ବାଲେଶ୍ଵର ସହରରେ ଫୁଟିଲା ଗୁଳି, ଯୁବକ ଗୁରୁତର
ବାଲେଶ୍ଵର : ବାଲେଶ୍ଵର ସହରରେ ଫୁଟିଲା ଗୁଳି। ଆର୍ତ୍ତକବିରାଜ ରୋଡରେ ଶନିବାର ବିଳମ୍ବିତ ରାତିରେ ନିଶାସକ୍ତ ଅବସ୍ଥାରେ ଦୁଇ ସାଙ୍ଗଙ୍କ ମଧ୍ୟରେ ଥଟ୍ଟା ପରିହାସରୁ ଜଣେ ଅନ୍ୟ ଜଣଙ୍କ ଉପରକୁ ଗୁଳିମାଡ଼ ମାରିଥିଲା। ଏହି ଗୁଳି ଯୁବକଙ୍କ ଆଖିରେ ଗୁଳି ବାଜିଥିଲା। ଗୁରୁତର ଯୁବକ ହେଲେ କମଲ କୁମାର ଦାସ। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବାଲେଶ୍ଵର ଜିଲା ମୁଖ୍ୟଚିକିତ୍ସାଳୟ ଓ ପରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣାରେ ପୋଲିସ ଅଭିଯୁକ୍ତ ସୁଜଲ କୁମାର ଚୌଧୁରୀକୁ ମଧ୍ୟରାତ୍ରି ପ୍ରାୟ ୩ଟା୩୦ରେ ଗିରଫ କରିଛି । ତେବେ ଗୁଳିକାଣ୍ଡର କାରଣ ଏ ଯାଏଁ ସ୍ପଷ୍ଟ ହୋଇନି।
ସୂଚନା ଯେ, ଉଭୟ ସାଙ୍ଗ ବାଲେଶ୍ୱରର ଆର୍ତ୍ତକବିରାଜ ରୋଡ୍ରେ ବସି କଥା ହେଉଥିଲେ। ମାତ୍ର ହଠାତ୍ କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା ଏବଂ ପରେ କମଳଙ୍କ ଉପରକୁ ଗୁଳିମାଡ଼ କରିଥିଲେ ସୁଜଲ୍। ଗୁଳିଟି କମଳଙ୍କ ଆଖିରେ ବାଜିଥିଲା। କମଳ ତଳେ ପଡ଼ିଯାଇଥିବା ବେଳେ ସୁଜଲ୍ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଫେରାର ହୋଇଯାଇଥିବା ସୁଜଲ ବାଲେଶ୍ୱର ସ୍ଥିତ ବଳାଙ୍ଗୀ ଡିଗ୍ରୀ କଲେଜର ଛାତ୍ର ବୋଲି ଜଣାପଡିଛି । ସ୍ଥାନୀୟ ଲୋକେ ଗୁଳି ଫୁଟିବା ଶବ୍ଦ ଶୁଣି ସେଠାରେ ପହଞ୍ଚିଥିଲେ ଓ କମଳଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।
