ଜିପିଏଲଏଫ ସଂଘ କାର୍ଯ୍ୟାଳୟରୁ ତାଲା ଖୋଲିବା ପାଇଁ ବ୍ଲକ ସମ୍ମୁଖରେ ସ୍ୱୟଂସହାୟକ ଗୋଷ୍ଠୀର ଧାରଣା
ବାଲିଆପାଳ : ବାଲିଆପାଳ ବ୍ଲକ ଅନ୍ତର୍ଗତ ବିଷ୍ଣୁପୁର ପଞ୍ଚାୟତର ଜିପିଏଲଏଫ (ପଞ୍ଚାୟତସ୍ତରୀୟ ଫେଡ଼େରେସନ) ସଙ୍ଘ କର୍ଯ୍ୟାଳୟରୁ ତାଲା ଖୋଲିବା ପାଇଁ ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟାମାନେ ବାଲିଆପାଳ ବ୍ଲକ ସମ୍ମୁଖରେ ଧାରଣାରେ ବସିଛନ୍ତି ।
ସୂଚନା ମୁତାବକ ଦୀର୍ଘଦିନ ଧରି ବିଷ୍ଣୁପୁର ପଞ୍ଚାୟତର ସ୍ୱୟଂସହାୟକ ଗୋଷ୍ଠୀର ମହାସଂଘର ସଦସ୍ୟା ମାନଙ୍କ ମଧ୍ୟରେ ବିଭିନ୍ନ କାରଣରୁ ବିବାଦ ଲାଗିରହିଛି । ଯାହା ଫଳରେ ବିଷ୍ଣୁପୁର ପଞ୍ଚାୟତର କାର୍ଯ୍ୟାଳୟ ପରିସରରେ ଥିବା ଜିପିଏଲଏଫ ସଙ୍ଘ କାର୍ଯ୍ୟାଳୟର ଏକ ଗୋଷ୍ଠୀର କିଛି ସଦସ୍ୟା ମାନେ ଦୀର୍ଘ ୮ମାସ ଧରି ତାଲା ପକାଇ ରଖିଛନ୍ତି । ଯାହା ଫଳରେ ସଂଘର ବିଭିନ୍ନ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି । ବିଭିନ୍ନ ସମୟରେ ସମାଧାନ ହେଉଥିଲେ ମଧ୍ୟ ସଂଘ କାର୍ଯ୍ୟାଳୟରେ ତାଲା ଝୁଲୁଛି । ଏହାର ସ୍ଥାୟୀ ସମାଧାନ ପାଇଁ ମହାସଂଘର ସଦସ୍ୟାଙ୍କ ସହିତ କିଛି ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟାମାନେ ଧାରଣାରେ ବସିଛନ୍ତି । ବାଲିଆପାଳ ବିଡିଓ ବିନୋଦ ଚନ୍ଦ୍ର ପଣ୍ଡା ୨ଦିନ ମଧ୍ୟରେ ସବୁ ସମାଧାନ କରାଯିବ ବୋଲି କହିଥିଲେ ମଧ୍ୟ ଧାରଣାକରୀ ମାନେ ସନ୍ଧ୍ୟା ପର୍ଯ୍ୟନ୍ତ ଧାରଣାରୁ ଉଠି ନଥିଲେ । ଧାରଣାକାରୀମାନେ କହଛନ୍ତି ୨ଦିନ ପୂର୍ବରୁ ବିଡ଼ିଓ ଶ୍ରୀ ପଣ୍ଡା ବିଷ୍ଣୁପୁର ପଞ୍ଚାୟତର ଜିପିଏଲ୍ଏଫ୍ ସଂଘ କାର୍ଯ୍ୟାଳୟକୁ ଯାଇ ଏହାର ସମାଧାନ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ତାଲା ପକାଇଥିବା ଗୋଷ୍ଠୀ କୌଣସି କଥା ମାନି ନଥିଲେ । ତେଣୁ ଏହାର ସ୍ଥାୟୀ ସମାଧାନ ହୋଇ ଯେ ପର୍ଯ୍ୟନ୍ତ କାର୍ଯ୍ୟାଳୟରୁ ତାଲା ଖୋଲା ଯାଇ ନାହିଁ ସେ ପର୍ଯ୍ୟନ୍ତ ଧାରଣାରେ ବସିବେ ବୋଲି ଧାରଣାରତ ପ୍ରଭାତୀ ପାତ୍ର, ପ୍ରମିଳା ପାତ୍ର, ସୁମତି ଦାସ, ଚନ୍ଦନା ସାମଲ, ମାନସୀ ପାତ୍ର, ଗୀତାଞ୍ଜଳୀ ଜେନା, ଅପରାଜିତା କର, ଶାନ୍ତିଲତା ବଢେଇ, ସୁମିତ୍ରା ଗଙ୍ଗାଇ, ତିଳୋତ୍ତମା ରାଜ, ଆରତୀ ଦାସ, ନିରୋପମା ମାଝୀ, ରେବତୀ ଧଳ, ଶ୍ୱେତପଦ୍ମା ରାଣୀ ଦାସଙ୍କ ସହିତ ବହୁ ସଦସ୍ୟା କହିଛନ୍ତି ।
