ଦ୍ଵିତୀୟ ଟେଷ୍ଟ : ଇଂଲଣ୍ଡକୁ ୧୫୧ ରନରେ ହରାଇଲା ଭାରତ
- ୭ ବର୍ଷ ପରେ ଐତିହାସିକ ଲର୍ଡ୍ସ ଗ୍ରାଉଣ୍ଡରେ ଇଂଲଣ୍ଡକୁ ପରାସ୍ତ ପରାସ୍ତ କରି ୧-୦ରେ ସିରିଜ ଅଗ୍ରଣୀ
ଲର୍ଡ୍ସ : ଲର୍ଡ୍ସରେ ଚାଲିଥିବା ଭାରତ ଏବଂ ଇଂଲଣ୍ଡ ଦ୍ଵିତୀୟ ଟେଷ୍ଟରେ ବୋଲରଙ୍କ ଘାତକ ବୋଲିଂ ଯୋଗୁଁ ଭାରତର ରୋମାଞ୍ଚକର ବିଜୟ। ଐତିହାସିକ ଲର୍ଡ୍ସ ଗ୍ରାଉଣ୍ଡରେ ଇଂଲଣ୍ଡକୁ ୧୫୧ ରନରେ ହରାଇ ଇତିହାସ ରଚିଲା ଭାରତ। ଦ୍ରୁତ ବୋଲରଙ୍କ ଘାତକ ବୋଲିଂ ବଳରେ ଘରୋଇ ଇଂଲଣ୍ଡକୁ ୧୫୧ ରନରେ ମାତ୍ ଦେଇ ଅବିଶ୍ଵସନୀୟ ବିଜୟ ହାସଲ କରିଛି ଭାରତ । ଏଥିସହ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ରେ ଭାରତ ୧-୦ରେ ଅଗ୍ରଣୀ ହାସଲ କରିଛି।
ଲର୍ଡ୍ସ ଟେଷ୍ଟର ପ୍ରଥମ ଦିନ ଭାରତ ନାଁରେ ରହିଥିଲା। କିନ୍ତୁ ପରବର୍ତ୍ତୀ ୩ଦିନ ଯାଏ ଭାରତ ହାତରୁ ଯେପରି ମ୍ୟାଚ ଚାଲିଯାଇଥିଲା। ଚତୁର୍ଥ ଦିନ ଷ୍ଟମ୍ପ ଅପସାରଣ ସୁଦ୍ଧା ଇଂଲଣ୍ଡକୁ ବିଜୟର ପ୍ରବଳ ଦାବିଦାର କୁହାଯାଉଥିଲା। କିନ୍ତୁ ପଞ୍ଚମ ଦିନରେ ସବୁ ଓଲଟପାଲଟ । ବିଶେଷ କରି ଶାମି ଓ ବୁମ୍ରାଙ୍କ ବ୍ୟାଟିଂ ଓ ପରେ ବୋଲିଂର ମୁକାବିଲା କରିନପାରି ଇଂଲଣ୍ଡ ହାତରୁ ମ୍ୟାଚ ଖସି ଯାଇଥିଲା । ପଞ୍ଚମ ଦିନରେ ବାଜି ଓଲଟିଲା। ଶେଷ ଦିନରେ ଭାରତ ମହମ୍ମଦ ଶାମିଙ୍କ ୫୬ ଏବଂ ବୁମରାଙ୍କ ୩୪ ରନ ବଳରେ ୮ ଓ୍ଵିକେଟ୍ ହରାଇ ୨୯୮ ରନ କରି ଇନିଂସ ଘୋଷଣା କରିଥିଲା। ପ୍ରଥମ ଇନିଂସରେ ୨୭ ରନରେ ଅଗ୍ରଣୀ ହାସଲ କରିଥିବାରୁ ଇଂଲଣ୍ଡ ସମ୍ମୁଖରେ ୨୭୨ ରନର ବିଜୟ ଲକ୍ଷ୍ୟ ମିଳିଥିଲା। ଲାଗୁଥିଲା ମ୍ୟାଚ୍ ଡ୍ର ହୋଇଯିବ। କାରଣ ଖେଳ ଆଉ ଦୁଇ ସେସନ ବାକି ରହିଥିଲା। କିନ୍ତୁ ପରେ ଯାହା ଘଟିଲା ତାହା ଇତିହାସ ହୋଇ ରହିଗଲା। ଇଂଲଣ୍ଡ ଭାରତର ଦ୍ରୁତ ବୋଲରଙ୍କ ଘାତକ ବୋଲିଂର ମୁକାବିଲା କରିନପାରି ୧୨୦ ରନରେ ଅଲଆଉଟ୍ ହୋଇଛି। ଭାରତ ପକ୍ଷରୁ ମହମ୍ମଦ ସିରାଜ, ଯଶପ୍ରୀତ ବୁମରାଙ୍କ ଘାତକ ବୋଲିଂ କରି ଭାରତକୁ ଅବିଶ୍ଵସନୀୟ ବିଜୟ ଦେଇଛନ୍ତି। ସିରାଜ ୪, ବୁମରା ୩, ଇଶାନ୍ତ ୨ ଓ ଶାମି ୧ ଓ୍ଵିକେଟ୍ ନେଇ ଦଳକୁ ଜିତାଇଛନ୍ତି।
ଚତୁର୍ଥ ଦିନର ଅସମାପ୍ତ ଖେଳ ୧୮୧/୬ରୁ ଭାରତ ବ୍ୟାଟିଂ ଆରମ୍ଭ କରିଥିଲା। କ୍ରିଜରେ ଥିଲେ ଋଷଭ ପନ୍ତ ଓ ଇଶାନ୍ତ ଶର୍ମା। ପନ୍ତଙ୍କ ଉପରେ ସଭିଙ୍କ ନଜର ଥିଲା। କାରଣ ଦଳର ସ୍ଥିତି ମୁସ୍କିଲ ଥିଲା। ଭାରତ କେବଳ ୧୫୪ ରନରେ ଇଂଲଣ୍ଡଠୁ ଆଗୁଆ ଥିଲା। ହେଲେ ପନ୍ତ ଦିନର ଖେଳ ଆରମ୍ଭରୁ ଆଉଟ୍ ହୋଇଥିଲେ। ପନ୍ତ ୨୨ ରନ କରି ରବିନସନଙ୍କ ଶିକାର ହୋଇଥିଲେ। ଇଶାନ୍ତ ଶର୍ମା ମଧ୍ୟ ଅଧିକ ସମୟ କ୍ରିଜରେ ତିଷ୍ଠି ପାରିନଥିଲେ। ସେ ୧୬ ରନ କରି ରବିନଶନ ବଲରେ ଆଉଟ୍ ହୋଇଥିଲେ। ୨୦୯ ରନରେ ୮ ଓ୍ଵିକେଟ୍ ହରାଇବା ପରେ ଲାଗୁଥିଲା ଦଳ ଶୀଘ୍ର ଆଉଟ୍ ହୋଇଯିବ ଏବଂ ଇଂଲଣ୍ଡକୁ ଛୋଟ ବିଜୟ ଲକ୍ଷ୍ୟ ମିଳିଯିବ। ହେଲେ ଏହା ପରେ ଆଶାଠୁ ସବୁ କିଛି ବୀପରିତ ରହିଥିଲା। ନିମ୍ନକ୍ରମରେ ଦଳର ବ୍ୟାଟିଂ ସମ୍ଭାଳିଥିଲେ ମହମ୍ମଦ ଶାମି ଓ ଯଶପ୍ରୀତ ବୁମରା। ଦୁଇ ବୋଲର ସାହସିକ ବ୍ୟାଟିଂ କରି ଇଂଲଣ୍ଡ ବୋଲରଙ୍କ ଉଚିତ୍ ମୁକାବିଲା କରିନଥିଲେ। ଉଭୟ ରକ୍ଷାତ୍ମକ ଖେଳ ସହ ବଡ ସଟ୍ ମଧ୍ୟ ମାରିଥିଲେ। ଦୁଇ ଖେଳାଳି ଭାରତକୁ ଆଉ କୌଣସି କ୍ଷତି ହେବାକୁ ଦେଇନଥିଲେ। ଶାମି ଦ୍ରୁତ ବ୍ୟାଟିଂ କରି ମୋଇନ ଅଲ୍ଲୀଙ୍କ ଓଭରରେ କ୍ରମାଗତ ଚୌକା ଓ ଛକା ମାରି ଟେଷ୍ଟ କ୍ୟାରିୟରରେ ଦ୍ଵିତୀୟ ଅର୍ଦ୍ଧଶତକ ପୂରଣ କରିଥିଲେ। ଉଭୟ ବ୍ୟାଟସମ୍ୟାନ ଶେଷ ଆଡକୁ ଦିନିକିଆ ମ୍ୟାଚ୍ ପରି ରନ ସଂଗ୍ରହ କରିଥିଲେ। ୨୯୮/୮ରେ ଅଧିନାୟକ ବିରାଟ କୋହଲି ଇନିଂସ ଘୋଷଣା କରିଥିଲେ। ଶାମି ୭୦ ବଲ୍ରୁ ୬ ଚୌକା ଓ ୧ ଛକା ସହ ୫୬ ରନ ଓ ବୁମରା ୩୪ ରନରେ ଅପରାଜିତ ଥିଲେ। ଏପରିକି ଇଂଲଣ୍ଡ ମାଟିରେ ଉଭୟ ବ୍ୟାଟସମ୍ୟାନ ନବମ ଓ୍ଵିକେଟ୍ରେ ସର୍ବାଧିକ ରନ ଯୋଡିବାର ରେକର୍ଡ ମଧ୍ୟ କରିଛନ୍ତି। ଶାମି ଓ ବୁମରା ଅସମାପ୍ତ ନବମ ଓ୍ଵିକେଟ୍ ପାଇଁ ୮୯ ରନ ଯୋଡିଥିଲେ। ଇଂଲଣ୍ଡ ପକ୍ଷରୁ ମାର୍କ ଉଡ ସର୍ବାଧିକ ୩ ଓ୍ଵିକେଟ୍ ନେଇଥିବା ବେଳେ ରବିନଶନ ଓ ମୋଇନ ଅଲ୍ଲୀ ପ୍ରତ୍ୟେକ ଦୁଇଟି ଲେଖାଏଁ ଓ୍ଵିକେଟ୍ ନେଇଥିଲେ। ସାମ କରନଙ୍କୁ ଗୋଟିଏ ଓ୍ଵିକେଟ୍ ମିଳିଥିଲା। ଏହା ପୂର୍ବରୁ ଭାରତ କେଏଲ ରାହୁଲଙ୍କ ୧୨୭ ଏବଂ ରୋହିତ ଶର୍ମାଙ୍କ ୮୪ ରନ ବଳରେ ପ୍ରଥମ ଇନିଂସରେ ୩୬୪ ରନ କରିଥିଲା। ଜବାବରେ ଇଂଲଣ୍ଡ ଅଧିନାୟକ ଜୋ ରୁଟ୍ଙ୍କ ଅପରାଜିତ ୧୮୦ ରନ ବଳରେ ୩୯୧ ରନ କରି ଭାରତଠୁ ୨୭ ରନ ଅଗ୍ରଣୀ ହାସଲ କରିଥିଲା। ଭାରତ ପକ୍ଷରୁ ମହମ୍ମଦ ସିରାଜ ୪ ଓ ଇଶାନ୍ତ ଶର୍ମା ୩ ଓ୍ଵିକେଟ୍ ନେଇଥିଲେ।




