ଠିକ୍ ପୃଥିବୀ ଭଳି ରହିଛି ଏହି ଗ୍ରହର ମାଟି, ଦେଖିବାକୁ ମଧ୍ୟ ପୂର୍ବରୁ ଥିଲା ସମାନ
ଓ୍ବାଶିଂଟନ୍ : ମଙ୍ଗଳ ଗ୍ରହରେ ଲଗାତାର ଜୀବନର ସନ୍ଧାନ କରୁଥିବା ବୈଜ୍ଞାନିକଙ୍କ ଦାବି ଅନୁସାରେ କୋଟି କୋଟି ବର୍ଷ ପୂର୍ବେ ପୃଥିବୀ ଓ ମଙ୍ଗଳ ଗ୍ରହ ସମାନ ଥିଲା। ବୈଜ୍ଞାନିକଙ୍କ କହିବା ଅନୁସାରେ, ଏଭଳ ଏକ ସମୟ ଥିଲା ମଙ୍ଗଳ ଗ୍ରହ ସମ୍ପୂର୍ଣ୍ଣ ଭାବରେ ପୃଥିବୀ ଭଳି ଥିଲା ଓ ଦୁଇ ଗ୍ରହ ସମାନ ‘ପଦାର୍ଥ’ରୁ ନିର୍ମିତ । ଆଷ୍ଟେ୍ରାବାୟୋଲୋଜିଷ୍ଟ ଡକ୍ଟର ବେକି ମ୍ୟାକକୋଲି ରେଞ୍ଚ ଏକ ୟୁଟ୍ୟୁବ୍ ଭିଡିଓରେ କହିଛନ୍ତି, ମଙ୍ଗଳ ଗ୍ରହ ପୃଥିବୀ ଭଳି ଥିଲା। ଏଭଳି ପ୍ରମାଣ ମିଳିଛି ଯେ, ଲାଲ ଗ୍ରହରେ ହ୍ରଦ ଓ ଝରଣା ମଧ୍ୟ ଥିଲା। ଚାରି ବିଲିୟନ ବର୍ଷ ପୂର୍ବେ ଯେତେବେଳେ ସୋଲାର ସିଷ୍ଟମ ତିଆରି ହୋଇଥିଲା, ସେତେବେଳେ ମଙ୍ଗଳ ଓ ପୃଥିବୀ ସମାନ ପ୍ରକାର ପଦାର୍ଥରୁ ତିଆରି ହୋଇଥିଲା ଓ ଦେଖିବାକୁ ଏକା ଭଳି ଥିଲା।
ଆଜି ମଙ୍ଗଳ ଏକ ଶୁଖିଲା ଗ୍ରହ ଓ ପୃଥିବୀରେ ୭୦ ପ୍ରତିଶତ ପାଣି ରହିଛି। ତେବେ ନିକଟରେ ମଙ୍ଗଳ ଗ୍ରହରେ ପାଣିର ସନ୍ଧାନ କରି ବୈଜ୍ଞାନିକମାନେ ହ୍ରଦ ଓ ଝରଣାର ଥିବାର ପ୍ରମାଣ ପାଇଥିଲେ। ବୈଜ୍ଞାନିକମାନେ କହିଛନ୍ତି, ମଙ୍ଗଳ ଗ୍ରହରେ ଆଜି ମଧ୍ୟ ପାଣି କଠିନ ସ୍ଥିତିରେ ରହିଛି। ବୈଜ୍ଞାନିକମାନେ ଗ୍ରହର ଥଣ୍ଡା ଓ ବରଫ ଥିବା ଅଂଶକୁ ଯାଞ୍ଚ କରୁଛନ୍ତି। ଡକ୍ଟର ରେଞ୍ଚ କହିଛନ୍ତି, ମଙ୍ଗଳ ଗ୍ରହ ବିଷୟରେ ଷ୍ଟଡି ପୃଥିବୀର ବିକାଶକୁ ନେଇ ଆମକୁ ନୂତନ ତଥ୍ୟ ଦେଇପାରେ।
