ଦ୍ଵିତୀୟ ଟେଷ୍ଟ : ୨୯ ବର୍ଷର ରେକର୍ଡ ଦୋହରାଇବା ଅପେକ୍ଷାରେ ଭାରତ
ଜୋହନ୍ସବର୍ଗ: ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ଭାରତୀୟ କ୍ରିକେଟ ଦଳ ଚମତ୍କାର ଭାବେ ପ୍ରଥମ ଟେଷ୍ଟ ଜିତି ଆଗୁଆ ରହିଛି। ଜାନୁଆରୀ ୩ ତାରିଖ ଜୋହନ୍ସବର୍ଗର ଓ୍ଵାଣ୍ଡରର୍ସ ଷ୍ଟାଡିୟମ୍ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ଵିତୀୟ ଟେଷ୍ଟ ଖେଳାଯିବ। ଏଠାରେ ଭାରତ ମୋଟ ୫ଟି ଟେଷ୍ଟ ମ୍ୟାଚ ଖେଳିଛି, ଯେଉଁଥିରୁ ୨ଟିରେ ବିଜୟ ହାସଲ କରିଥିବା ବେଳେ ଅନ୍ୟ ୩ଟି ମ୍ୟାଚ୍ ଡ୍ର ରହିଛି ।
୧୯୯୨ରେ ଭାରତ ଓ୍ଵାଣ୍ଡରର୍ସରେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳିଥିଲା। ଏଠାରେ ଟିମ୍ର ଶେଷ ଥର ପାଇଁ ୨୦୧୮ରେ ମୁକାବିଲା ହୋଇଥିଲା। ଗତ ୨୯ ବର୍ଷ ମଧ୍ୟରେ ଓ୍ଵାଣ୍ଡରର୍ସରେ ଦକ୍ଷିଣ ଆଫ୍ରିକା କେବେ ବି ଭାରତକୁ ହରାଇ ପାରିନାହିଁ । ଅନ୍ୟପଟରେ ଭାରତୀୟ ଦଳ ଆଜି ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକାରେ କୌଣସି ଶୃଙ୍ଖଳା ଜିତି ପାରି ନାହିଁ । ଯଦି ଦ୍ଵିତୀୟ ଟେଷ୍ଟକୁ ଭାରତ ଜିତିଯାଏ, ତେବେ ଇତିହାସ ରଚିବାକୁ ସକ୍ଷମ ହେବ। ଟିମ୍ ଇଣ୍ଡିଆକୁ ଦକ୍ଷିଣ ଆଫ୍ରିକାରେ ପ୍ରଥମ ବିଜୟ ଓ୍ଵାଣ୍ଡରର୍ସ ଗ୍ରାଉଣ୍ଡରେ ହିଁ ମିଳିଥିଲା । ୨୦୦୬ରେ ସେଠାରେ ରାହୁଲ ଦ୍ରାବିଡଙ୍କ ଅଧିନାୟକତ୍ଵରେ ଭାରତୀୟ ଦଳ ଘରୋଇ ଦଳକୁ ୧୨୩ ରନରେ ହରାଇଥିଲା । ଭାରତୀୟ ଦଳ ପ୍ରଥମ ପାଳିରେ ୨୪୯/୧୦ ରନ୍ କରିଥିଲା । ଦକ୍ଷିଣ ଆଫ୍ରିକା ପ୍ରଥମ ପାଳିରେ ମାତ୍ର ୮୪ ରନରେ ଅଲ୍-ଆଉଟ୍ ହୋଇଯାଇଥିଲା । ଭାରତୀୟ ଦଳ ଦ୍ଵିତୀୟ ପାଳିରେ ୨୩୬/୧୦ ରନ୍ କରିଥିଲା । ଏହାପରେ ଦକ୍ଷିଣ ଆଫ୍ରିକା ୨୭୮ରେ ଅଲ୍-ଆଉଟ୍ ହୋଇଯିବାରୁ ଭାରତ ୧୨୩ ରନରେ ବିଜୟ ହାସଲ କରିଥିଲା ।
ଦକ୍ଷିଣ ଆଫ୍ରିକାରେ ଶେଷ ଟେଷ୍ଟ ମ୍ୟାଚ ଭାରତ ୨୪ ଜାନୁଆରୀ ୨୦୧୮ରେ ଜୋହନ୍ସବର୍ଗରେ ଖେଳିଥିଲା। ଭାରତ ଏହି ମ୍ୟାଚକୁ ୬୩ ରନରେ ଜିତିଥିଲା। ଜୋହନ୍ସବର୍ଗରେ ଭାରତ ଦକ୍ଷିଣ ଆଫ୍ରିକା ବିରୋଧରେ ୧୯୯୨,୧୯୯୭ ଓ ୨୦୧୩ରେ ଖେଳିଥିବା ମ୍ୟାଚଗୁଡ଼ିକ ଡ୍ର’ ରହିଥିଲା। ଭାରତୀୟ ଦଳ ପାଇଁ ଜୋହନ୍ସବର୍ଗର ଓ୍ଵାଣ୍ଡରର୍ସ ଗ୍ରାଉଣ୍ଡ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହୋଇ ଆସିଛି। ଏହି ଅବସରରେ ଭାରତୀୟ ପ୍ରଶଂସକମାନେ ଆଶା କରିଛନ୍ତି ଯେ ଭାରତ ୩ ମ୍ୟାଚ ବିଶିଷ୍ଟ ସିରିଜର ଦ୍ଵିତୀୟ ଟେଷ୍ଟକୁ ଜିତି ଇତିହାସ ରଚିବାକୁ ସକ୍ଷମ ହେବ।
