ଓଡ଼ିଶା ଦେଇ ଯାଉଥିବା ୬ ଟ୍ରେନ୍ ବାତିଲ
ଭୁବନେଶ୍ବର : ସାରା ଦେଶରେ କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ’ ଯୋଜନକୁ ବିରୋଧ କରି ପ୍ରଦର୍ଶନ, ହିଂସା, ପ୍ରତିବାଦ ଓ ଆକ୍ରୋଶର ଦେଖିବାକୁ ମିଳିଛି। ଆନ୍ଦଳନକାରୀମାନେ କେଉଁଠି ଟ୍ରେନକୁ ଜାଳି ଦେଉଛନ୍ତି ତ କେଉଁଠି ଷ୍ଟେସନ ଭିତରେ ଭଙ୍ଗାରୁଜା କରୁଛନ୍ତି । ନଷ୍ଟ ହେଉଛି କୋଟି କୋଟି ଟଙ୍କାର ଜାତୀୟ ସମ୍ପତି । ଏହି ବିକ୍ଷୋଭ ଦିନକୁ ଦିନ ତେଜିବାରେ ଲାଗିଛି । ଏହି ଆନ୍ଦୋଳନ ଏବେ ଉତ୍ତରପ୍ରଦେଶ, ହରିୟାଣା, ହିମାଚଳ ପ୍ରଦେଶ, ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଦିଲ୍ଲୀକୁ ବ୍ୟାପିଛି। ବିହାରରେ ଉତ୍ୟକ୍ତ ପ୍ରତିବାଦକାରୀ ବିଭିନ୍ନ ରେଳ ଷ୍ଟେସନରେ ଟ୍ରେନ୍ ଜାଳି ଦେବା ସହ ଏକ୍ସପ୍ରେସରେ ଝରକା କାଚକୁ ପିଟି ଭାଙ୍ଗି ପକାଇଥିବାର ଦୃଶ୍ୟ ସାମ୍ନାକୁ ଆସିଛି। ଅଗ୍ନିପଥ ଯୋଜନାକୁ ବିରୋଧ କରି ଆନ୍ଦୋଳନ ସବୁଠୁ ଅଧିକ ତେତିଛି ବିହାରରେ ।
ବିହାରରେ ପାଖାପଖି ୧୦ଟି ଜିଲାର ଆନ୍ଦୋଳନ ହିଂସାର ରୂପ ନେଇଛି । ଏବେ ଏହି ହିଂସା ବଢ଼ୁଥିବାରୁ ସମଗ୍ର ଦେଶରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ସେହିପରି ଆନ୍ଦୋଳନ କାରଣରୁ ୩୫ରୁ ଅଧିକ ଟ୍ରେନକୁ ବାତିଲ ମଧ୍ୟ କରାଯାଉଛି । ଏହା ବ୍ୟତୀତ କିଛି ଟ୍ରେନର ସମୟ ବଦଳାଇ ଦିଆଯାଇଛି । ରେଳ ଧାରଣା ଉପରେ ଆସବାପତ୍ର ପକାଇ ପ୍ରତିବାଦକାରୀ ନିଜର ଅସନ୍ତୋଷ ଜାହିର କରିଛନ୍ତି । ସେହିପରି ରାଜ୍ୟର ବିଭିନ୍ନ ସ୍ଥାନରେ ସାଧାରଣ ଜନତା ଓ ପୁଲିସ ମୁହାଁମୁହିଁ ହୋଇଥିବାର ଦୃଶ୍ୟ ମଧ୍ୟ ଦେଖାଦେଇକ୍ତି । ଆନ୍ଦୋଳନକାରୀଙ୍କ ଏଭଳି ରେଳ ଷ୍ଟେସନରେ ଆକ୍ରମଣ କରୁଥିବାର ଘଟଣା ପରେ ଆଗାମୀ କିଛି ଦିନ ପାଇଁ ରେଳବାଇ ପକ୍ଷରୁ କିଛି ଟ୍ରେନ୍ ବାତିଲ କରିଛି। ଏହି କ୍ରମରେ ପୂର୍ବତଟ ରେଳପଥ ଦେଇ ୬ଟି ଟ୍ରେନ୍ ଚଳାଳଚ ମଧ୍ୟ ବନ୍ଦ ହୋଇଛି।
ବାତିଲ ହୋଇଥିବା ଟ୍ରେନଗୁଡିକ ହେଲା :
ଟ୍ରେନ୍ ନମ୍ବର ୧୨୨୫୩ ଯଶବନ୍ତପୁର-ଭାଗଲପୁର ଏକ୍ସପ୍ରେସ(୧୮ ଜୁନ୍) ବାତିଲ
ଟ୍ରେନ୍ ନମ୍ବର ୦୮୪୩୯ ପୁରୀ-ପାଟନା ଏକ୍ରପ୍ରେସ(୧୮ ଜୁନ୍) ବାତିଲ
ଟ୍ରେନ ନମ୍ବର ୦୮୪୪୦ ପାଟନା-ପୁରୀ ଏକ୍ସପ୍ରେସ(୧୯ ଜୁନ୍) ବାତିଲ
ଟ୍ରେନ ନମ୍ବର ୨୦୮୨୩ ପୁରୀ-ଆଜମେର୍ ଏକ୍ସପ୍ରେସ(୨୦ ଜୁନ୍) ବାତିଲ
ଟ୍ରେନ୍ ନମ୍ବର ୨୨୬୪୩ ଏର୍ଣ୍ଣାକୁଲମ୍-ପାଟନା ଏକ୍ସପ୍ରେସ(୨୦ ଜୁନ୍) ବାତିଲ
ଟ୍ରେନ୍ ନମ୍ବର ୨୦୮୨୪ ଆଜମେର୍-ପୁରୀ ଏକ୍ସପ୍ରେସ(୨୩ ଜୁନ୍) ବାତିଲ
