ଆରପାରିରେ ବରିଷ୍ଠ ଅଭିନେତା ବିକ୍ରମ ଗୋଖଲେ
ପୁଣେ: ଆଉ ନାହାଁନ୍ତି ହିନ୍ଦୀ ଓ ମରାଠୀ ସିନେମା ଜଗତର ବର୍ଷୀୟାନ ଅଭିନେତା ବିକ୍ରମ ଗୋଖଲେ । ୭୭ ବର୍ଷ ବୟସରେ ଶନିବାର ଗୋଖଲେଙ୍କ ପରଲୋକ ହୋଇଛି। ସେ ପୁଣେର ଦିନାନାଥ ମଙ୍ଗେସକର ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଅସୁସ୍ଥତା ଯୋଗୁଁ ବିକ୍ରମ ଗୋଖଲେ ଗତ କିଛି ଦିନ ଧରି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । କିନ୍ତୁ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ କୌଣସି ସୁଧାର ଆସିନଥିଲା। ଆଜି ସନ୍ଧ୍ୟାରେ ପୁଣେର ବୈକୁଣ୍ଠ ଶ୍ମଶାନରେ ତାଙ୍କ ଅନ୍ତିମ ସଂସ୍କାର ହେବ ।
ଅଭିନେତା ବିକ୍ରମ ଗୋଖଲେ ତାଙ୍କ ଫିଲ୍ମ କ୍ୟାରିୟର ୧୯୭୧ ମସିହାରେ ୨୬ ବର୍ଷ ବୟସରେ ଆରମ୍ଭ କରିଥିଲେ । ଗୋଖଲେ ମରାଠୀ ସମେତ ଅନେକ ହିନ୍ଦୀ ଫିଲ୍ମରେ କାମ କରିଛନ୍ତି । ସେଥିମଧ୍ୟରୁ ୧୯୯୦ ମସିହାରେ ଅମିତାଭ ବଚ୍ଚନଙ୍କ ‘ଅଗ୍ନିପଥ’ ଓ ସଲମାନ ଖାନଙ୍କ ‘ହମ ଦିଲ ଦେ ଚୁକେ ସନମ୍’ ଅନ୍ୟତମ । ଗୋଖଲେଙ୍କୁ ଶେଷଥର ପାଇଁ ଶିଳ୍ପା ସେଟ୍ଟୀ ଓ ଅଭିମନ୍ୟୁ ଦାସାନୀଙ୍କ ‘ ନିକମ୍ମା’ ଫିଲ୍ମରେ ଦେଖିବାକୁ ମିଳିଥିଲା ।
ସଞ୍ଜୟ ଲୀଲା ଭଁସାଲିଙ୍କ ‘ହମ୍ ଦିଲ୍ ଦେ ଚୁକେ ସନମ’ରେ ବିକ୍ରମ ଗୋଖଲେଙ୍କୁ ଐଶ୍ୱର୍ଯ୍ୟା ରାୟଙ୍କ ବାପା ଭୂମିକାରେ ଦେଖିବାକୁ ମିଳିଥିଲା। ଏହାଛଡ଼ା ସେ ଭୁଲ୍ ଭୁଲୟା, ଦିଲ୍ ସେ, ଅଗ୍ନିପଥ, ଦେ ଦନା ଦନ୍, ହିଚକି, ନିକମା ଏବଂ ମିଶନ ମଙ୍ଗଳ ଭଳି ଚଳଚ୍ଚିତ୍ରରେ ମଧ୍ୟ କାମ କରିଥିଲେ । ମରାଠୀ ଥିଏଟର, ହିନ୍ଦୀ ସିନେମା ଏବଂ ଟେଲିଭିଜନରେ ବିକ୍ରମ ଗୋଖଲେ ବେଶ୍ ସକ୍ରିୟ ଥିଲେ। ସେ ଚଳଚ୍ଚିତ୍ର ଅଭିନେତା ଚନ୍ଦ୍ରକାନ୍ତ ଗୋଖଲେଙ୍କ ପୁଅ । ବିକ୍ରମ ଗୋଖଲେଙ୍କ ଜେଜେମା କମଲାବାଇ ଗୋଖଲେ ଥିଲେ ଭାରତୀୟ ସିନେମାର ପ୍ରଥମ ମହିଳା ଶିଶୁ କଳାକାର । ଟେଲିଭିଜନରେ ମଧ୍ୟ ବିକ୍ରମ ଗୋଖଲେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ସେ ୧୯୮୯ ରୁ ୧୯୯୧ ପର୍ଯ୍ୟନ୍ତ ଦୂରଦର୍ଶନରେ ପ୍ରସାରିତ ଲୋକପ୍ରିୟ ଶୋ ‘ଉଡାନ୍’ର ଅଂଶ ଥିଲେ | ବିକ୍ରମ ଗୋଖଲେ ୯୭ଟି ଚଳଚ୍ଚିତ୍ର ଏବଂ ଥିଏଟର ନାଟକରେ ଅଭିନୟ କରିଥିଲେ | ସେ ୭୦ ମରାଠୀ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଥିଲେ | ତାଙ୍କୁ ଶେଷ ଥର ପାଇଁ ୨୦୨୨ ଚଳଚ୍ଚିତ୍ର ‘ନିକମା’ରେ ଦେଖିବାକୁ ମିଳିଥିଲା | ଏହାଛଡ଼ା ଆଗାମୀ ୱେବ୍ ସିରିଜ୍ ଆମ୍ବେଦକର – ଦି ଲିଜେଣ୍ଡରେ ନଜର ଆସିବେ | ୨୦୧୧ରେ ବିକ୍ରମ ଗୋଖଲେଙ୍କୁ ଥିଏଟର ପ୍ରତି ଅବଦାନ ପାଇଁ ସଂଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥିଲା | ୨୦୧୩ରେ ତାଙ୍କୁ ମରାଠୀ ଚଳଚ୍ଚିତ୍ର ‘ଅନୁମତି’ ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା |
