ଅଣାୟତ୍ତ ହେଉଛି ଶ୍ରୀଲଙ୍କା ସ୍ଥିତି ! ପ୍ରଧାନମନ୍ତ୍ରୀଙ୍କ ଘରେ ନିଆଁ ଲଗାଇଲେ ବିକ୍ଷୋଭକାରୀ
କଲମ୍ବୋ : ଅଣାୟତ୍ତ ହେବାରେ ଲାଗିଛି ଶ୍ରୀଲଙ୍କା ସ୍ଥିତି। ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ପଦରୁ ଆଜି ରାନିଲ ବିକ୍ରମସିଂଘେ ଇସ୍ତଫା ଦେଇଥିଲେ ବି ବିକ୍ଷୋଭକାରୀଙ୍କ ଆକ୍ରୋଶ ଥମିବାର ନାଁ ନେଉନାହିଁ। ରାଷ୍ଟ୍ରପତି ଭବନ ପରେ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଟାର୍ଗେଟ କରିଛନ୍ତି ବିକ୍ଷୋଭକାରୀ। ତାଜା ସୂଚନା ମୁତାବକ ବିକ୍ଷୋଭକାରୀମାନେ ପ୍ରଧାନମନ୍ତ୍ରୀଙ୍କ ଘରେ ନିଆଁ ଲଗାଇ ଦେଇଛନ୍ତି।
ସୂଚନା ମୁତାବକ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଆଜି ରାଷ୍ଟ୍ରପତି ଭବନ ଛାଡି ପଳାଇବା ପରେ ବିକ୍ଷୋଭକାରୀମାନେ ରାଷ୍ଟ୍ରପତି ଭବନକୁ କବଜା କରିନେଇଥିଲେ। ସେଠାରେ ବିକ୍ଷୋଭକାରୀମାନେ ବ୍ୟାପକ ଭଙ୍ଗାରୁଜା କରିଥିଲେ। ଆଉ ଏହା ପରେ ବିକ୍ଷୋଭକାରୀମାନେ ରାନିଲ ବିକ୍ରମସିଂଘେଙ୍କ ଘର ଅଭିମୁଖେ ଯାଉଥିବାବେଳେ ପୁଲିସ ଲୁହବୁହା ଗ୍ୟାସ ଗୁଳି ଚଳାଇଥିଲା।
ତଥାପି ବି ବିକ୍ଷୋଭକାରୀମାନେ ଏହାକୁ ଖାତିର ନକରି ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଧଶେଇ ପଶିଥିଲେ। ପରେ ତାଙ୍କ ବାସଭବନରେ ନିଆଁ ଲଗାଇଦେଇଥିବା ସୂଚନା ମିଳିଛି। ଉଲ୍ଲେଖ ଥାଉ କି ଦୀର୍ଘଦିନ ଧରି କୁହୁଳୁଥିବା ଅସନ୍ତୋଷ ଆଜି ବିରାଟ ଆକାର ନେଇଥିଲା। ଲକ୍ଷ ଲକ୍ଷ ବିକ୍ଷୋଭକାରୀ ରାଷ୍ଟ୍ରପତି ଭବନକୁ ଘେରାଉ କରିବା ସହ ଭିତରକୁ ପଶିବା ଉଦ୍ୟମ କରିବାରୁ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ରାଷ୍ଟ୍ରପତି ଭବନ ଛାଡି ପଳାଇଥିଲେ। ଗତ କିଛି ମାସ ଧରି ଶ୍ରୀଲଙ୍କାର ଆର୍ଥିକ ଅବସ୍ଥା ଶୋଚନୀୟ ସ୍ଥିତିକୁ ଚାଲି ଆସିଥିବା ବେଳେ ଋଣ ବୋଝରେ ଦିନକୁ ଦିନ ତଳକୁ ଦବିବାରେ ଲାଗିଛି ଶ୍ରୀଲଙ୍କା। କିଛି ମାସ ହେଲାଣି ଦେଶରେ ଇନ୍ଧନ ଅଭାବ ସହ ସ୍କୁଲ ବନ୍ଦ ହେବା ଓ ଅଫିସ କାମ ଘରୁ ଆରମ୍ଭ ହେବା ପରେ ଏବେ ରାସ୍ତାକୁ ଲୋକେ ଓହ୍ଲାଇଛନ୍ତି।
