ପରେଡ୍ ପାଇଁ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
ନୂଆଦିଲ୍ଲୀ : ଆଜି ଦେଶ ପାଳୁଛି ୭୪ତମ ସାଧାରଣତନ୍ତ୍ର ଦିବସ । ଏହି ଅବସରରେ ହେବାକୁ ଥିବା ପରେଡ୍ ପାଇଁ ରାଜଧାନୀ ଦିଲ୍ଳୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି । ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ଦିଲ୍ଳୀ ପୋଲିସ୍ର ଅନେକ ଦଳ ବିଭିନ୍ନ ସ୍ଥାନରେ ପାଟ୍ରୋଲିଂ କରୁଛନ୍ତି। ସୁରକ୍ଷା ପାଇଁ ଦିଲ୍ଲୀରେ ୬୦୦୦ ସୁରକ୍ଷା କର୍ମୀ ନିୟୋଜିତ ହୋଇଥିବା ବେଳେ କର୍ତ୍ତବ୍ୟ ପଥରେ ହେବାକୁ ଥିବା ସାଧାରଣତନ୍ତ୍ର ଉତ୍ସବରେ ୨୪ଟି ହେଲ୍ପ ଡେକ୍ସ ରଖାଯାଇଛି।
ପୋଲିସ୍ ସୂତ୍ର ଅନୁସାରେ, ପ୍ରାୟ ୬୫,୦୦୦ ଲୋକ ସାଧାରଣତନ୍ତ୍ର ଦିବସ ଉତ୍ସବରେ ଯୋଗ ଦେବେ। ଆଜି ସକାଳ ୧୦.୩୦ରେ ଆରମ୍ଭ ହେବାକୁ ଥିବା ସାଧାରଣତନ୍ତ୍ର ଉତ୍ସବ ଦେଶର ସାମରିକ ଶକ୍ତି ଓ ସାଂସ୍କୃତିକ ବିବିଧତାର ଏକ ନିଆରା ମିଶ୍ରଣ ହେବ। ଯାହାକି ଦେଶରେ ବୃଦ୍ଧି ପାଉଥିବା ସ୍ବଦେଶୀ ଦକ୍ଷତା, ନାରୀ ଶକ୍ତି ଏବଂ ନୂତନ ଭାରତ ଅବିର୍ଭାବକୁ ଦର୍ଶାଇବ। ଭାରତୀୟ ସେନାବାହିନୀର ମହିଳା ଅଧିକାରୀମାନେ ନିଜ ନେତୃତ୍ବ ନେବାର ବଳିଷ୍ଠ ଦକ୍ଷତା ପ୍ରଦର୍ଶନ କରିଆସୁଛନ୍ତି। ଭାରତ ସରକାର ମଧ୍ୟ ମହିଳା ଅଧିକାରୀଙ୍କ ଲାଗି ସେନାବାହିନୀରେ ଅନେକ ନୂଆ ସୁଯୋଗ ଉନ୍ମୁକ୍ତ କରିଛନ୍ତି। ଏଥର କର୍ତ୍ତବ୍ୟ ପଥରେ ଅନୁଷ୍ଠିତ ହେଉଥିବା ୭୪ତମ ସାଧାରଣତନ୍ତ୍ର ଦିବସ ପରେଡ୍ରେ ଅନେକ ମହିଳା ଅଧିକାରୀ ନିଜ ନିଜ ସାମରିକ ଦଳର ନେତୃତ୍ବ ନେଉଛନ୍ତି। ଚଳିତବର୍ଷ ପ୍ରଥମ ଥର ପାଇଁ ସୀମା ସୁରକ୍ଷା ବଳ (ବିଏସ୍ଏଫ୍) ଅଧୀନସ୍ଥ ଓଟ ବାହିନୀ ଦଳରେ ମହିଳା ଅଧିକାରୀମାନେ ସାମିଲ ହୋଇଛନ୍ତି।
