ଦ୍ଵିତୀୟ ଟେଷ୍ଟ : ଶାର୍ଦ୍ଦୁଲଙ୍କୁ ୭ ୱିକେଟ୍, ଦକ୍ଷିଣ ଆଫ୍ରିକା ୨୨୯ ରନରେ ଅଲଆଉଟ୍
ଜୋହାନସବର୍ଗ : ୱାଣ୍ଡରର୍ସରେ ବ୍ୟାଟ୍ସମ୍ୟାନଙ୍କ ବିଫଳତା ପରେ ବୋଲିଂରେ ଜଲୱା ଦେଖାଇଛନ୍ତି ଶାର୍ଦ୍ଦୁଲ ଠାକୁର । ଶାର୍ଦ୍ଦୁଲଙ୍କ ଘାତକ ବୋଲିଂ ବଳରେ ଭାରତ ଘରୋଇ ଦକ୍ଷିଣ ଆଫ୍ରିକାକୁ ପ୍ରଥମ ଇନିଂସରେ ୨୨୯ ରନରେ ଅଲଆଉଟ୍ କରିଦେଇଛି । ଶାର୍ଦ୍ଦୁଲ ଏଠାରେ କ୍ୟାରିୟରର ଶ୍ରେଷ୍ଠ ବୋଲିଂ କରି ୬୧ ରନରେ ୭ ୱିକେଟ୍ ଅକ୍ତିଆର କରିଛନ୍ତି । ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ୨୭ ରନର ମହତ୍ୱପୂର୍ଣ୍ଣ ଲିଡ୍ ହାସଲ କରିଛି । ଏହା ପୂର୍ବରୁ ଭାରତ ୨୦୨ ରନ୍ କରି ଅଲଆଉଟ୍ ହୋଇଥିଲା ।
ଦକ୍ଷିଣ ଆଫ୍ରିକା ପକ୍ଷରୁ କୀଗାନ ପିଟରସନ୍ ସର୍ବାଧିକ ୬୨ ରନ୍ କରିଥିବା ବେଳେ ତେମ୍ବା ବାଭୁମା ୫୧ (୬୧ ବଲ୍, ୬ ଚୌକା, ୧ ଛକା), କ୍ୟାପଟେନ୍ ଡିନ୍ ଏଲଗାର ୨୮, କାଇଲ୍ ଭେରେନ୍ ୨୧, ମାର୍କୋ ଜାନସେନ୍ ୨୧, କେଶବ ମହାରାଜ ୨୧, ରାସି ଭାନ ଡର୍ ଡୁସେନ୍ ୧ ରନ୍ କରି ଆଉଟ୍ ହୋଇଥିଲେ । କାଗିସୋ ରବାଡା ଓ ଲୁଙ୍ଗି ଏନଗିଡି ଖାତା ଖୋଲିପାରି ନଥିଲେ । ଭାରତ ପକ୍ଷରୁ ମହମ୍ମଦ ଶାମି ୨ଟି ଓ ଯଶପ୍ରୀତ ବୁମ୍ରା ଗୋଟିଏ ୱିକେଟ୍ ନେଇଛନ୍ତି । ଏହା ପୂର୍ବରୁ ଭାରତ ପ୍ରଥମ ଇନିଂସରେ ମାତ୍ର ୨୦୨ ରନ୍ କରିଥିଲା । ଇନଫର୍ମ ଲୋକେଶ ରାହୁଲ ଓ ରବିଚନ୍ଦ୍ରନ୍ ଅଶ୍ୱିନଙ୍କୁ ଛାଡ଼ି ଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ସେଭଳି ଯୋଗଦାନ ଦେଇନଥିଲେ । ରାହୁଲ୍ ୫୦ ଓ ଅଶ୍ୱିନ୍ ୪୬ ରନ୍ କରିଥିଲେ । ତେବେ ଚେତେଶ୍ୱର ପୂଜାରା (୩) ଓ ଅଜିଙ୍କ୍ୟ ରାହାଣେ (୦) ନିରାଶ କରିଥିଲେ । ଦକ୍ଷିଣ ଆଫ୍ରିକା ପକ୍ଷରୁ ଜାନସେନ୍ ୪ଟି, ରବାଡା ଓ ଡୁଆନ୍ ଓଲିଭିଅର୍ ୩ଟି ଲେଖାଏ ୱିକେଟ୍ ହାସଲ କରିଥିଲେ ।
ସୂଚନା ଯେ, ପ୍ରଥମ ଇନିଂସରେ ୬୩.୧ ଓଭରରେ ୨୦୨ ରନରେ ଅଲଆଉଟ ହୋଇଯାଇଛି ଟିମ୍ ଇଣ୍ଡିଆ । ଅଧିନାୟକ ଲୋକେସ୍ ରାହୁଲଙ୍କ ଅର୍ଦ୍ଧଶତକ ଏବଂ ଶେଷରେ ରବିଚନ୍ଦ୍ରନ ଅଶ୍ୱିନଙ୍କ ଦର୍ଶନୀୟ ବ୍ୟାଟିଂ ବଳରେ ସମ୍ମାନଜନକ ସ୍କୋର କରିପାରିଛି ଭାରତ । କିନ୍ତୁ ପୁଣି ଫେଲ ମାରିଛନ୍ତି ଭେଟେରାନ୍ ଚେତେଶ୍ୱର ପୁଜାରା ଏବଂ ଅଜିଙ୍କ୍ୟ ରାହାଣେ । ଓପନର ଲୋକେସ୍ ରାହୁଲ ଏବଂ ମୟଙ୍କ ଅଗ୍ରୱାଲ ଭଲ ଆରମ୍ଭ କରିଥିଲେ । ମୟଙ୍କ ଅଗ୍ରୱାଲ ୨୬ ରନ କରି ପ୍ରଥମ ଶିକାର ହୋଇଥିଲେ । ପରେ ପୁଜାରା ୩ ରନ ଏବଂ ରାହାଣେ ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ ଫେରିଛନ୍ତି । ଅଧିନାୟକ କେଏଲ ରାହୁଲ ଦର୍ଶନୀୟ ଅର୍ଦ୍ଧଶତକ ହାସଲ କରିଥିଲେ ସୁଦ୍ଧା ବେପରୁଆ ସଟ୍ ଖେଳି ୱିକେଟ୍ ଫିଙ୍ଗିଛନ୍ତି । ସେ ବ୍ୟକ୍ତିଗତ ଭାବେ ୫୦ରନକରି ଆଉଟ ହୋଇଛନ୍ତି । ହନୁମା ବିହାରୀଙ୍କୁ ଦ୍ୱିତୀୟ ମ୍ୟାଚରେ ସୁଯୋଗ ମିଳିଥିଲେ ସୁଦ୍ଧା ଫାଇଦା ଉଠାଇ ପାରିନାହାନ୍ତି । ସେ ବ୍ୟକ୍ତିଗତ ୨୦ରନ କରି ଆଉଟ ହୋଇଥିବା ବେଳେ, ପନ୍ତ ୧୭ରନ, ଅଶ୍ୱିନ ୪୬ରନର ଦର୍ଶନୀୟ ଇନିଂସ ଖେଳିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଶାର୍ଦ୍ଧୁଳ ଠାକୁର ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିବା ବେଳେ, ମହମ୍ମଦ ସାମୀ ୯ରନ, ମହମ୍ମଦ ସିରାଜ ୧ ରନ କରି ଆଉଟ ହୋଇଛନ୍ତି । ଯଶପ୍ରୀତ ବୁମରାହ ୧୪ରନକରି ଅପରାଜିତ ଅଛନ୍ତି । ଦକ୍ଷିଣ ଆଫ୍ରିକା ପକ୍ଷରୁ ମାର୍କୋ ଜନ୍ସେନ୍ ଚମତ୍କାର ବୋଲିଂ କରି ୪ଟି ୱିକେଟ ନେଇଛନ୍ତି । କାଗିସୋ ରାବାଡା ୧୭.୧ ଓଭରରେ ୬୪ରନଦେଇ ୩ ୱିକେଟ ନେଇଥିବା ବେଳେ, ଡ୍ୱାନ୍ ଓଲିଭର ୧୭ ଓଭରରେ ୬୪ରନଦେଇ ୩ ୱିକେଟ, ଲୁଙ୍ଗି ଏନ୍ଗିଡି ୧୧ ଓଭରରେ ୨୬ ରନ ଏବଂ କେଶବ ମହାରାଜ ୧ ଓଭରରେ ୬ରନ ଦେଇଛନ୍ତି ।
