ଦ୍ଵିତୀୟ ଟେଷ୍ଟ : ୧୫୪ ରନରେ ଭାରତ ଆଗୁଆ
ଲଣ୍ଡନ : ଲର୍ଡ୍ସରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଜାରି ରହିଛି । ଚତୁର୍ଥ ଦିବସ ଷ୍ଟମ୍ପ ଅପସାରଣ ବେଳକୁ ଭାରତ ୬ ଉଇକେଟ ବିନିମୟରେ ୧୮୧ ରନ ସଂଗ୍ରହ କରିଛି । ଭାରତର ସ୍କୋର ୩ ୱିକେଟରେ ୫୫ ରନ୍ ଥିବାବେଳେ ସଂକଟରୁ ରକ୍ଷା କରିଥିଲେ ଦୁଇ ଅଭିଜ୍ଞ ବ୍ୟାଟ୍ସମ୍ୟାନ ଚେତେଶ୍ୱର ପୂଜାରା ଓ ଆଜିଙ୍କ୍ୟ ରାହାଣେ। ଦୁହେଁ ଚତୁର୍ଥ ୱିକେଟ୍ ପାଇଁ ଶତକୀୟ ଭାଗିଦାରୀ କରି ଭାରତକୁ ମ୍ୟାଚରେ କମବ୍ୟାକ୍ କରାଇଥିଲେ। ଏହି ସମୟରେ ପୂଜାରା ଓ ରାହାଣେ ଧୈର୍ଯ୍ୟର ବ୍ୟାଟିଂ କରି ଭାରତ ପାଇଁ ଆଶା ଉଜ୍ଜୀବିତ କରିଥିବା ବେଳେ ପୂଜାରା ୪୫ ରନ୍ କରି ଆଉଟ୍ ହୋଇଯାଇଛନ୍ତି । ପରେ ଭାରତ ପୁଣି ବିପର୍ଯ୍ୟରେ ଶିକାର ହୋଇଛନ୍ତି। କୋହଲି ୨୦, ରାହାଣେ ୬୧, ରବୀନ୍ଦ୍ର ଜାଡେଜା ୩ ରନ କରି ଆଉଟ ହୋଇଥିଲେ । ଋଷଭ ପନ୍ତ ୧୪ ଓ ଇଶାନ୍ତ ଶର୍ମା ୪ ରନରେ ବ୍ୟାଟିଂ କରୁଥିଲେ । ଏଥିସହ ଭାରତ ୧୫୪ ରନର ଲିଡ୍ ହାସଲ କରିନେଇଛି। ଇଂଲଣ୍ଡ ପକ୍ଷରୁ ମାର୍କ ଉଡ୍ ସର୍ବାଧିକ ୩ଟି, ମୋଇନ ଅଲ୍ଲୀ ୨ଟି ଓ ସାମ୍ କୁରାନ୍ ଗୋଟିଏ ୱିକେଟ୍ ନେଇଥିବା ବେଳେ ଅଭିଜ୍ଞ ପେସ୍ ବୋଲର ଜେମ୍ସ ଆଣ୍ଡରସନଙ୍କୁ କୌଣସି ସଫଳତା ମିଳିନାହିଁ ।
ତୃତୀୟ ଦିବସ ଶେଷ ସୁଦ୍ଧା ଇଂଲଣ୍ଡ ପ୍ରଥମ ଇନିଂସରେ ୩୯୧ ରନ୍ କରି ଅଲଆଉଟ୍ ହୋଇଥିଲା। ପ୍ରଥମ ଇନିଂସରେ ୨୭ ରନରେ ପଛୁଆ ଥିବା ଭାରତ ଚତୁର୍ଥ ଦିବସରେ ଆରମ୍ଭରୁ ଲଗାତର ୱିକେଟ୍ ହରାଇଥିଲା। ପ୍ରଥମ ପାଳିରେ ଦମଦାର ଶତକ ମାରିଥିବା ଲୋକେଶ ରାହୁଲ୍ ମାତ୍ର ୫ ରନ୍ କରି ମାର୍କ ଉଡଙ୍କ ଶିକାର ହୋଇଥିଲେ। ଅନ୍ୟତମ ରୋହିତ୍ ଶର୍ମା ଭଲ ବ୍ୟାଟିଂ କରି ମାର୍କ ଉଡଙ୍କୁ ଛକା ମାରିବାର ପରବର୍ତ୍ତୀ ବଲରେ ପ୍ୟାଭିଲିୟନ୍ ଫେରିଥିଲେ। ରୋହିତ୍ ୩୬ ବଲରେ ୨ ଚୌକା ଓ ୧ ଛକା ସହ ୨୧ ରନ୍ କରି ଆଉଟ୍ ହୋଇଥିଲେ।କ୍ୟାପଟେନ୍ ବିରାଟ୍ କୋହଲି ସକାରାତ୍ମକ ଆଭିମୁଖ୍ୟ ନେଇ ବ୍ୟାଟିଂ କରିଥିଲେ। କିନ୍ତୁ ତାଙ୍କୁ ଆଉଟ୍ କରିବାରେ ସଫଳ ହୋଇଥିଲେ ସାନ୍ କୁରାନ୍। କୁରାନଙ୍କ ବାହାରେ ଯାଉଥିବା ବଲକୁ ମାରିବାକୁ ଯାଇ କୋହଲି ୱିକେଟ୍ କିପର ଜୋସ୍ ବଟଲରଙ୍କୁ କ୍ୟାଚ୍ ଦେଇ ବସିଥିଲେ। କୋହଲି ୩୧ ବଲରେ ୪ ଚୌକା ସହ ୨୦ ରନ୍ କରିଥିଲେ। ଏହା ପରେ ପୂଜାରା ଓ ରାହାଣେ କ୍ରିଜରେ ଜମି ଯାଇଥିଲେ। ବିଶେଷକରି ପୂଜାରା ଧିମା ବ୍ୟାଟିଂ କରି ଇଂଲଣ୍ଡ ବୋଲରଙ୍କ ପରୀକ୍ଷା ନେଇଥିଲେ। ଅନ୍ୟପଟେ ରାହାଣେ ରନ୍ କରିବା ସହ ପୂଜାରାଙ୍କ ସହ ମିଶି ଭଲ ପାର୍ଟନରଶିପ୍ ଗଢ଼ିଥିଲେ। ତେବେ ପୂଜାରା ବ୍ୟକ୍ତିଗତ ୪୫ ରନ୍ କରିଥିବା ବେଳେ ଉଡଙ୍କ ବଲରେ ଆଉଟ୍ ହୋଇଥିଲେ।


