ଭକ୍ତଙ୍କ ପାଇଁ ଖୁସି ଖବର : ଆଜିଠୁ ଖୋଲିବ ଶିରିଡ଼ିସାଇ ଓ ସିଦ୍ଧିବିନାୟକ ମନ୍ଦିର, ଗାଇଡଲାଇନ ଜାରି
ନୂଆଦିଲ୍ଲୀ : ଭକ୍ତଙ୍କ ପାଇଁ ଖୁସି ଖବର । ଦୀର୍ଘ ଦିନ ଧରି ବନ୍ଦ ରହିଥିବା ନାସିକ୍ର ଶିରିଡ଼ି ସାଇ ମନ୍ଦିର ଓ ମୁମ୍ବାଇର ପ୍ରସିଦ୍ଧ ସିଦ୍ଧିବିନାୟକ ମନ୍ଦିରକୁ ପୁଣିଥରେ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ଏନେଇ ମହାରାଷ୍ଟ୍ର ସରକାର ଘୋଷଣା କରିଛନ୍ତି। ରାଜ୍ୟରେ କରୋନା କଟକଣା ପାଇଁ ବନ୍ଦ ଥିବା ସବୁ ଧର୍ମସ୍ଥଳୀ ଆଜି ଠାରୁ ଖୋଲିବାକୁ ଯାଉଛି । ତେବେ ମନ୍ଦିରରେ ଭକ୍ତମାନଙ୍କୁ ପ୍ରବେଶ ନେଇ ନୂଆ ଗାଇଡ୍ଲାଇନ୍ ଜାରି କରାଯାଇଛି। ମହାମାରୀର ତୃତୀୟ ଲହରକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଲୋକଙ୍କୁ କୋଭିଡ୍ ଗାଇଡଲାଇନ୍ ମାନିବାକୁ ଅନୁରୋଧ କରିଛନ୍ତି। ଧାର୍ମିକ ସ୍ଥଳ ଖୋଲୁଥିବାରୁ ଲୋକମାନେ ଫେସ୍ ମାସ୍କ ପିନ୍ଧିବା ଏବଂ ହ୍ୟାଣ୍ଡ ସାନିଟାଇଜର ବ୍ୟବହାର କରିବା ଜରୁରୀ ବୋଲି ସରକାର କହିଛନ୍ତି। ଏମିତି ସତର୍କତା ପାଳନ ପାଇଁ ଧାର୍ମିକସ୍ଥଳର ପରିଚାଳନା କମିଟି ଦାୟୀ ରହିବ ବୋଲି ସେ କହିଛନ୍ତି। ରାଜ୍ୟରେ କରୋନା ଭାଇରସ୍ ବିପଦ ଟଳି ନଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା କମୁଛି। ସରକାର କହିଛନ୍ତି ଯେ, ଯଦିଓ ଦୈନିକ କେସ ହ୍ରାସ ପାଉଛି, ତଥାପି ସମସ୍ତେ ଯତ୍ନବାନ ହେବା ଏବଂ କୋଭିଡ-୧୯ ପ୍ରୋଟୋକଲ ଅନୁସରଣ କରିବା ଉଚିତ୍।
ଆଜି ଠାରୁ ସାଧାରଣ ଲୋକଙ୍କ ପାଇଁ ଶିରିଡ଼ିରେ ସାଇ ବାବାଙ୍କ ମନ୍ଦିର ଖୋଲାଯିବ। ବାବାଙ୍କ ଭକ୍ତମାନେ ନବରାତ୍ରୀର ପ୍ରଥମ ଦିନରେ ସାଇଙ୍କୁ ଦର୍ଶନ କରି ପାରିବେ। ସାଇ ବାବା ମନ୍ଦିର ଟ୍ରଷ୍ଟର ସିଇଓ ଭାଗ୍ୟଶ୍ରୀ ବାନାୟିତ କହିଛନ୍ତି ଯେ, ଭକ୍ତଙ୍କ ପାଇଁ ବାବାଙ୍କ ମନ୍ଦିର ଖୋଲାଯିବ ଏବଂ ପ୍ରତିଦିନ ୧୫,୦୦୦ ଭକ୍ତ ସାଇଙ୍କୁ ଦର୍ଶନ କରି ପାରିବେ। ପ୍ରତି ଘଣ୍ଟାରେ କେବଳ ୧୧୫୦ ଭକ୍ତଙ୍କୁ ସାଇ ମନ୍ଦିରରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ । ଏହା ବ୍ୟତୀତ କେବଳ ୯୦ଜଣ ଭକ୍ତଙ୍କୁ ଆରତୀ ସମୟରେ ଦର୍ଶନ ପାଇଁ ଅନୁମତି ମିଳିବ । ତେବେ କରୋନାକୁ ଦୃଷ୍ଟିରେ ରଖି ଭକ୍ତମାନଙ୍କୁ କିଛି ନିୟମ ପାଳନ କରିବାକୁ ହେବ। ପ୍ରତ୍ୟେକ ଭକ୍ତଙ୍କୁ ମା୍ସ୍କ ଲଗାଇବା ବାଧ୍ୟତାମୂଳକ ରହିଛି। ମନ୍ଦିର ପ୍ରଶାସନ ବାବାଙ୍କ ଦର୍ଶନ ପାଇଁ କେବଳ ଗେଟ୍ ନମ୍ବର ୨ ଖୋଲିଛି। ଏଥିସହିତ ଭକ୍ତଙ୍କ ପ୍ରସ୍ଥାନ ପାଇଁ ଗେଟ୍ ନମ୍ବର ୪ ଏବଂ ୫କୁ ଖୋଲା ଯାଇଛି। ସେହିପରି ସିଦ୍ଧିବିନାୟକ ମନ୍ଦିରରେ ଭକ୍ତମାନଙ୍କୁ ପ୍ରେବେଶ ନେଇ ଗାଇଡ୍ଲାଇନ୍ ଜାରି କରାଯାଇଛି। ମନ୍ଦିର ଟ୍ରଷ୍ଟର ଆପରେ QR କୋଡ୍ ପ୍ରି-ବୁକିଂ ମାଧ୍ୟମରେ ଭକ୍ତମାନଙ୍କୁ ମନ୍ଦିର ପରିଦର୍ଶନ କରିବାକୁ ଅନୁମତି ଦିଆଯିବ ବୋଲି ସିଦ୍ଧି ବିନାୟକ ମନ୍ଦିର ଟ୍ରଷ୍ଟ ପକ୍ଷରୁ କୁହାଯାଇଛି। ଦର୍ଶନ ପାଇଁ ପ୍ରତି ଘଣ୍ଟାରେ କେବଳ ୨୫୦ ଭକ୍ତଙ୍କୁ QR କୋଡ୍ ପ୍ରଦାନ କରାଯିବ।
