ସେୟାର ମୂଲ୍ୟରେ ହ୍ରାସ : ୪୫୦ ପଏଣ୍ଟ ଖସିଲା ସେନସେକ୍ସ
ମୁମ୍ବାଇ : ସେୟାର ମୂଲ୍ୟରେ ହ୍ରାସ । ମଙ୍ଗଳବାର କାରବାର ଆରମ୍ଭରୁ ୪୫୦ ପଏଣ୍ଟ ଖସିଲା ସେନସେକ୍ସ । ବ୍ୟାଙ୍କିଙ୍ଗ ଏବଂ ଅଟୋ ଷ୍ଟକରେ ଭାରୀ ବିକ୍ରୟ ଚାପ ଯୋଗୁଁ ସେନସେକ୍ସ ହ୍ରାସ ପାଇଛି ।
ମଙ୍ଗଳବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସଇ)ର ୩୦ ସେୟାର ଆଧାରିତ ସେୟାର ସୂଚକାଙ୍କ ସେନସେକ୍ସ ନାଲି ସଙ୍କେତ ସହ ୫୮,୦୫୯.୭୬ ପଏଣ୍ଟରେ ଖୋଲିଥିଲା ଏବଂ ପ୍ରାରମ୍ଭିକ କାରବାରରେ ୫୭,୮୪୩.୧୨ ପଏଣ୍ଟକୁ ଖସି ଯାଇଥିଲା । କିଛି ସମୟରେ ପରେ ବିଏସଇ ସୂଚକାଙ୍କ ପୁଣି ରିକଭରି କରିବା ସହ ୫୮,୧୮୭.୯୧ ପଏଣ୍ଟ ଛୁଇଁଥିଲା । ମାତ୍ର ୧୦ଟା ୫୦ ମିନିଟ୍ ସମୟରେ ପୁନର୍ବାର ହ୍ରାସ ପାଇ ୫୭,୮୩୨.୭୭ପଏଣ୍ଟକୁ ଖସିଥିଲା ଏହି ସୂଚକାଙ୍କ । ଅର୍ଥାତ୍ ଆଜି ସେନସେକ୍ସରେ ୦.୭୭% ବା ୪୫୦.୬୫ ପଏଣ୍ଟ ହ୍ରାସ ସହ ଚିତପଟ୍ଟାଙ୍ଗ ହୋଇଛି ।
ଅପରପକ୍ଷେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସଇ) ନିଫ୍ଟ ୧୭,୨୮୩.୨୦ ପଏଣ୍ଟରେ ଖୋଲିଥିଲା ଏବଂ ଦିନ ୧୦ଟା ୫୦ ମିନିଟ୍ ସମୟରେ ଏହା ୧୭,୨୩୪.୪୫ ପଏଣ୍ଟରେ କାରବାର କରିଥିଲା । ଯାହାକି ପୂର୍ବ କାରବାର ତୁଳନାରେ ୦.୭୭% କମ୍ । ଗତ କାରବାର ଦିବସରେ ଏନଏସଇ ନିଫ୍ଟ ୧୭,୩୬୮.୨୫ ପଏଣ୍ଟରେ କାରବାର ବନ୍ଦ କରିଥିଲା । ସେନସେକ୍ସ ପ୍ୟାକରେ ଆଜି ବଜାଜ ସବୁଠୁ ଅଧିକ କ୍ଷତି ସହିଛି । କମ୍ପାନୀ ସେୟାର ମୂଲ୍ୟ ୨.୩୯% ହ୍ରାସ ସହ ୧୬୯୦୬.୪୦ ପଏଣ୍ଟରେ ବନ୍ଦ ହୋଇଛି । ସେନସେକ୍ସ ପ୍ୟାକରେ କ୍ଷତି ସହିଥିବା ଅନ୍ୟ କମ୍ପାନୀଗୁଡିକ ହେଲେ କୋଟକ ବ୍ୟାଙ୍କ, ଆଇଟିସି, ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା, ଏଚଡିଏଫସି ଏବଂ ଇଣ୍ଡୁସ୍ଲଣ୍ଡ ବ୍ୟାଙ୍କ । ୩୦ ଷ୍ଟକରୁ କେବଳ ୮ଟି ଷ୍ଟକ ଆଜି ପଜିଟିଭ କାରବାର କରିଛନ୍ତି । ସେହିପରି ସେନସେକ୍ସ ପ୍ୟାକରେ ପ୍ରମୁଖ ଲାଭ ହାସଲକାରୀ ଷ୍ଟକଗୁଡିକ ହେଉଛନ୍ତି ହିନ୍ଦୁସ୍ଥାନ ୟୁନିଲେଭର, ଡ଼ ରେଡ୍ଡୀ ଏବଂ ଏନଟିପିସି ।
