ଯୌନ ନିର୍ଯାତନା ମାମଲା : ପ୍ରଜ୍ବଳ ରେଭନ୍ନାଙ୍କ ବିରୋଧରେ ବ୍ଲୁ କର୍ଣ୍ଣର ନୋଟିସ୍ ଜାରି
ବେଙ୍ଗାଲୁରୁ: ଯୌନ ନିର୍ଯାତନା ମାମଲାରେ ଅଭିଯୁକ୍ତ ପ୍ରଜ୍ବଳ ରେଭନ୍ନାଙ୍କ ବିରୋଧରେ ବ୍ଲୁ କର୍ଣ୍ଣର ନୋଟିସ୍ ଜାରି କରାଯାଇଛି । କର୍ଣ୍ଣାଟକ ଗୃହମନ୍ତ୍ରୀ ଜି ପରମେଶ୍ୱର ଏହି ସୂଚନା ଦେଇଛନ୍ତି। ହାସନ ସାଂସଦ ତଥା ଏନଡିଏ ପ୍ରାର୍ଥୀ ପ୍ରଜ୍ବଳଙ୍କୁ ଭାରତ ଫେରାଇ ଆଣିବା ପାଇଁ ଇଣ୍ଟରପୋଲର ସହାୟତା ନିଆଯିବ ବୋଲି ସେ କହିଛନ୍ତି ।
ଏକ ଅପରାଧିକ ମାମଲାରେ ଫେରାର ଅଭିଯୁକ୍ତର ପରିଚୟ, ଅବସ୍ଥାନ କିମ୍ବା ଗତିବିଧି ସମ୍ପର୍କରେ ସଦସ୍ୟ ରାଷ୍ଟ୍ରମାନଙ୍କ ଠାରୁ ଅତିରିକ୍ତ ସୂଚନା ସଂଗ୍ରହ କରିବା ପାଇଁ ଆନ୍ତର୍ଜାତିକ ପୋଲିସ ସହଯୋଗ ସଂସ୍ଥା (ଇଣ୍ଟରପୋଲ) ଦ୍ୱାରା ବ୍ଲୁ କର୍ଣ୍ଣର ନୋଟିସ ଜାରି କରାଯାଏ |
ଏନେଇ ମନ୍ତ୍ରୀ କହିଛନ୍ତି ଯେ ‘ଯୌନ ଶୋଷଣ’ ଅଭିଯୋଗର ଯାଞ୍ଚ ପାଇଁ ଗଠିତ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ (ଏସ୍ଆଇଟି) ପ୍ରଜ୍ବଳଙ୍କୁ କିପରି ଫେରାଇ ଆଣିବେ ସେନେଇ ନିଷ୍ପତ୍ତି ନେବେ। ପରମେଶ୍ୱର ଏଠାରେ ଗଣମାଧ୍ୟମକୁ କହିଛନ୍ତି, ‘ବ୍ଲୁ କର୍ଣ୍ଣର ନୋଟିସ ଜାରି ହୋଇସାରିଛି। ପ୍ରଜ୍ବଳଙ୍କୁ ଠାବ କରିବାକୁ ଇଣ୍ଟରପୋଲ ସମସ୍ତ ଦେଶକୁ ଅବଗତ କରାଇବ।
ସୂଚନା ଯେ, ପ୍ରଜ୍ବଳଙ୍କ ବାପା ତଥା ଜେଡିଏସ୍ ବିଧାୟକ ଏଚଡି ରେଭାନ୍ନାଙ୍କୁ ଜଣେ ମହିଳାଙ୍କ ଅପହରଣ ଅଭିଯୋଗରେ ଶନିବାର ଏସଆଇଟି ଗିରଫ କରିଥିଲା। ତାଙ୍କ ପୁଅ ପ୍ରଜ୍ବଳଙ୍କ ବିରୋଧରେ ଅନେକ ମହିଳାଙ୍କୁ ଯୌନ ଶୋଷଣ ଅଭିଯୋଗ ହୋଇଛି । ଏନେଇ ଅନେକ ଭିଡ଼ିଓ ନିକଟରେ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେବା ପରେ ପ୍ରଜ୍ବଳ ଦେଶ ଛାଡ଼ି ଜର୍ମାନୀ ପଳାଇଥିଲେ।
