ଦ୍ବିତୀୟ ଟେଷ୍ଟ : ୧୪୫ ରନର ବିଜୟ ଲକ୍ଷ୍ୟ ଜବାବରେ ଭାରତ ୪୫/୪
Bangladesh players appeals unsuccessful for India's Virat Kohli wicket during the third day of the second cricket test match between Bangladesh and India, in Dhaka, Bangladesh, Saturday, Dec. 24, 2022. (AP Photo/Surjeet Yadav)
ମୀରପୁର: ଭାରତ ଓ ବାଂଲାଦେଶ ମଧ୍ୟରେ ଏଠାରେ ଚାଲିଥିବା ଦ୍ବିତୀୟ ଟେଷ୍ଟ ଉତ୍କଣ୍ଠାପୂର୍ଣ୍ଣ ସ୍ଥିତିରେ ପହଞ୍ଚିଛି । ଭାରତକୁ ୧୪୫ ରନର ବିଜୟ ଲକ୍ଷ୍ୟ ମିଳିଛି । ଏହାର ଜବାବରେ ଭାରତ ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ୪୫ ରନରେ ୪ଟି ଓ୍ବିକେଟ୍ ହରାଇଛି । ଦୁଇ ଦିନର ଖେଳ ବାକି ଥିବା ବେଳେ ଭାରତକୁ ବିଜୟ ପାଇଁ ଆହୁରି ୧୦୦ ରନ୍ ଓ ବାଂଲାଦେଶକୁ ୬ ଓ୍ବିକେଟ୍ ଆବଶ୍ୟକ । ଷ୍ଟମ୍ପ ଅପସାରଣ ବେଳକୁ ଅକ୍ଷର ପଟେଲ ୨୬ ଜୟଦେବ ଉନାଦକଟ ୩ ରନ୍ କରି ଖେଳୁଛନ୍ତି । ୪ର୍ଥ ଦିନରେ ପିଚ୍ ବୋଲରଙ୍କୁ ସୁହାଇବାର ଯଥେଷ୍ଟ ସମ୍ଭାବନା ରହିଛି। ତେଣୁ ମ୍ୟାଚ୍ର ମୋଡ ବାଂଲାଦେଶ ସପକ୍ଷରେ ବଦଳିବାର ଯଥେଷ୍ଟ ଆଶଙ୍କା ରହିଛି।
ପୂର୍ବରୁ ବାଂଲାଦେଶ ଦ୍ବିତୀୟ ଇନିଂସରେ ୨୩୧ ରନ୍ କରି ଅଲ୍ଆଉଟ୍ ହୋଇଥିଲା । ଦ୍ୱିତୀୟ ଇନିଂସରେ ବାଂଲାଦେଶ ପାଇଁ ଲିଟନ୍ ଦାସ ସର୍ବାଧିକ ୭୩ ରନ୍ କରିଥିଲେ । ଜାକିର ହାସନଙ୍କ ୫୧ ଓ ତସ୍କିନ ଅହମଦଙ୍କ ଅପରାଜିତ ୩୧ ରନ ଯୋଗୁ ଦ୍ୱିତୀୟ ଇନିଂସରେ ୨୩୧ ରନ କରିବାକୁ ସକ୍ଷମ ହୋଇଥିଲା। ପ୍ରଥମ ଇନିଂସରେ ଭାରତ ୮୭ ରନର ଲିଡ୍ ହାସଲ କରିଥିବାରୁ ମ୍ୟାଚ୍ ଜିତିବା ପାଇଁ ଦଳକୁ ୧୪୫ ରନର ଟାର୍ଗେଟ ମିଳିଛି। ଭାରତ ପକ୍ଷରୁ ଅକ୍ଷର ପଟେଲ ୩ଟି ୱିକେଟ୍ ନେଇଥିଲେ।
ତୃତୀୟ ଦିନରେ ଭାରତକୁ ୨୩ ଓଭର ବ୍ୟାଟିଂ କରିବାକୁ ଥିବାରୁ ଲାଗୁଥିଲା ଦଳ ବିଜୟର ନିକଟରବର୍ତ୍ତୀ ହୋଇଯିବ। କିନ୍ତୁ ବାଂଲାଦେଶର ବୋଲରମାନେ ଏହା କରାଇ ଦେଇ ନାହାନ୍ତି। ସେମାନଙ୍କର ଦମଦାର ବୋଲିଂ ଆଗରେ ଭାରତର ୪ ଟପ୍ ଅର୍ଡର ବ୍ୟାଟର ଫେଲ ମାରିଛନ୍ତି। ପ୍ରଥମେ ଅଧିନାୟକ କେଏଲ ରାହୁଲ(୩) ସାକିବ ଅଲ ହାସନଙ୍କ ବଲରେ ଆଉଟ ହୋଇଥିଲେ। ଏହାପରେ ବିପର୍ଯ୍ୟୟ ଘଟାଇଥିଲେ ମେହଦୀ ହାସନ ମିରଜା। ସେ ଅଭିଜ୍ଞ ଚେତେଶ୍ୱର ପୂଜାରା(୬)ଙ୍କୁ ପ୍ରଥମେ ଷ୍ଟମ୍ପିଂ କରାଇଥିଲେ। ଏହାପରେ ଆସିଥିଲେ ନାଇଟ ୱାଚମ୍ୟାନ ଅକ୍ଷର ପଟେଲ। ସେ ବେଶ ସତର୍କତାର ସହ ଖେଳୁଥିଲେ ମଧ୍ୟ ଓପନର ଶୁବମନ ଗିଲ୍ କ୍ରିଜ୍ରେ ସଂଘର୍ଷ କରିବା ଆରମ୍ଭ କରିଥିଲେ। ଶେଷରେ ସେ ୭ ରନ କରି ମିରାଜଙ୍କ ଦ୍ୱିତୀୟ ଶିକାର ବନିଥିଲେ। ୨୯ ରନରେ ୩ ୱିକେଟ ହରାଇଥିବା ଭାରତକୁ ବିରାଟ କୋହଲି ପୁଣି ନିରାଶ କରିଥିଲେ। ସେ ମାତ୍ର ୧ ରନ କରିବାକୁ ସକ୍ଷମ ହୋଇଥିଲେ। ତାଙ୍କ ୱିକେଟ ମଧ୍ୟ ମିରାଜ ନେଇଛନ୍ତି। ୩୭ ରନରେ ୪ ୱିକେଟ ହରାଇଥିବା ଭାରତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରାଇ ଦ୍ରୁତ ବୋଲର ଜୟଦେବ ଉନାଦକତଙ୍କୁ କ୍ରିଜକୁ ପଠାଇଥିଲା। ତାଙ୍କୁ ଆଉଟ କରିବା ପାଇଁ ବାଂଲାଦେଶର ଦୁଇ ସ୍ପିନର ତାଇଜୁଲ ଇସଲାମ ଓ ମିରାଜ ଯଥା ସମ୍ଭବ ଚେଷ୍ଟା କରିଥିଲେ। ହେଲେ ଉନାଦକତ ଓ ଅକ୍ଷର ପଟେଲ ଏହା କରାଇ ଦେଇ ନଥିଲେ। ଶେଷରେ ଉଭୟ ଷ୍ଟମ୍ପ ଅପସାରଣ ହେବା ଯାଏ କ୍ରିଜ୍ ରହିବା ସହ ଦଳୀୟ ସ୍କୋରକୁ ୪୫ ରନରେ ପହଞ୍ଚାଇ ଦେଇଛନ୍ତି। ଆସନ୍ତାକାଲି ଉଭୟ ପୁଣି ବ୍ୟାଟିଂ କରିବେ। ଭାରତ ହାତରେ ଆହୁରି ୬ଟି ୱିକେଟ ରହିଛି। ପ୍ରଥମ ଇନିଂସରେ ୯୩ ରନ କରିଥିବା ଋଷଭ ପନ୍ତ ଓ ୮୭ ରନ କରିଥିବା ଶ୍ରେୟସ ଆୟର ବ୍ୟାଟିଂ କରିବାକୁ ଆସି ନାହାନ୍ତି। ତେଣୁ ଉଭୟଙ୍କ ଉପରେ ପୂରା ମ୍ୟାଚ୍ ଏବେ ନିର୍ଭର କରୁଛି। ଦଳକୁ ମ୍ୟାଚ୍ ଜିତିବା ପାଇଁ ୧୦୦ ରନର ଆବଶ୍ୟକ ରହିଥିବାରୁ ଏହି ଦୁଇ ଖେଳାଳି ହିଁ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ। ଭାରତ ମ୍ୟାଚ୍ ଜିତିଲେ ୨-୦ରେ ସିରିଜ୍ କ୍ଲିନ ସୁଇପ କରିବ। ଅନ୍ୟଥା ଟେଷ୍ଟ ସିରିଜ୍ ୧-୧ରେ ବାରବର ହୋଇଯିବ।
