କୋଭିଡ୍ ଆପ୍ କ୍ରାସ୍ ଯୋଗୁଁ ବିଗିଡ଼ିଲା ସ୍ଥିତି! ଚୀନର ଅନେକ ସହରରେ ଲକଡାଉନ୍
ବେଜିଙ୍ଗ : ଚୀନରେ କୋରୋନା ସଂକ୍ରମଣର ମାମଲା ଲଗାତର ଭାବେ ବୃଦ୍ଧି ପାଉଛି । ଅନେକ ସହରରେ ଲକଡାଉନ୍ ଲାଗିବା କାରଣରୁ ସାମାନ୍ୟ ଜୀବନଯାପନ ବ୍ୟାହତ ହୋଇଛି । ସିଆନରେ କୋଭିଡ-୧୯ ସ୍ୱାସ୍ଥ୍ୟ କୋଡ୍ ସିଷ୍ଟମର କ୍ରାସ୍ ହେବାକୁ ଯୋଗୁ ସ୍ୱାସ୍ଥ୍ୟ ବ୍ୟବସ୍ଥା ବିଗିଡ଼ି ଯାଇଛି, ଏହି ସିଷ୍ଟମ୍ ଲୋକଙ୍କ ଗତିବିଧି ଉପରେ କଡା ନିୟନ୍ତ୍ରଣ କରିଥାଏ । ୱୁହାନ୍ ପରେ ସିଆନରେ ମହାମାରୀର ଭୟଙ୍କର ପ୍ରକୋପ ବହୁତ ବଡ଼ ପ୍ରଭାବ ପକାଉଛି । ଏହି ସମୟ ମଧ୍ୟରେ ଭାଇରସ୍ ବିସ୍ତାରକୁ ନିୟନ୍ତ୍ରଣ କରିବା ପାଇଁ ଚୀନ ଅନ୍ୟ ଏକ ସହର ୟୁଜୋକୁ ସମ୍ପୂର୍ଣ୍ଣ ଭାବେ ଲକଡାଉନ୍ କରିଦେଇଛି, ଅନ୍ୟପକ୍ଷେ ଏଠାରେ କେବଳ ତିନୋଟି ନୂତନ କୋରୋନା ମାମଲା ରିପୋର୍ଟ ହୋଇଛି ।
ହେଲଥ୍ କୋଡ୍ ସିଷ୍ଟମ୍ ଆପ୍ କ୍ରାସ୍ ହେବା କାରଣରୁ ଡାକ୍ତରଖାନାଗୁଡ଼ିକରେ ରୋଗୀଙ୍କ ଯତ୍ନ ନେଉଥିବା କର୍ମଚାରୀଙ୍କ ପାଇଁ ବାଧା ଉପୁଜିଛି । ଏହି ମାମଲାରେ ଜଣେ ବରିଷ୍ଠ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି । ସେହିପରି ବେଜିଂ ପ୍ରଶାସନ ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛି । ମ୍ୟୁନିସିପାଲିଟି କମ୍ୟୁନିଷ୍ଟ ପାର୍ଟି କମିଟି ଏକ ବୟାନରେ କହିଛି ଯେ ଖରାପ ପ୍ରଦର୍ଶନ ଯୋଗୁଁ ସିଆନର ବିଗ୍ ଡାଟା ବ୍ୟୁରୋର ମୁଖ୍ୟ ଲିୟୁ ଜୁନ ଙ୍କୁ ଅସ୍ଥାୟୀ ଭାବରେ ବରଖାସ୍ତ କରାଯାଇଛି । ତେବେ କମିଟି ଏହାର ନିଷ୍ପତ୍ତି ପଛର କାରଣ ସ୍ପଷ୍ଟ କରି ନାହିଁ । ସିୟାନର ସ୍ୱାସ୍ଥ୍ୟ କୋଡ୍ ସିଷ୍ଟମରେ ଗଡ଼ବଡ଼ ହେବା ପରେ ଏହା କରାଯାଇଥିଲା । ଲୋକଙ୍କ ସ୍ୱାସ୍ଥ୍ୟ ଓ ଟିକାକରଣ ସ୍ଥିତିକୁ କୋଡ୍ ସିଷ୍ଟମ ମାଧ୍ୟମରେ ଟ୍ରାକ୍ କରାଯାଏ ।
ମିଡିଆ ରିପୋର୍ଟ ଅନୁଯାୟୀ, କୋଡ୍ ସିଷ୍ଟମ୍ କ୍ରାସ୍ ଯୋଗୁଁ ଲୋକମାନେ କୋଭିଡ୍ ସଂକ୍ରମଣର ସ୍ଥିତି ଜାଣିପାରୁ ନାହାଁନ୍ତି । ପରେ ପ୍ରାଦେଶିକ ସରକାର ଏକ ବୟାନରେ କହିଛନ୍ତି ଯେ ଅତ୍ୟଧିକ ଯାତାୟାତ ହେତୁ ଏହି ବ୍ୟବସ୍ଥା ସାମୟିକ ଭାବେ କ୍ରାଶ ହୋଇଛି । ଡିସେମ୍ବରରେ ମଧ୍ୟ ଏଥିରେ ବୈଷୟିକ ସମସ୍ୟା ଥିବା କୁହାଯାଉଛି । ଡାକ୍ତରଖାନାରେ ପ୍ରବେଶ କରିବା ପାଇଁ ଲୋକଙ୍କୁ ସେମାନଙ୍କର ସ୍ୱାସ୍ଥ୍ୟ କୋଡ୍ ଦେଖାଇବାକୁ ପଡିବ । ଯାହା ପ୍ରମାଣ କରିବ ଯେ ସେମାନେ କୋରୋନା ନେଗେଟିଭ୍ ।
