ଅଗଷ୍ଟ ୨୩ରୁ ଏକକ ପିଜି ଏଂଟ୍ରାନ୍ସ
- ଅଗଷ୍ଟ ୧୯ସୁଦ୍ଧା ୟୁଜି ଫାଇନାଲ ସେମିଷ୍ଟାର
- ଅଗଷ୍ଟ ୩୧ ସୁଦ୍ଧା ପିଜି ଫାଇନାଲ ସେମିଷ୍ଟାର
- ଅକ୍ଟୋବର ୧୫ରୁ ପିଜି ନାମଲେଖା
- ସେପ୍ଟେମ୍ବର ୨୭ ମଧ୍ୟରେ ରେଜଲ୍ଟ
ଭୁବନେଶ୍ୱର : ସମସ୍ତ ଅଣ୍ଡର ଗ୍ରାଜୁଏଟ୍ ଫାଇନାଲ ସେମିଷ୍ଟାର ପରୀକ୍ଷା (ବ୍ୟାକ୍ ପେପରକୁ ଛାଡ଼ି) ଅଗଷ୍ଟ ୧୯ ତାରିଖ ସୁଦ୍ଧା ଶେଷ ହେବ । ସେହିପରି ୟୁଜିର ବ୍ୟାକ୍ ପେକର ସମେତ ଫାଇନାଲ ସେମିଷ୍ଟାର ପରୀକ୍ଷା ଫଳ ସେପ୍ଟେମ୍ବର ୨୭ ତାରିଖ ସୁଦ୍ଧା ପ୍ରକାଶ ପାଇବ । ସମସ୍ତ ପିଜି ଫାଇନାଲ ସେମିଷ୍ଟାର ପରୀକ୍ଷା ୨୦୨୧ ମସିହା ଅଗଷ୍ଟ ୩୧ ତାରିଖ ସୁଦ୍ଧା ସଂପନ୍ନ ହୋଇ ପିଜି ଫାଇନାଲ ସେମିଷ୍ଟର ପରୀକ୍ଷା ଫଳ ସେପ୍ଟେମ୍ବର ୨୦ ତାରିଖ ସୁଦ୍ଧା ପ୍ରକାଶ ପାଇବ । ଏଥି ସହିତ ୨୦୨୧ ବର୍ଷର ଏକକ ପିଜି ପ୍ରବେଶିକା ପରୀକ୍ଷା ମସିହା ଅଗଷ୍ଟ ୨୩ ତାରିଖରୁ ସେପ୍ଟେମ୍ବର ୧ ତାରିଖ ମଧ୍ୟରେ ଶେଷ କରାଯିବ । ପିଜି ଶ୍ରେଣୀରେ ନାମଲେଖା ଅକ୍ଟୋବର ୧୫ ତାରିଖରୁ ଆରମ୍ଭ ହେବ । ଆଜି ଅନୁଷ୍ଠିତ ରାଜ୍ୟ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କ ସମ୍ମିଳନୀରେ ଉପରୋକ୍ତ ସୂଚନା ପ୍ରଦାନ କରାଯାଇଛି । ଆଜି ଲୋକସେବା ଭବନର କନ୍ଭେନ୍ସନ୍ ସେଂଟରଠାରେ ଆୟୋଜିତ କୁଳପତିମାନଙ୍କ ସମ୍ମିଳନୀରେ ଯୋଗଦେଇ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି ଯେ ରାଜ୍ୟରେ ଏକ ଉତମ ଶୈକ୍ଷିକ ବାତାବରଣ ମଧ୍ୟରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଗୁଣାତ୍ମକ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାର ସର୍ବଦା ପ୍ରାଥମିକତା ପ୍ରଦାନ କରୁଛନ୍ତି । ଉଚ୍ଚଶିକ୍ଷାର ଗୁଣାତ୍ମକ ଅଭିବୃଦ୍ଧି ନିମନ୍ତେ ଅନେକଗୁଡ଼ିଏ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ଏହାର ସଫଳ ରୂପାୟନ ନିମନ୍ତେ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କର ଦୃଢ଼ ନେତୃତ୍ୱ ଆବଶ୍ୟକ । କୁଳପତିମାନେ କାର୍ଯ୍ୟକ୍ଷେତ୍ରରେ ଉଦାହରଣ ସୃଷ୍ଟି କରି ବିଶ୍ୱବିଦ୍ୟାଳୟଗୁଡ଼ିକୁ ଗୋଟିଏ ଗୋଟିଏ ଉତ୍କର୍ଷ କେନ୍ଦ୍ରରେ ପରିଣତ କରିବା ପାଇଁ ମନ୍ତ୍ରୀ ଡ. ସାହୁ ପରାମର୍ଶ ଦେଇଛନ୍ତି ।
କୋଭିଡ୍-୧୯ ମହାମାରୀ ଯୋଗୁ ଶିକ୍ଷା ବ୍ୟବସ୍ଥା ବ୍ୟାପକ ଭାବରେ ପ୍ରଭାବିତ ହୋଇଥିଲେ ମଧ୍ୟ ଗତ ବର୍ଷ ୟୁଜି ଓ ପିଜିରେ ଶେଷ ବର୍ଷ/ଶେଷ ସେମିଷ୍ଟାର ପରୀକ୍ଷା କରାଯାଇଥିଲା ଏବଂ ଚଳିତ ବର୍ଷ ମଧ୍ୟ ଅନ୍ଲାଇନ୍ ମାଧ୍ୟମରେ ୟୁଜି ଓ ପିଜି ଶେଷବର୍ଷ/ଶେଷ ସେମିଷ୍ଟାର ପରୀକ୍ଷା ସଫଳତାର ସହ ସଂପନ୍ନ ହେବ ବୋଲି ମନ୍ତ୍ରୀ ଡ. ସାହୁ ଆଶା ପ୍ରକଟ କରିଥିଲେ । ଏଥି ସହିତ କୁଳପତିମାନଙ୍କ ପରାମର୍ଶରେ ୨୦୨୧ ମସିହାର ଏକକ ପିଜି ପ୍ରବେଶିକା ପରୀକ୍ଷା କରାଯିବ ବୋଲି କହିଥିଲେ । ଏଥି ସହିତ ପିଏଚ୍ଡ଼ି ପ୍ରୋଗ୍ରାମରେ ଅହେତୁକ ବିଳମ୍ବକୁ ହ୍ରାସ କରିବା ନିମନ୍ତେ ପିଏଚ୍ଡି ରେଜିଷ୍ଟ୍ରେସନ୍, ପରୀକ୍ଷା ଫଳ ପ୍ରକାଶନ ଏବଂ ମୌଖିକ ପରୀକ୍ଷା ଆଦି କ୍ଷେତ୍ରରେ ସର୍ବାଧିକ ସ୍ୱଚ୍ଛତା ଓ ଉତରଦାୟିତ୍ୱ ରହିବା ଆବଶ୍ୟକ ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ । ଏଥି ନିମନ୍ତେ ୫-‘ଟି’ କାର୍ଯ୍ୟକ୍ରମ ଆଧାରରେ ସର୍ବୋଚ୍ଚ ସମୟସୀମା ନିର୍ଦ୍ଧାରଣ କରିବା ପାଇଁ ମନ୍ତ୍ରୀ ଡ. ସାହୁ କହିଥିଲେ । ଏଥି ସହିତ ବିଶ୍ୱବିଦ୍ୟାଳୟର ପରିଚାଳନାକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ଇ-ସ୍ପେସ୍/ଇ-ଡେସ୍ପାଚ୍/ଇ-ଅଫିସ୍ ଆଦି ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ଓ ଛାତ୍ରଛାତ୍ରୀଙ୍କ ମାଇଗ୍ରେସନ୍, ରେଜିଷ୍ଟ୍ରେସନ୍ ଏବଂ ଅରିଜିନାଲ ସାର୍ଟିଫିକେଟ୍ ଆଦି ପ୍ରଦାନ କ୍ଷେତ୍ରରେ ପ୍ରଯୁକ୍ତି ବିଦ୍ୟାର ବହୁଳ ପ୍ରୟୋଗ ଉପରେ ମନ୍ତ୍ରୀ ଡ. ସାହୁ ବୈଠକରେ ଗୁରୁତ୍ୱ ପ୍ରଦାନ କରିଥିଲେ । ବୈଠକରେ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର, ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଅଶୋକ ଦାସ ଏବଂ କୁଳପତିମାନେ ଯୋଗଦେଇ ୟୁଜି ଓ ପିଜି ଶେଷବର୍ଷ/ଶେଷ ସେମିଷ୍ଟାର ପରୀକ୍ଷା ପରିଚାଳନା ବିଷୟରେ ବିଶଦ ଭାବରେ ଆଲୋଚନା କରିଥିଲେ । ବୈଠକରେ ରାଜ୍ୟ ବିଶ୍ୱବିଦ୍ୟାଳୟର କୁଳପତି, ରେଜିଷ୍ଟ୍ରାର, ପରୀକ୍ଷା ନିୟନ୍ତ୍ରକ, ବିତ ନିୟନ୍ତ୍ରକଙ୍କ ସମେତ ଉଚ୍ଚଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ ।
