ଖୁବଶୀଘ୍ର ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ, ଏହି ଭେନ୍ୟୁରେ ଲଢ଼େଇ କରିବେ ଉଭୟ ଦେଶର ଖେଳାଳି
ନୂଆଦିଲ୍ଲୀ : ଆସନ୍ତା ବର୍ଷ ୪ଟି ଦେଶକୁ ନେଇ ହେଉଥିବା ଆନ୍ତର୍ଜାତୀୟ କବାଡି ଟୁର୍ଣ୍ଣାମେଣ୍ଟ ପୂର୍ବରୁ କର୍ତାରପୁର କରିଡରରେ ମାର୍ଚ୍ଚ ୨୦୨୨ ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ମ୍ୟାଚ୍ ଦେଖିବାକୁ ମିଳିବ । କବାଡି ମ୍ୟାଚ୍ ପାଇଁ ଉଭୟ ଦେଶ ସହମତ ଦେଇଥିବାର ଜଣାପଡିଛି । ପାକିସ୍ତାନ କବାଡି ଫେଡେରେଶନ (ପି.କେ.ଏଫ୍) ସଚିବ ରାଣା ମହମ୍ମଦ ସୌରଭ ଏନେଇ ସୂଚନା ଦେଇଛନ୍ତି ।
ସେ କହିଛନ୍ତି, ମାର୍ଚ୍ଚରେ କର୍ତାରପୁର କରିଡରରେ ଏକ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବାକୁ ଉଭୟ ଦେଶ ପ୍ରସ୍ତୁତ ଅଛନ୍ତି । ସେହିପରି ଇତିହାସ ସୃଷ୍ଟି ହେଉଥିବା ଦେଖିବାକୁ ଆମେ ପ୍ରସ୍ତୁତ, କାରଣ ପାକିସ୍ତାନ ଏବଂ ଭାରତ କର୍ତାରପୁର କରିଡରରେ ଏକ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିବାକୁ ରାଜି ହୋଇଛନ୍ତି । ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବା ପାଇଁ ଦଳ ସୀମା ପାର ହୋଇ ଆସିବେ ବୋଲି ଉଭୟ ଫେଡେରେସନ୍ ସହମତ ହୋଇଛନ୍ତି । ମ୍ୟାଚ୍ ପରେ ଉଭୟ ଦଳ ନିଜ ନିଜ ଦେଶକୁ ଫେରିବେ । ମ୍ୟାଚ୍ ବିଷୟରେ ଅଧିକ ପଚରାଯିବାରୁ ମହମ୍ମଦ ସୌରଭ କହିଛନ୍ତି ଯେ ଏହାକୁ ଶେଷ କରିବାକୁ ଆଲୋଚନା ଚାଲିଛି । ଆଶା କରୁଛି ମାର୍ଚ୍ଚ ଶେଷରେ ଅନ୍ତର୍ଜାତୀୟ ମ୍ୟାଚ୍ ଆୟୋଜିତ ହେବ । ଯେହେତୁ ଆମକୁ ଏପ୍ରିଲରେ ଲାହୋରରେ ଚାରୋଟି ଦେଶକୁ ନେଇ ଏକ ଅନ୍ତର୍ଜାତୀୟ ଟୁର୍ନାମେଣ୍ଟ ଆୟୋଜନ କରିବାକୁ ପଡିବ, ଆମେ ମାର୍ଚ୍ଚରେ କିଛି ସପ୍ତାହ ପୂର୍ବରୁ ଏହି ମ୍ୟାଚ୍ କରିବାକୁ ଚାହୁଁଛୁ ।
