ରାଜ୍ୟରେ ବୃହତ ପୁଞ୍ଜିନିବେଶ ଓ ଭିତିଭୂମି ପ୍ରକଳ୍ପରେ ଉଲ୍ଲେଖନୀୟ ଅଗ୍ରଗତି
ନିର୍ଦ୍ଧାରିତ ସମୟରେ ପ୍ରକଳ୍ପ ପୂର୍ଣ୍ଣାଙ୍ଗ ପାଇଁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର : ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବଡ଼ ବଡ଼ ଭିତିଭୂମି ବିକାଶ ଏବଂ ପୁଞ୍ଜିନିବେଶ ପ୍ରକଳ୍ପ ଗୁଡ଼ିକର କାର୍ଯ୍ୟାନ୍ୱୟନରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ କମିଟି ପୁଞ୍ଜିନିବେଶ ପ୍ରକଳ୍ପ ତଦାରଖ ଗ୍ରୁପ୍ (ସିସିଆଇପିଏମଜି) ବୈଠକର ଆଲୋଚନାରୁ ଏହା ଜଣାପଡିଛି ।
ଆଜି ରାଜ୍ୟ ଲୋକସେବା ଭବନରୁ ଡ଼ିଜିଟାଲ୍ ମୋଡ୍ ରେ ଅନୁଷ୍ଠିତ ଏହି ବୈଠକରେ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା ପ୍ରକଳ୍ପ ଗୁଡ଼ିକର କ୍ଷେତ୍ରସ୍ତରୀୟ ଅସୁବିଧା ସମ୍ବନ୍ଧିତ ସଦ୍ୟତନ ତଥ୍ୟ ଆଲୋଚନା ପାଇଁ ଉପସ୍ଥାପନ କରିଥିଲେ । ପ୍ରକଳ୍ପଗୁଡିକର ବିଭିନ୍ନ ପର୍ଯ୍ୟାୟକାମ ପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବ ସମୟ ସାରଣୀ ନିର୍ଦ୍ଧାରଣ କରିବା ସହ ତଦନୁଯାୟୀ କାର୍ଯ୍ୟ ତ୍ୱରାନ୍ୱିତ କାର୍ଯ୍ୟାନ୍ୱୟନ ନିମନ୍ତେ ଆବଶ୍ୟକୀୟ ସହଯୋଗ ଯୋଗାଇବାକୁ ସଂପୃକ୍ତ ଜିଲ୍ଲାପ୍ରଶାସନ ଓ ସରକାରୀ ବିଭାଗ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପ୍ରକଳ୍ପ ପୂର୍ଣ୍ଣାଙ୍ଗ କରିବାକୁ ଶ୍ରୀ ମହାପାତ୍ର ପ୍ରକଳ୍ପ କାର୍ଯ୍ୟାନ୍ୱୟନ ସଂସ୍ଥାମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଭାରତ ସରକାରଙ୍କ ଶିଳ୍ପ ଏବଂ ଅନ୍ତଃ-ବାଣିଜ୍ୟ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ଅମ୍ରିତ୍ ଲାଲ୍ ମୀନା ପ୍ରକଳ୍ପ ଗୁଡ଼ିକର ତ୍ୱରାନ୍ୱିତ କାର୍ଯ୍ୟାନ୍ୱୟନ ଏବଂ କ୍ଷେତ୍ରସ୍ତରୀୟ ସମସ୍ୟାର ସମାଧାନ ଦିଗରେ ରାଜ୍ୟ ଓ ଜିଲ୍ଲା ପ୍ରଶାସନଙ୍କ ପ୍ରଚେଷ୍ଟାର ଉଚ୍ଚ ପ୍ରଶଂସା କରିଥିଲେ । ବୈଠକରେ ୨୯ ଟି ବୃହତ ପୁଞ୍ଜିନିବେଶ ପ୍ରକଳ୍ପର ସମୀକ୍ଷା ହୋଇଥିଲା । ଏ ସବୁ ମାଧ୍ୟମରେ ପ୍ରାୟ ୧,୨୯,୮୦୩ କୋଟି ଟଙ୍କା ବିନିଯୋଗ ହେବବୋଲି ପ୍ରମୁଖ ଶାସନ ସଚିବ ଶ୍ରୀ ଶର୍ମା ଜଣାଇଥିଲେ । ରେଳବାଇ କ୍ଷେତ୍ରରେ ବାଂଶପାଣି-ଜଖପୁରା ରେଳ ଲାଇନ୍ ଦୋହରୀକରଣ, ରାଉରକେଲା-ଝାରସୁଗୁଡ଼ା ରେଳ ଟ୍ରାକ୍ ର ୩ୟ ଲାଇନ୍, ଭଦ୍ରକ-ନେରର୍ଗୁଣ୍ଡି ଟ୍ରାକ୍ ର ୩ୟ ଲାଇନ୍, ହାତିଆ-ବଣ୍ଡମୁଣ୍ଡା ରେଳ ଲାଇନ୍ ର ଦୋହରୀକରଣ, ବୁଢ଼ାପଙ୍କ-ଶାଳଗାଁ ରେଳ ଟ୍ରାକର ୩ୟ ଏବଂ ୪ର୍ଥ ଲାଇନ୍, ବିଜୟ ନଗରମ୍-ଟିଟିଲାଗଡ଼ ଟ୍ରାକର୍ ୩ୟ ଲାଇନ୍, ସମ୍ବଲପୁର-ତାଳଚେର ଲାଇନ୍ ର ଦୋହରୀକରଣ, ଖୋର୍ଦ୍ଧା-ବଲାଙ୍ଗିର ବ୍ରୋଡ୍ ଗଜ୍ ଲାଇନ୍, ତାଳଚେର-ବିମଲାଗଡ଼ ରେଳ ଲାଇନ୍, ଅନୁଗୁଳ-ସୁକିନ୍ଦା ନୂଆ ରେଳ ଲାଇନ୍, ଅନୁଗୁଳ-ବଳରାମ-ପୁଡ଼ିଗଡ଼ା ରେଳ ଲାଇନ୍, ବଣ୍ଡାମୁଣ୍ଡା-ରାଉରକେଲା ଟ୍ରାକ୍ ର ୪ର୍ଥ ଲାଇନ୍, ଝାରସୁଗୁଡ଼ା-ବିଳାଶପୁର ରେଳ ଟ୍ରାକ୍ ର ୪ର୍ଥ ଲାଇନ୍, ଏବଂ ସମ୍ବଲପୁର-ଟିଟିଲାଗଡ଼ ରେଳ ଟ୍ରାକ୍ ର ଦୋହରୀକରଣ ଆଦି ପ୍ରକଳ୍ପର ସମୀକ୍ଷା ହୋଇଥିଲା ।
ସେହିପରି ପାରାଦ୍ୱୀପ-ହାଇଦ୍ରାବାଦ ଉତ୍ପାଦ ପରିବହନ ପାଇପ୍ ଲାଇନ୍, ଜଗଦୀଶପୁର-ହଳଦୀଆ-ବୋକାରୋ-ଧାମରା ପାଇପ୍ ଲାଇନ୍, ଏମ୍.ସି. ଏଲ ର ୩ଟି କୋଇଲା ଖଣି ପ୍ରକଳ୍ପ, ନାଲ୍-କୋର ୨ଟି କୋଇଲା ଖଣି ପ୍ରକଳ୍ପ ଆଦିର ଅଗ୍ରଗତି ସମୀକ୍ଷା ହୋଇଥିଲା । ଜାତୀୟ ରାଜପଥ କର୍ତୁପକ୍ଷଙ୍କର ୬ଟି ରାଜପଥ ଉନ୍ନୟନ ପ୍ରକଳ୍ପ, ନାଲକୋର ୫ମ ଷ୍ଟ୍ରିମ୍ ରାଇଫାଇନାରୀ ସଂପ୍ରସାରଣ ପ୍ରକଳ୍ପ ଓ ଭାରତ ନେଟ୍ ଆଦି ପ୍ରକଳ୍ପର ଅଗ୍ରଗତି ମଧ୍ୟ ସମୀକ୍ଷା ହୋଇଥିଲା । ଏହି ସବୁ ପ୍ରକଳ୍ପ ନିମନ୍ତେ ଜଙ୍ଗଲ ଜମି ଅନୁମତି, କ୍ଷତିପୁରଣ ଆବଂଟନ, ସତ୍ୱାଧିକାର ପ୍ରମାଣପତ୍ର, ସରକାରୀ ଜମିରେ କାର୍ଯ୍ୟପାଇଁ ଆଗୁଆ ଅନୁମତି, କ୍ଷତିପୂରକ ବନୀକରଣ ବିଦ୍ୟୁତ୍ ଏବଂ ଫୋନ୍ ସଂଚାର ଟାୱାରର ସ୍ଥାନାନ୍ତରୀକରଣ ଆଦି ପ୍ରାୟ ୭୩ ଟି ବିଭିନ୍ନ ସମସ୍ୟାର ଅନୁଶୀଳନ ହୋଇ ଆଶୁ ସମାଧାନ ପନ୍ଥାମାନ ନିର୍ଦ୍ଧାରଣ କରାଯାଇଥିଲା । ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ କରୁଥିବା ସଂସ୍ଥାମାନେ ସିଧା ସଳଖ ନିଜ ନିଜର ସମସ୍ୟା ଓ ଅଗ୍ରଗତି ବିଷୟ ବୈଠକରେ ଜଣାଇଥିଲେ । ସଂପୃକ୍ତ ଜିଲ୍ଲାମାନଙ୍କରୁ ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀମାନେ କ୍ଷେତ୍ରସ୍ତରୀୟ ସଦ୍ୟତନ ତଥ୍ୟ ଉପସ୍ଥାପନ କରିଥିଲେ । ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା, ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡଃ ମୋନା ଶର୍ମା, ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା, ରେଳବାଇ କମିଶନର ତଥା ସୂଚନା ଓ ପ୍ରଯୁକ୍ତିବିଦ୍ୟା ଶାସନ ସଚିବ ମନୋଜ କୁମାର ମିଶ୍ରଙ୍କ ସମେତ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ, ଶାସନ ସଚିବ ଓ ବରିଷ୍ଠ ଅଧିକାରୀ ମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
