପକ୍ଷରୁ ଏସଓପି ଜାରି କରାଯାଇଛି । ଏସଓପିରେ କୁହାଯାଇଛି ଯେ ରାଜ୍ୟରେ ପ୍ରାଥମିକ ସ୍କୁଲ ଖୋଲିବା ପରେ ମଧ୍ୟ ଅନଲାଇନରେ କ୍ଲାସ୍ ଜାରି ରହିବ । ଯେଉଁ ପିଲାମାନେ ସ୍କୁଲ ଆସିବାକୁ ଚାହିଁବେନି, ସେମାନେ ଅନଲାଇନ୍ ରେ ମଧ୍ୟ ପାଠପଢା ଜାରି ରଖିପାରିବେ । ଅଭିଭାବକଙ୍କ ଅନୁମତି ନେଇ ପିଲାମାନେ ସ୍କୁଲ ଆସିପାରିବେ । କେଂଟନମେଂଟ ଜୋନ୍ ଅଂଚଳରେ ଥିବା ସ୍କୁଲ ଗୁଡିକ ଖୋଲିବ ନାହିଁ । କେବଳ କେଂଟନମେଂଟ ଜୋନ୍ ବାହାରେ ଥିବା ସ୍କୁଲ ଖୋଲିବାକୁ ଅନୁମତି ରହିଛି । ତା ସହିତ ସ୍କଲକୁ ପ୍ରତିଦିନ ସଫା ରଖିବା, ସ୍କୁଲ ଆସବାବ ପତ୍ର ସଫା ଏବଂ ପାଣିଟାଙ୍କିକୁ ମଧ୍ୟ ସଫା ରଖିବାକୁ ଏସଓପିରେ ଉଲ୍ଲେଖ କରାଯାଇଛି । ସ୍କୁଲରେ ହ୍ୟାଣ୍ଡୱାଶ ପାଇଁ ମଧ୍ୟ ବ୍ୟବସ୍ଥା କରିବାକୁ କୁହାଯାଇଛି । ସ୍କୁଲ ମଧ୍ୟରେ ପିଲାମାନେ ପରସ୍ପରଠାରୁ ୬ ଫୁଟ୍ ଦୂରତା ରଖି ବସିବେ । ଯଦି ସମ୍ଭବ ହୁଏ ତେବେ ଗୋଟିଏ ବେଂଚରେ ଗୋଟିଏ ପିଲା ବସିବାକୁ ବ୍ୟବସ୍ଥା କରିବାକୁ ଏସଓପିରେ କୁହାଯାଇଛି । ବିଦ୍ୟାଳୟର ସବୁ ସ୍ଥାନରେ ସାମାଜିକ ଦୂରତା ରକ୍ଷା କରିବା ସହିତ ମାସ୍କ ଓ ସାନିଟାଇଜର ବ୍ୟବହାର କରିବାକୁ ବି ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଗୋଟିଏ କ୍ଲାସରେ କେବଳ ୨୦ରୁ ୨୫ ଜଣ ପିଲା ବସିପାରିବେ । ସରକାର ଯେଉଁ ଅନୁସାରେ ସମୟ ଧାର୍ଯ୍ୟ କରିଛନ୍ତି ସେହି ଅନୁସାରେ ସ୍କୁଲ ଖୋଲା ରହିବ । ସ୍କୁଲରେ କୌଣସି ପ୍ରକାର ମଧ୍ୟାହ୍ନ ଭୋଜନ ପିଲାଙ୍କୁ ଦିଆଯିବ ନାହିଁ ବୋଲି ଏସଓପିରେ ଉଲ୍ଲେଖ କରାଯାଇଛି ।
