ଖୋଲିଲା ଶିମିଳିପାଳ ଅଭୟାରଣ୍ୟ, କୋଭିଡ-୧୯ ନିୟମାବଳୀ ବାଧ୍ୟତାମୂଳକ
ବାରିପଦା : ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ। ପ୍ରତ୍ୟେକ ବର୍ଷ ଭଳି ପର୍ଯ୍ୟଟକ ମାନେ ପିଠାବଟା ଓ କାଳିଆଣି ତନଖି ଫାଟକ ଦେଇ ସକାଳ ୬ଟାରୁ ପର୍ଯ୍ୟଟକ ଭିତରକୁ ପ୍ରବେଶ କରିବେ। ଆସୁଥିବା ପର୍ଯ୍ୟଟକମାନେ କୋଭିଡ-୧୯ ନିୟମାବଳୀକୁ ଅନୁସରଣ କରିବା ବାଧ୍ୟତାମୂଳକ । ପ୍ରତି ପର୍ଯ୍ୟଟକଙ୍କ ପିଛା ୧୦୦ ଟଙ୍କା ପ୍ରବେଶ ଶୁଳ୍କ ଧାର୍ଯ୍ୟ କରାଯାଇଥିବା ବେଳେ, ମାର୍ଗଦର୍ଶିକା ଅନୁପାଳନ ସହିତ ଅଭୟାରଣ୍ୟକୁ ସ୍ୱଚ୍ଛ ରଖିବା ପାଇଁ କୁହାଯାଇଛି।
ସେହିପରି ପର୍ଯ୍ୟଟକ ମାନେ ଭିତରକୁ ପ୍ରବେଶ ସମୟରେ ନିଜ ସାଥୀରେ ପ୍ଲାଷ୍ଟିକ ସାମଗ୍ରୀ, ମାଦକ ଦ୍ରବ୍ୟ, ଆମିଷ ଓ ଅଗ୍ନି ସଂଯୋଗକାରୀ ସାମଗ୍ରୀ ଆଦି ନେବା ଉପରେ କଟକଣା ଜାରି କରାଯାଇଛି। ପର୍ଯ୍ୟଟକ ମାନେ ସାଙ୍ଗରେ ବାଧ୍ୟତାମୂଳକ ଭାବେ ବିଭାଗୀୟ ଗାଇଡ୍ ନେଇ ଯିବେ। ପିଠାବଟା ଗେଟ୍ ଦେଇ ଦୈନିକ ୨୫ଟି ଓ କାଳିଆଣି ଗେଟ୍ ଦେଇ ୩୫ ଟି ଗାଡି ଭିତରକୁ ଯାଇପାରିବେ। ଏଥର ନୂଆକରି ମାଉଣ୍ଟେନ୍ ସାଇକେଲିଂ ଭଳି ଦୁଃସାହସିକ ବ୍ୟବସ୍ଥା କରଛି ଏସ.ଟି.ଆର୍। ତାଲିମପ୍ରାପ୍ତ ଦେୟଯୁକ୍ତ ଟ୍ରେକିଂ ଗାଇଡ୍ ଙ୍କୁ ସାଙ୍ଗରେ ନେଇ ପର୍ଯ୍ୟଟକ ଅଭୟାରଣ୍ୟ ଭିତରେ ସାଇକେଲ୍ ଧରି ବୁଲି ପାରିବେ। ଆଗକୁ ପାଗ ଅନୁକୂଳ ରହିଲେ ଆସନ୍ତା ଜୁନ୍ ମାସ ପର୍ଯ୍ୟନ୍ତ ଖୋଲା ରହିବ ଶିମିଳିପାଳ। ସେହିପରି ରାତ୍ରିରହଣି ପାଇଁ ପର୍ଯ୍ୟଟକମାନେ ଓଡିଶା ଇକୋ ଟୁରିଜିମ୍ ଓ୍ବେବ୍ସାଇଟ୍ରେ ନିଜର ରହଣି ସ୍ଥାନ ଚୟନ କରିପାରିବେ । ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ଶିମିଳିପାଳ ଅଭୟାରଣ୍ୟ ଭିତରେ ଥିବା ବିଭିନ୍ନ ରାତ୍ରିରହଣି କଟେଜ୍ଗୁଡିକ ଅନେକ ରଙ୍ଗବେରଙ୍ଗରେ ସଜେଇ ହୋଇଛି । ୨୭୫୦ ବର୍ଗ କି.ମି. ପରିମିତ ଜାତୀୟ ଉଦ୍ୟାନ ଶିମିଳିପାଳ ଭିତରେ ପର୍ଯ୍ୟଟକଙ୍କ ରାତ୍ରୀ ଯାପନ ପାଇଁ ଗୁରୁଗୁଡ଼ିଆ, କୁମାରୀ, ବରେହିପାଣି, ଜାମୁଆଣି ଓ ରାମତୀର୍ଥରେ କଟେଜ୍ଗୁଡିକ ରହିଥିବା ବେଳେ ପର୍ଯ୍ୟଟକଙ୍କ ମନ ମୋହିବାକୁ ଶିମିଳିପାଳ କୋଳରେ ବହିଯାଉଥିବା ବରେହିପାଣି, ଉସ୍କି, ଜୋରନ୍ଦା ପରି ଅନେକ ଜଳପ୍ରପାତ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ । ଶିମିଳିପାଳରେ ରାତ୍ର ଯାପନ କରିବାକୁ ହେଲେ ଅନ୍ଲାଇନ୍ରେ ବୁକିଂ କରିପାରିବେ। ବୁକିଂ ପରେ ଅନୁମତି ମିଳିଲେ ପର୍ଯ୍ୟଟକମାନେ ରାତ୍ର ରହଣୀ କରିପାରିବେ। ଅଭୟାରଣ୍ୟ ଭିତରେ ପ୍ରବେଶ ସମୟରେ କୌଣସି ପର୍ଯ୍ୟଟକ ପ୍ଲାଷ୍ଟି ବୋତଲ ନେଇପାରିବେ ନାହିଁ। ପର୍ଯ୍ୟଟକଙ୍କୁ ଆକ୍ୱାଗାର୍ଡ ପାଣି ଯୋଗାଇ ଦିଆଯିବ ବୋଲି ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକ କହିଛନ୍ତି। ସୂଚନା ଯେ, ମହାମାରୀ କରୋନା ପାଇଁ ବନ୍ଦ ରହିଥିଲା ଅଭୟାରଣ୍ୟ। କରୋନାର କୋପ କମିବା ପରେ ଖୋଲିଥିଲା। ପରେ ଅର୍ଥାତ ମେ’ ୧୫ ତାରିଖରେ ବର୍ଷା ଋତୁକୁ ଆଖି ଆଗରେ ରଖି ବନ୍ଦ କରାଯାଇଥିଲା ଅଭୟାରଣ୍ୟ।
