ଶିବସେନା ଓ ଏନସିପି ମେଂଟକରି ଲଢ଼ିବେ ଗୋଆ ବିଧାନସଭା ନିର୍ବାଚନ
ମୁମ୍ବାଇ : ଶିବସେନା ଏବଂ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ଆଗାମୀ ଗୋଆ ବିଧାନସଭା ନିର୍ବାଚନରେ ମେଂଟ କରି ମିଳିତ ଭାବେ ଲଢ଼ିବାକୁ ନିଷ୍ପତି ନେଇଛନ୍ତି ବୋଲି ଶିବସେନା ନେତା ତଥା ସାଂସଦ ସଞ୍ଜୟ ରାଉତ ରବିବାର କହିଛନ୍ତି ।
ଗଣମାଧ୍ୟମ ସହିତ କଥାବାର୍ତା କରି ଶିବସେନା ନେତା ଶ୍ରୀ ରାଉତ କହିଛନ୍ତି, ଗୋଆ ବିଧାନସଭା ନିର୍ବାଚନରେ ଶିବସେନା ଏବଂ ଏନସିପି ଏକାଠି ପ୍ରତିଦ୍ୱନ୍ଦ୍ୱିତା କରିବେ । ଜାନୁଆରି ୧୮ରେ ଆସନ ଭାଗବଂଟା ଉପରେ ଆଲୋଚନା ହେବ । ଏନସିପିର ବରିଷ୍ଠ ନେତା ପ୍ରଫୁଲ ପଟେଲ ଜାନୁଆରି ୧୮ ରେ ଗୋଆରେ ଆସନ ଭାଗବଂଟା ଫର୍ମୁଲା ଉପରେ ଆଲୋଚନା କରିବେ । ଏହା ପରେ ହିଁ କିଏ କେତେ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ ତାହା ସ୍ପଷ୍ଟ ହେବ । ମହାରାଷ୍ଟ୍ର ଏବଂ ଗୋଆରେ ରାଜନୈତିକ ଗତିଶୀଳତା ଭିନ୍ନ । ଏନସିପି, ଶିବସେନା, କଂଗ୍ରେସ ମହାରାଷ୍ଟ୍ରରେ ମିଳିତ ମଂଚରେ ଅଛନ୍ତି । ତେବେ ଏହି ସମୟରେ କଂଗ୍ରେସ ରାଜ୍ୟର ଅନ୍ୟ କୌଣସି ଦଳ ସହ ମେଂଟ ନକରି ଏକାକୀ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ନିଷ୍ପତି ନେଇଛି ବୋଲି ସେ କହିଛନ୍ତି । ସୂଚନା ଯେ, ଫେବୃଆରି ୧୪ରେ ଗୋଆ ନିର୍ବାଚନ ଗୋଟିଏ ପର୍ଯ୍ୟାୟରେ ଅନୁଷ୍ଠିତ ହେବାକୁ ଯାଉଛି । ମାର୍ଚ୍ଚ ୧୦ରେ ଭୋଟ୍ ଗଣନା ଅନୁଷ୍ଠିତ ହେବ ।
