ଘରେ ବସିବ ପ୍ରିପେଡ୍ ସ୍ମାର୍ଟ ମିଟର, ଏଣିକି ବିଦ୍ୟୁତ ବିଲ୍ ଆଦାୟ କରିବେ ଏସଏଚଜି
ଭୁବନେଶ୍ୱର : ଆଉ ଲାଗିବନି ବିଦ୍ୟୁତ କଳ। ମୋବାଇଲ୍ ଟକ୍ଟାଇମ୍ ଭଳି ଏଣିକି ବିଦ୍ୟୁତ ପାଇଁ ଘରେ ଲାଗିବ ପ୍ରିପେଡ୍ ସ୍ମାର୍ଟ ମିଟର। ସିମ୍ କାର୍ଡ ଜରିଆରେ କରିବାକୁ ହେବ ବିଲ୍ ପେମେଣ୍ଟ। ବିଧାନସଭା ଶକ୍ତି ବିଭାଗ ଷ୍ଟାଣ୍ଡିଂ କମିଟି ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏନେଇ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର।
ବିଧାନସଭାରେ ଶକ୍ତି ବିଭାଗର ଷ୍ଟାଣ୍ଡିଂ ହାଉସ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଟାଟା ପାୱାର ସାଉଥକୋର ସିଇଓ ଓ ଶକ୍ତି ବିଭାଗ ଅଧିକାରୀଙ୍କୁ ମଧ୍ୟ ଉପସ୍ଥିତ ରହିଥିଲେ । ୩-୪ଟି ଦିଗ ଉପରେ ଆଲୋଚନା ହୋଇଛି । ତେବେ ଏହି ଆଲୋଚନାରେ ଯେଉଁ ଅଞ୍ଚଳରେ ଠିକ ଭାବେ ପାୱାର ସପ୍ଲାଏ ହୋଇପାରିନି, ସେଠି କେମିତି ପାୱାର ସପ୍ଲାଏ ହେବ । କିଛି ମିଡ଼ିଲମ୍ୟାନଙ୍କ ଯୋଗୁ ଯେଉଁ ବିଜୁଳି ବିଲ ଆଦାୟ ହେଉଥିଲା, ସେଥିରେ ଟଙ୍କା ହେରଫେର ହେଉଛି । ଏଣିକି ଏସଏଚଜି ଦ୍ୱାରା ବିଲ ଆଦାୟ କରିବ କମ୍ପାନି । ଘରକୁ ଯାଇ ବିଲ ଆଦାୟ କରିବ ଏସଏଚଜି । ଯେଉଁ ଘରକୁ ଲାଇନ ଦିଆଯାଇନି, ତୁରନ୍ତ ଦିଆଯିବ । ସେହିପରି ଘରମାନଙ୍କରେ ପ୍ରିପେଡ ସ୍ମାର୍ଟ ମିଟର ଲାଗିବ । ସିମ କାର୍ଡ ଜରିଆରେ ଜଣେ ଯେତିକି ପେମେଣ୍ଟ କରିବ, ସେତିକି ବିଜୁଳି ବ୍ୟବହାର କରିବ । ପାୱାର କଟ ପୂର୍ବରୁ ଗାଁ ଗଣ୍ଡାରେ ପ୍ରଚାର ହେବା ଦରକାର । ଯେଉଁମାନେ ଆଉଟସୋର୍ସରେ କାମ କରୁଛନ୍ତି, ଟେକ୍ନିକାଲ ହେଉ ବା ନନ୍ଟେକ୍ନିକାଲ, ରାଜ୍ୟ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ମଜୁରି ଦରରେ ଅର୍ଥ ପାଇବେ । ପ୍ରତି ମାସ ଶେଷରେ ଗ୍ରାହକଙ୍କୁ ବିଲ ଦେବା ପାଇଁ କୁହାଯାଇଛି । ଠିକଣା ସମୟରେ ବିଲ ଆଦାୟ ପାଇଁ ମଧ୍ୟ ନିର୍ଦ୍ଦେଶ ରହିଛି ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି ।
