ଇଂଲଣ୍ଡକୁ ଝଟକା : ଟି-୨୦ ବିଶ୍ଵକପ୍ରୁ ବାଦ୍ ପଡିଲେ ସାମ କରନ
ନୂଆଦିଲ୍ଲୀ : ଟି-୨୦ ବିଶ୍ଵ କପ୍ ଆରମ୍ଭ ପୂର୍ବରୁ ଇଂଲଣ୍ଡ ଦଳକୁ ଜୋରଦାର ଝଟକା। ତାରକା ଅଲରାଉଣ୍ଡର ସାମ କରନ ଆହତ କାରଣରୁ ବିଶ୍ଵ କପ୍ରୁ ବାଦ୍ ପଡିଛନ୍ତି। ଏଥିସହ ଆଇପିଏଲ ୨୦୨୧ରୁ ମଧ୍ୟ ବାହାରି ଯାଇଛନ୍ତି। ସାମଙ୍କ ସ୍ଥାନରେ ତାଙ୍କ ଭାଇ ଟମ୍ କରନଙ୍କୁ ଟି-୨୦ ବିଶ୍ଵ କପ୍ ଦଳରେ ସାମିଲ୍ କରାଯାଇଛି। ଟମ୍ କରନ ପ୍ରଥମେ ଷ୍ଟାଣ୍ଡବାଇ ଖେଳାଳି ଭାବେ ଦଳରେ ଥିଲେ। ଦ୍ରୁତ ବୋଲର ରିସ୍ ଟପ୍ଲେଙ୍କୁ ବର୍ତ୍ତମାନ ରିଜର୍ଭ ଖେଳାଳି ଭାବେ ଚୟନ କରାଯାଇଛି। ସେ ଶୀଘ୍ର ଇଂଲଣ୍ଡ ଦଳ ସହ ଯୋଗ ଦେବେ।
ଇଂଲଣ୍ଡ କ୍ରିକେଟ୍ ବୋର୍ଡ ମଙ୍ଗଳବାର ସାମ୍ କରନଙ୍କ ଆହତ ନେଇ ପ୍ରେସ ବିବୃତି ଜାରି କରିଛି। ବୋର୍ଡ କହିଛି, ସାମ ଆଇପିଏଲ ୨୦୨୧ରେ ରାଜସ୍ଥାନ ରୟାଲ୍ସ ବିପକ୍ଷ ମୁକାବିଲା ସମୟରେ ପିଠିରେ ଯନ୍ତ୍ରଣା ଅନୁଭବ କରୁଥିଲେ। ପରେ ସ୍କାନରେ ସେ ଆହତ ହୋଇଥିବା ଜଣା ପଡିଥିଲା। ସେ ଆସନ୍ତା ଦୁଇ ଦିନ ଭିତରେ ଇଂଲଣ୍ଡ ଫେରି ଆସିବେ ଏବଂ ପୁନର୍ବାର ତାଙ୍କର ସ୍କାନିଂ କରାଯିବ। ଇସିବିର ମେଡିକାଲ୍ ଟିମ୍ ମଧ୍ୟ ଚଳିତ ସପ୍ତାହରେ ତାଙ୍କ ସ୍ଥିତିର ସମୀକ୍ଷା କରିବେ।
ଟି-୨୦ ବିଶ୍ଵ କପ୍ ପାଇଁ ଇଂଲଣ୍ଡ ଦଳ
ଇଅନ ମୋର୍ଗାନ(ଅଧିନାୟକ), ମୋଇନ ଅଲ୍ଲୀ, ଜୋନି ବେୟାରଷ୍ଟୋ, ସାମ ବିଲିଙ୍ଗ୍ସ, ଜୋସ ବଟଲର, ଟମ କରନ, କ୍ରିସ୍ ଜୋର୍ଡାନ, ଲିୟାମ ଲିଭିଙ୍ଗଷ୍ଟୋନ, ଡେଭିଡ୍ ମଲାନ, ଟାଇମଲ ମିଲ୍ସ, ଆଦିଲ ରଶିଦ, ଜାସନ ରୟ, ଡେଭିଡ୍ ଓ୍ଵିଲି, କ୍ରିସ୍ ଓ୍ଵକ୍ସ, ମାର୍କ ଉଡ୍।
ରିଜର୍ଭ ଖେଳାଳି– ଲିୟାମ ଡାସନ, ରିସ୍ ଟୋପଲେ, ଜେମ୍ସ ଭିନ୍ସ।
