ଶିରୋମଣୀ ଅକାଳୀ ଦଳ ପକ୍ଷରୁ କୃଷି ନିୟମକୁ ବିରୋଧ କରି ବିକ୍ଷୋଭ
ନୂଆଦିଲ୍ଲୀ : ଶିରୋମଣୀ ଅକାଳୀ ଦଳର ନେତା ତଥା କାର୍ଯ୍ୟକର୍ତାମାନେ ଶୁକ୍ରବାର ସକାଳେ ଦିଲ୍ଲୀରେ ଏହି ତିନୋଟି ନୂତନ କୃଷି ଆଇନ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ଏହି କାରଣରୁ ଦିଲ୍ଲୀର ଅନେକ ସ୍ଥାନରେ ଟ୍ରାଫିକ୍ ଜାମ୍ ହୋଇଥିଲା । ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ ଅନେକ ସ୍ଥାନରେ ବ୍ୟାରିକେଡ଼ କରି ବିକ୍ଷୋଭକାରୀଙ୍କୁ ନିୟନ୍ତ୍ରଣ କରିଥିଲା ।
ଶିରୋମଣି ଅକାଳୀ ଦଳର ନେତୃତ୍ୱରେ ଗୁରୁଦ୍ୱାର ରକାବଗଂଜ ନିକଟରେ ବହୁ ସଂଖ୍ୟାରେ ଲୋକ ଏକତ୍ରିତ ହୋଇଥିଲେ । ବିକ୍ଷୋଭକାରୀମାନେ ଗୁରୁଦ୍ୱାର ରକାବଗଂଜରୁ ସଂସଦ ଗୃହକୁ ଯିବାକୁ ଅନୁମତି ମାଗିଥିଲେ । ଏହାକୁ ଦିଲ୍ଲୀ ପୋଲିସ ପ୍ରତ୍ୟାଖ୍ୟାନ କରିଥିଲା । ପରେ ଦିଲ୍ଲୀ ପୋଲିସ ବିକ୍ଷୋଭକାରୀଙ୍କୁ ଗୁରୁଦ୍ୱାର ରକବଗଂଜରୁ ପନ୍ତ ମାର୍ଗ ପର୍ଯ୍ୟନ୍ତ ଯିବାକୁ ଅନୁମତି ଦେଇଥିଲେ । ଏହି ସମୟରେ ଶିରୋମଣି ଅକାଳୀ ଦଳ ମୁଖ୍ୟ ସୁଖବୀର ବାଦଲ ଦିଲ୍ଲୀ ପୋଲିସକୁ ଏହାର କର୍ମଚାରୀମାନଙ୍କୁ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନରୁ ନିବୃତ କରିଥିବା ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ ବିଭିନ୍ନ ସ୍ଥାନରେ ବିକ୍ଷୋଭକାରୀଙ୍କୁ ଅଟକାଇ ଦିଆଯାଇଛି ।
