ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗା ଘଟଣା : ସ୍ଥିତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ ଓ ଡିଜିପି
ପୁରୀ : ରୋଷଘର ଚୁଲି ଭଂଗା ଘଟଣାର ଶ୍ରୀମନ୍ଦିର ଯାଇ ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ଓ ଡିଜିପି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, ଘଟଣାର ଯାଞ୍ଚ କରାଯାଉଛି । ଖୁବଶୀଘ୍ର ଅପରାଧୀଙ୍କୁ ଧରାଯିବ । ସୁଆର ମହାସୁଆର ନିଯୋଗ ଓ ସୁଆର ନିଯୋଗ ମଧ୍ୟରେ ବିବାଦ ନାହିଁ, ଯେଉଁଠି ତାଲା ନାହିଁ ସେଠି ଖୁବଶୀଘ୍ର ତାଲା ପଡ଼ିବ ବୋଲି ସେ କହିଛନ୍ତି । ସିସିଟିଭି ଫୁଟେଜରୁ ସୁରାକ ମିଳିଛି, ଖୁବଶୀଘ୍ର ଅପରାଧୀଙ୍କୁ ଧରାଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି । ରାତିରେ ଜଣେ ବ୍ୟକ୍ତି ରୋଷଘରେ ଏଭଳି କାଣ୍ଡ କରିଥିବା ସୂଚନା ମିଳିଛି । ଭବିଷ୍ୟତରେ ଯେଭଳି ଏପରି ନଘଟେ ସେନେଇ ପଦକ୍ଷେପ ନିଆଯିବ । ଘଟଣାର ତଦନ୍ତ ଚାଲିଛି, ଖୁବଶୀଘ୍ର ସତ ଉନ୍ମୋଚିତ ହେବ ବୋଲି ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ କହିଛନ୍ତି ।
ଆଜି ସିସିଟିଭି ଯାଂଚ କରାଯାଇଛି । ସିସିଟିଭ ଯାଂଚ ପରେ ଜଣେ ବ୍ୟକ୍ତି ରୋଷଘରେ ପ୍ରବେଶ କରିଥିବା ଜଣାପଡ଼ିଛି । ତେବେ ସଂପୃକ୍ତ ବ୍ୟକ୍ତି ଜଣକ କିଏ ତାହା ଜଣାପଡ଼ି ନାହିଁ । ପୁଲିସ ପକ୍ଷରୁ ସିସିଟିଭି ତଦନ୍ତ ଜାରି ରହିଛି । ସିସିଟିଭି ଯାଂଚ ସମୟରେ ମହାସୁଆର ନିଯୋଗର ସଭାପତି ନାରାୟଣ ମହାସୁଆର ଓ ଅନ୍ୟ କର୍ମକର୍ତ୍ତମାନେ ଉପସ୍ଥିତ ଥିଲେ । ଶ୍ରୀମନ୍ଦିର ଫାଣ୍ଡି କେଂଟ୍ରାଲ ରୁମରେ ସିସିଟିଭି ଫୁଟେଜ ଯାଂଚ କରାଯାଇଥିଲା । ଏହା ପୂର୍ବରୁ ଘଟଣାର ତଦନ୍ତ ପାଇଁ ଗତକାଲି ସୁରକ୍ଷା ପ୍ରଶାସକ ଭିଏସ୍ ଚନ୍ଦ୍ରଶେଖର ରାଓ ଓ ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁଙ୍କୁ ନେଇ ୨ ଜଣିଆ କମିଟି ଗଠିତ ହୋଇଥିଲା । ପ୍ରାଥମିକ ପର୍ଯ୍ୟାୟରେ ଧୋପଖାଳ, ପାଇକ, ଦ୍ୱାରପାଳିଆ ଓ ଅଙ୍ଗାରିଆ ସେବାୟତଙ୍କୁ ଜେରା କରାଯାଇଛି ।
ସୂଚନା ଯେ, ଶ୍ରୀମନ୍ଦିର ରୋଷଘରେ ଗତକାଲି ୪୦ରୁ ଅଧିକ ଚୁଲିକୁ ଭାଙ୍ଗି ଦିଆଯାଇଥିଲା । ପିଠାଆଡ଼ର ୧୫, ଥାଳି ଆଡର ୧୦/୧୨ଟି, ସାତପୁରୀର ୧୦/୧୨ଟି, ଅହିଆ(ଡ଼ାଲି, ତରକାରୀ ରନ୍ଧା ପାଇଁ ବଡ ଚୁଲି) ୨ଟା, କୋଠ ଭୋଗ ଚୁଲି ୨ଟା, ତୁଣ ସୁଆରଙ୍କ ୨ଟି ଚୁଲି ଆଦି ରହିଛି । ଗତକାଲି ବଡ଼ସିଂହାର ଭୋଗ ଶେଷ ପରେ ଏଭଳି କାଣ୍ଡ କେହି ଭିଆଇ ଥିବା ଅନୁମାନ କରାଯାଉଛି । ଚୁଲିକୁ ନେଇ ସେବାୟତଙ୍କ ବିବାଦ ଏହାର କାରଣ ବୋଲି କେହି କହୁଛନ୍ତି । ଅନ୍ୟପଟେ ରୋଷ ଦୁଆରୀ, ରୋଷ ପାଇକ ପାଉଣା ବିବାଦ ପାଇଁ ଏଭଳି ହୋଇଥାଇପାରେ ବୋଲି କେହି କେହି କହୁଛନ୍ତି । ରୋଷ ଘରେ ସିସି ଟିଭି ଲାଗିଥିବାରୁ ଏହାର ବିଧିବଦ୍ଧ ଯାଂଚ ପାଇଁ ସେବାୟତ ମହଲ ଦାବି କରିଛନ୍ତି । କୋଠ ଭୋଗ ଚୁଲା ଭାଙ୍ଗି ଯାଇଥିବାରୁ ବହୁ ଦିନ ପରେ ଗତକାଲି କଡେଇରେ କୋଠ ଭୋଗ ପ୍ରସ୍ତୁତ ହୋଇ ମହାପ୍ରଭୁଙ୍କୁ ଲାଗି ହୋଇଥିଲା ।
