ଆଜିଠାରୁ ଷୋଳପୂଜା ଆରମ୍ଭ
ପୁରୀ : ଶାରଦୀୟ ଦୁର୍ଗାପୂଜା ପାଇଁ ଆଜିଠାରୁ ଶ୍ରୀକ୍ଷେତ୍ରରେ ଷୋଳପୂଜା ଆରମ୍ଭ ହୋଇଛି । ଏହାସହ ମୂଳାଷ୍ଟମୀ ଅବସରରେ ମାଆଙ୍କୁ ସହସ୍ରା କୁମ୍ଭାଭିଷେକ ପରେ ନିଦ୍ରାରୁ ଯାଗ୍ରତ କରାଯାଇ ଘଟ ସ୍ଥାପନ ଓ ଆବାହନ କରାଯାଇଛି । ଗଜପତିଙ୍କ ଶ୍ରୀନଅରରେ ଗଜପତିଙ୍କ ଅନୁପସ୍ଥିତିରେ ରାଜଗୁରୁ ୨୧ ଜଣ ବ୍ରାହ୍ମଣଙ୍କୁ ଆଚାର୍ଯ୍ୟ ବରଣ କରି ଦେବୀ ପୀଠ ମାନଙ୍କରେ ଷୋଳ ଦିନ ପୂଜାର୍ଚ୍ଚନା କରିବା ପାଇଁ ବରଣ କରିଥିଲେ । ଶ୍ରୀମନ୍ଦିରରେ ଦୁର୍ଗାମାଧବ ଉପାସନା ଆରମ୍ଭ ହୋଇଛି । ଶକ୍ତ ଓ ଶକ୍ତିଙ୍କ ଉପାସନା ସ୍ୱରୁପ ଦୁର୍ଗାମାଧବଙ୍କୁ ପୂଜା କରାଯାଇଛି । ଶ୍ରୀମନ୍ଦିରରେ ମା ବିମଳାଙ୍କ ପୀଠରେ ସହସ୍ରା କୁମ୍ଭାଭିଷେକ ସମ୍ପନ୍ନ ହୋଇଛି । ଏହାସହ ଦେବୀ ଉତ୍ଥାପନ ନୀତି ଶେଷ ହୋଇଛି । ବ୍ରାହ୍ମଣମାନଙ୍କୁ ପୁରୀ ସହରରେ ଥିବା ଶ୍ୟାମାକାଳୀ,ଦକ୍ଷିଣକାଳୀ,ରାମଚଣ୍ଡୀ,ହରଚଣ୍ଡୀ,ଅଲାମଚଣ୍ଡୀ ଓ ଅନ୍ୟ ପୀଠରେ ଷୋଳ ଦିନ ଧରି ଚଣ୍ଡୀପାଠ କରିବେ । ବ୍ରାହ୍ମଣମାନେ ହବିଷ୍ୟ ପାଳନ କରି ଏହି ପୂଜା ପାଠ ଆରମ୍ଭ କରିଛନ୍ତି । ବିଭିନ୍ନ ଦେବୀପୀଠ ଗୁଡ଼ିକରେ ଚଣ୍ଡୀପାଠରେ କମ୍ପୁଥିବା ବେଳେ ଝୁଣା ଧୂପ ବାସ୍ନାରେ ମହକୁଛି । ଷୋଳ ପୂଜା ପରେ ମାଙ୍କ ବିଜୟା ଦଶମୀ ଦଶହରା ପୂଜା ଅନୁଷ୍ଠିତ ହେବ ।
