ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ୨ ଯବାନ ଶହୀଦ
ମାଲକାନଗିରି : ଓଡିଶା-ଛତିଶଗଡ ସୀମାରେ ସୁରକ୍ଷାକର୍ମୀ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ । ତେବେ ଏଥିରେ ୨ ଜଣ ଯବାନ ଶହୀଦ ହୋଇଥିବା ଜଣାପଡିଛି। କମ୍ବିଂ ଅପରେସନ ବେଳେ ଉଭୟ ମୁହାଁମୁହିଁ ହୋଇଥିବା ସୂଚନା ମିଳିଛି । ଶହୀଦଙ୍କ ମଧ୍ୟରେ ଜଣେ ପୋଲିସ ଏଏସଆଇ ଓ ଅନ୍ୟ ଜଣେ ପ୍ଲାଟୁନ କମାଣ୍ଡର ରହିଛନ୍ତି ।
ସୂଚନା ଯେ, ମାଲକାନଗିରି-ଛତିଶଗଡ ସୀମାନ୍ତ ଜଙ୍ଗଲରେ ଶୁକ୍ରବାର ମାଓବାଦୀମାନେ ଲୁଚି ରହିଥିବା ପୋଲିସକୁ ଖବର ମିଳିଥିଲା । ଏହାପରେ ପୋଲିସ ଓ ଯବାନ ମିଳିତ କମ୍ବିଂ ଅପରେସନ ଆରମ୍ଭ କରିଥିଲେ । ତେବେ ଯବାନଙ୍କୁ ଦେଖି ମାଓବାଦୀମାନେ ଗୁଳି ଚାଳନା କରିଥିଲେ । ଫଳରେ ଯବାନମାନେ ମଧ୍ୟ ପାଲଟା ଜବାବ ଦେଇଥିଲେ । ତେବେ ଉଭୟ ପକ୍ଷ ଗୁଳି ବିନିମୟରେ ୨ ଜଣ ଯବାନ ଶହୀଦ ହୋଇଥିବା ସୂଚନା ମିଳିଛି । ତେବେ କେତେ ମାଓବାଦୀଙ୍କ ଜୀବନ ଯାଇଛି ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ତଥ୍ୟ ମିଳିପାରି ନାହିଁ ।
