ଏଣିକି ୟୁକ୍ରେନ ନାଗରିକ ରଖିପାରିବେ ମାରଣାସ୍ତ୍ର
ନୂଆଦିଲ୍ଲୀ: ଋଷିଆ ଆକ୍ରମଣର ବଢ଼ୁଥିବା ସଙ୍କଟ ମଧ୍ୟରେ ୟୁକ୍ରେନ ସଂସଦରେ ପ୍ରଥମଥର ପାଇଁ ମସୌଦା କାନୁନ (ଡ୍ରାଫ୍ଟ ଲୋ)କୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ଏହି ଆଇନ ୟୁକ୍ରେନ ନାଗରିକଙ୍କୁ ମାରଣାସ୍ତ୍ର ରଖିବା ସହ ଆତ୍ମରକ୍ଷାରେ ଉପଯୋଗ କରିବାକୁ ଅନୁମତି ପ୍ରଦାନ କରିବ । ଏହାପୂର୍ବରୁ ୟୁକ୍ରେନ ରାଷ୍ଟ୍ରପତି ବୋଲଦୀମିର ଜେଲେଂସ୍କୀ ୧୮ରୁ ୬୦ ବର୍ଷୀୟ ନାଗରିକଙ୍କୁ ବର୍ଷକ ପାଇଁ ସେନାରେ ଯୋଗ ଦେବା ପାଇଁ ଡାକରା ଦେଇଥିଲେ ।
ଅନ୍ୟପକ୍ଷରେ ଋଷର ଆକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି ୟୁକ୍ରେନର ସୁରକ୍ଷା ପରିଷଦ ଜାତୀୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛି। ଏହାପୂର୍ବରୁ ୟୁକ୍ରେନର ବରିଷ୍ଠ ସୁରକ୍ଷା ଅଧିକାରୀ କହିଥିଲେ ଯେ ଡୋନେସ୍କ ଏବଂ ଲୁଗାନସ୍କ ଅଞ୍ଚଳ ବ୍ୟତୀତ ୟୁକ୍ରେନ ସମସ୍ତ ଅଞ୍ଚଳରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିବ। ଏବେ ଏହାକୁ ଲାଗୁ କରିଦିଆଯାଇଥିବା ସହ ୩୦ ଦିନ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ଏବଂ ଏହାକୁ ଆହୁରି ୩୦ଦିନ ବଢ଼ାଯିବ କି ନାହିଁ, ତାହା ୩୦ଦିନ ଶେଷ ହେବା ପରେ ନିଷ୍ପତ୍ତି ନିଆଯିବ।
