୭ବର୍ଷ ପରେ ଅଭିଯୁକ୍ତ ଶଙ୍କର ଗିରଫ
କଟକ : ଦୀର୍ଘ ୭ ବର୍ଷ ପରତେ କଟକ ମାଲଗୋଦାମ ଡାଲି ବ୍ୟବସାୟୀ ମହମ୍ମଦ ୟାକୁବ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ ଆଜି ଗିରଫ କରିଛି କମିଶନରେଟ ପୋଲିସ । ଗିରଫ ହୋଇଥିବା ଅଭିଯୁକ୍ତ ଜଣକ ହେଲା ଧଳସାମନ୍ତ ଭ୍ରାତାଙ୍କ ସହଯୋଗୀ ଦୀପକ ଓରଫ ଶଙ୍କର ନାୟକ । ତାକୁ ଆଜି କଟକ ଷ୍ଟେସନବଜାରରୁ ମାଲଗୋଦାମ ଥାନା ପୋଲିସ ଗିରଫ କରିଥିଲା । ସେ ରାଜ୍ୟ ବାହାରକୁ ପଳାଇବାକୁ ଚେଷ୍ଟା କରୁଥିଲା ବେଳେ ପୋଲିସ ତାକୁ କାବୁ କରିନେଇଥିଲା । ତା ନିକଟରୁ ଗୋଟିଏ ପିସ୍ତଲ ଓ ଦୁଇ ରାଉଣ୍ଡ ଗୁଳି ଜବତ କରାଯାଇଛି । ସୂଚନାଯୋଗ୍ୟ ଯେ, ମାଲଗୋଦାମ ଡାଲି ବ୍ୟବସାୟୀ ମହମ୍ମଦ ୟାକୁବଙ୍କୁ ତାଙ୍କ ଗୋଦାମ ଆଗରେ ଗୁଳି କରି ହତ୍ୟା କରାଯାଇଥିଲା । ତେବେ ଦୀର୍ଘ ୭ ବର୍ଷ ପରେ ତାକୁ ଧରିବାରେ କମିଶନରେଟ ପୋଲିସ ସଫଳ ହୋଇଛି ।
