ଶ୍ରୀମନ୍ଦିର ଚାରିପାଖରେ ୧୪୪ ଧାରା ଜାରି : ସାଧାରଣ ଦର୍ଶନ ବନ୍ଦ, ବଡ଼ବଡ଼ିଆ ଡ଼ାକି ପାରିବେନି ଶ୍ରଦ୍ଧାଳୁ
ପୁରୀ : ଆଜି ଦୀପାବଳି। ଗୁରୁବାର ଦୀପାବଳି ଅମାବାସ୍ୟା ଉପଲକ୍ଷେ ଗହଳି କମାଇବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିର ଚର୍ତୁପାର୍ଶ୍ୱରେ ୧୪୪ ଧାରା ଲାଗୁ ହୋଇଛି । ଭୋର ୪ଟାରୁ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ଏହା ବଳବତର ରହିବ । କୌଣସି ଶ୍ରଦ୍ଧାଳୁ ମନ୍ଦିର ଚାରିପଟେ କାଉଁରିଆ କାଠି ଜାଳି ବଡ଼ବଡ଼ିଆ ଡ଼ାକି ପାରିବେ ନାହିଁ । କୋଭିଡ଼ କଟକଣା ଉଲ୍ଲଂଘନ ଆଶଙ୍କା ଥିବାରୁ ସିଂହଦ୍ୱାର ଓ ମନ୍ଦିର ଚାରିପାଖରେ ଏହି ୧୪୪ ଧାରା ଜାରି କରାଯିବ ବୋଲି ଉପଜିଲାପାଳ ଭବତାରଣ ସାହୁ ସୂଚନା ପ୍ରଦାନ କରିଛନ୍ତି ।
ତେବେ ଆଜି ଶ୍ରୀମନ୍ଦିରରେ ସାଧାରଣ ଦର୍ଶନକୁ ବନ୍ଦ ରଖାଯାଇଛି। କେବଳ ଦର୍ଶନ ବନ୍ଦ ହୋଇ ନାହିଁ, ସିଂହଦ୍ୱାର ସମ୍ମୁଖରେ କାଉଁରିଆ କାଠି ଜାଳିବା ଉପରେ ମଧ୍ୟ କଟକଣା ଜାରି କରାଯାଇଛି। ସିଂହଦ୍ୱାର ତଥା ମନ୍ଦିର ଚତୁଃପାର୍ଶ୍ୱରେ ଯେପରି ଲୋକଙ୍କ ସମାଗମ ନହେବ, ସେଥିପାଇଁ ୧୪୪ ଧାରା ମଧ୍ୟ ଜାରି କରାଯାଇଛି। କିନ୍ତୁ ସେବାୟତମାନେ ମହାପ୍ରଭୁଙ୍କ ନୀତିକାନ୍ତି ସମାପନ କରିବେ । କାଉଁରିଆ କାଠି ଜାଳିବା ବେଳେ ପ୍ରବଳ ଜନ ସମାଗମ ହେବା, ପ୍ରଦୂଷଣ ମାତ୍ରା ବୃଦ୍ଧି ହେବା ତଥା କୋଭିଡ କଟକଣା ଉଲ୍ଲଘଂନ ହେବାର ଆଶଙ୍କା ଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଏ ସଂକ୍ରାନ୍ତରେ ଉପ ଜିଲ୍ଲାପାଳ ଭବତାରଣ ସାହୁ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଆଜି ସାଧାରଣ ଦର୍ଶନ ବନ୍ଦ ରହୁଥିଲା ବେଳେ କେବଳ କେବଳ ସ୍ୱୀକୃତିପ୍ରାପ୍ତ ବ୍ୟକ୍ତିବିଶେଷଙ୍କୁ ପ୍ରବେଶ ଅନୁମତି ରହିବ।
