ସ୍ନାନ ପୂର୍ଣ୍ଣିମା ଅବସରରେ ୧୪୪ ଧାରା ଜାରି
ପୁରୀ : ସ୍ନାନ ପୂର୍ଣ୍ଣିମା ଅବସରରେ ସହରର ବିଭିନ୍ନ ସ୍ଥାନରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି । କରୋନା ମହାମାରୀକୁ ଦୃଷ୍ଟିରେ ରଖି ଜନ ସମାଗମକୁ ବାରଣ କରିବା ଉଦ୍ଦେଶ୍ୟରେ ପ୍ରଶାସନ ପକ୍ଷରୁ ଏହି କଟକଣା ଜାରି କରାଯାଇଛି । ଏହି କଟକଣା ଆସନ୍ତା ୨୩ ତାରିଖ ରାତ୍ର ୧୦ ଘଟିକାରୁ ୨୫ ତାରିଖ ଭୋର ୨ ଘଟିକା ପର୍ଯ୍ୟନ୍ତ ବଳବତ୍ତର ରହିବ । କେବଳ ଅନୁମତି ପ୍ରାପ୍ତ ବ୍ୟକ୍ତିବିଶେଷଙ୍କ ବ୍ୟତୀତ ଅନ୍ୟ କାହାରିକୁ ପ୍ରବେଶାନୁମତି ଦିଆଯିବ ନାହିଁ । ଉପ ଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ ପ୍ରଶାସନ ପକ୍ଷରୁ ଏହି କଟକଣା ଜାରି କରିଛନ୍ତି । ଏହି ଆଦେଶର ଉଲଙ୍ଘନକାରୀଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବଡଦାଣ୍ତର ମାର୍କେଟଛକ ଠାରୁ କାକୁଡିଖାଇ ଛକ, ମର୍ଚ୍ଚିକୋଟ ଲେନର ମର୍ଚ୍ଚିକୋଟଠାରୁ ଲବଣିଖିଆ ଛକ, ଜେନାରୀ ଗଛ ଛକ ଦେଇ ଲବଣିଖିଆ ଛକ ଠାରୁ ଦୋଳମଣ୍ତପ ସାହି, ଭୋଗଯାଗା ଏବଂ ଖୁଣ୍ଟିଆ ସାହି ଛକ ଦେଇ ଦୋଳ ମଣ୍ତପ ସାହି ଜହ୍ନିମୁଣ୍ତିଆ ଛକ ଠାରୁ ବାଲିସାହି, ବାଲିସାହିର କଦମ୍ବ ଗଡ ଛକ ଦେଇ ଖୁଣ୍ଟିଆ ସାହି ଛକଠାରୁ ସୁଦର୍ଶନ ଗେଷ୍ଟ ହାଉସ ଛକ, ବରାହୀ ଓ ପଞ୍ଚୁଆତି ଛକ ଦେଇ ସୁଦର୍ଶନ ଗେଷ୍ଟ ହାଉସ ଛକଠାରୁ ହରଚଣ୍ତି ସାହିର ମାଛ ହାଟ ଛକ, ଶୀତଳ ପିଣ୍ତା ଓ ବାରବାଟୀ ଯାଗା ବୈଠକୀ ପିଣ୍ତା ଦେଇ ମାଛହାଟ ଛକ ଠାରୁ ଲୋକନାଥ ରୋଡର ବୃଷଭ ଛକ, ବୃଷଭ ଛକ ଠାରୁ ଛପନ ଛକ, ମଙ୍ଗଲା ଘାଟ ମାଳିକା ଛକ, ବାଲି ସ୍କୁଲ ମିଶ୍ର ସାହି ଏବଂ ସାତ ବଖରା ଯାଗା ଦେଇ ପାଣ୍ତେ ଯାଗା, ପାଣ୍ତେ ଯାଗା ଠାରୁ ଚୁଡଙ୍ଗ ସାହି ୟୁପି ସ୍କୁଲ, ଚୁଡଙ୍ଗ ସାହି ଛକ, ବାନାମ୍ବର ଛକ, ଶନିମନ୍ଦିର ଏବଂ ଇଣ୍ତିଆନ ବ୍ୟାଙ୍କ ଛକ ଦେଇ ମର୍ଚ୍ଚିକୋଟ ଛକ ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ ।
