ଜ୍ୱାଇଁର ଉନ୍ମୁତ୍ତ କାଣ୍ଡ : ଭୁଜାଲି ଆକ୍ରମଣରେ ଶାଶୁଙ୍କ ସମେତ ୩ ଆହତ, ଅଭିଯୁକ୍ତ ଅଟକ
କଟକ : ଝିଆରୀ ଜ୍ୱାଇଁ ଭୁଜାଲି ଆକ୍ରମଣରେ ମାଉସୀ ଶାଶୁଙ୍କ ସହ ତିନିଜଣ ଆହତ ହୋଇଛନ୍ତି । ଆହତ ପରେ ଡାକ୍ତରଖାନାରେ ଚିକିତ୍ସାଧୀନ ରହିଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା କଟକ ଜିଲା ବାଙ୍କୀ ଥାନା ଅନ୍ତର୍ଗତ ନୂଆ ଓସ୍ତିଆ ଗ୍ରାମରେ ଦେଖିବାକୁ ମିଳିଛି ।
ସୂଚନା ଯେ, କଦଳିବାଡି ଗ୍ରାମର ପପୁ ରାଉତ ପାରିବାରିକ କଳହକୁ ନେଇ ଅଚାନକ ହାତରେ ଭୁଜାଲି ଧରି ନିକଟସ୍ଥ ନୂଆ ଓସ୍ତିଆର ମାଉସୀ ଶାଶୁଙ୍କ ଘରେ ପହଞ୍ଚି ତାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ଏହାସହ ମାଉଶି ଶାଶୁଙ୍କୁ ଘରୁ ଟାଣି ନେଇ ବେକରେ ଭୁଜାଲି ଲଗାଇ ହାଣିବାକୁ ଉଦ୍ୟମ କରିଥିଲେ । ଏହି ସମୟରେ ସମ୍ପର୍କୀୟ ପୁତୁରାମାନେ ମହିଳାଙ୍କୁ ରକ୍ଷା କରିବାକୁ ଆସି ଆହତ ହୋଇଥିଲେ । ତେବେ ମହିଳାଙ୍କ ହାତ ଦୁଇଟି କଟିଯାଇଥିବାର ଜଣାଯାଇଛି । ଏହାପରେ ଉକ୍ତ ମହିଳାଙ୍କ ସମେତ ୪ଜଣଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତଙ୍କ ଠାରୁ ବାଇକ ଓ ଭୁଜାଲି ଜବତ କରି ତାଙ୍କୁ ଅଟକ ରଖିଛି ।
