ଆଜି ଆସିବ ସେପ୍ଟେମ୍ବର ଗାଇଡଲାଇନ୍
ଭୁବନେଶ୍ୱର : ମଙ୍ଗଳବାର ଆସିବ ସେପ୍ଟେମ୍ବର ମାସ ପାଇଁ କୋଭିଡ୍ ଗାଇଡ୍ ଲାଇନ୍ । ସେପ୍ଟେମ୍ବରରେ କଣ ହେବ କୋହଳ, କଣ ରହିବ କଟକଣା, ସେନେଇ ଘୋଷଣା କରିବେ ରାଜ୍ୟ ସରକାର ରାଜ୍ୟରେ ଦୈନିକ ସଂକ୍ରମଣ ହାର ଖସୁଥିବାରୁ କଟକଣା ଆହୁରି କୋହଳ ହେବା ନେଇ ଆଶାବାଦୀ ଅଛନ୍ତି ରାଜ୍ୟବାସୀ । କଟକ, ଭୁବନେଶ୍ୱର, ପୁରୀ ସହରରେ ସପ୍ତାହାନ୍ତ ସଟଡାଉନ୍ ଉଠିବା ସହ କଟକଣା ଅଧିକ କୋହଳ କରିବାକୁ ରାଜ୍ୟ ସରକାର ନିଷ୍ପତି ନେଇପାରନ୍ତି । ସେହିପରି ସକାଳ ୬ଟାରୁ ରାତି ୮ଟା ଯାଏଁ ଦୋକାନ ଖୋଲା ରହିବା ନିଷ୍ପତି ପରିବର୍ତନ କରି ଏହାକୁ ରାତି ୯ କିମ୍ବା ୧୦ ବଢାଯାଇପାରେ । ଏହାସହ ଆଗକୁ ପାର୍ବଣ ଆସୁଥିବାରୁ ସ୍ୱତନ୍ତ୍ର ଗାଇଡ୍ ଲାଇନ ଆସିବ ବୋଲି ଅନୁମାନ କରାଯାଉଛି । ତେବେ ସମ୍ପୂର୍ଣ୍ଣ କୋହଳ ନୁହେଁ, କଟକଣା ଭିତରେ ନୂଆ ଗାଇଡ୍ ଲାଇନ୍ ଆଣିବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି ।
ଗତ କିଛି ଦିନ ହେବ ଦୈନିକ ସଂକ୍ରମଣ କ୍ରମାଗତ ଭାବେ ହଜାରେ ତଳେ ରହୁଛି । ୬ଶହ ପର୍ଯ୍ୟନ୍ତ ମଧ୍ୟ ସଂକ୍ରମଣ ଖସୁଛି । ୧ ପ୍ରତିଶତ ତଳେ ଟିପିଆର । ଏବେବି ତୃତୀୟ ଲହର ଆଶଙ୍କା ଥିବାରୁ ସଂପୂର୍ଣ୍ଣ କଟକଣା କୋହଳ ସପକ୍ଷରେ ନାହାନ୍ତି ରାଜ୍ୟ ସରକାର । ପାର୍ବଣ ଯୋଗୁଁ ସଂକ୍ରମଣ ବଢିବା ଭୟ ଥିବାରୁ ସ୍ୱତନ୍ତ୍ର ଗାଇଡ୍?ଲାଇନ ଅଣାଯିବ । ଏହାରି ମଧ୍ୟରେ କଟକ, ଭୁବନେଶ୍ୱର ଓ ପୁରୀରୁ ସପ୍ତାହନ୍ତ ସଟ୍ ଡାଉନ୍ ଉଠାଇବା ସହ ନାଇଟ କର୍ଫୁ କୋହଳ କରିବାକୁ ଦାବି କରିଛି ଓଡ଼ିଶା ବ୍ୟବସାୟୀ ମହାସଂଘ । ମାର୍କେଟର ଯେଉଁ ସ୍ଥାନରେ ଗହଳି ହେଉଛି, ସେସବୁ ସ୍ଥାନରେ ସ୍ୱତନ୍ତ୍ର ନଜର ରଖିବାକୁ ସଂଘ ଦାବି କରିଛି । ତେବେ ରାତ୍ରିକାଳୀନ କଟକଣା ଜାରି ରହିବା ସହ ସାଂସ୍କୃତିକ, ଧାର୍ମିକ, ରାଜନୈତିକ କଟକଣା ଜାରି ରହିପାରେ । ଅନ୍ୟପଟେ କେତେକ ରାଜ୍ୟରେ ସଂକ୍ରମଣ ବଢୁଥିବାରୁ ପାର୍ବଣ ପାଇଁ କଟକଣା ରହିବ । ଅଧିକ ଲୋକ ଏକାଠି ନହେବା ନେଇ କଟକଣା ଜାରି କରିବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି ।
