ଢିଙ୍କିଆରେ ୨ୟ ଥର ଜନଶୁଣାଣି : ଧସ୍ତାଧସ୍ତି ହେଲେ ପୋଲିସ-ଗ୍ରାମବାସୀ
ଢିଙ୍କିଆ : ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଜେଏସଡବ୍ଲୁ ପ୍ରକଳ୍ପକୁ ନେଇ ଶନିବାର ଢିଙ୍କିଆରେ ୨ୟ ଥର ଆରମ୍ଭ ହୋଇଛି ଜନ ଶୁଣାଣି । ଢିଙ୍କିଆ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଆୟୋଜିତ ଏହି ଜନ ଶୁଣାଣିରେ ଢ଼ିଙ୍କିଆ ପଂଚାୟତର ଢ଼ିଙ୍କିଆ, ଗୋବିନ୍ଦପୁର, ମାହାଳ ଓ ପାଟଣା ଆଦି ଗ୍ରାମବାସୀଙ୍କ ସମେତ ଜଗତସିଂହପୁର ଜିଲ୍ଲାପାଳ ,ଏସ୍ପି ,ବିଭିନ୍ନ ପ୍ରଶାସନିକ ଅଧିକାରୀଙ୍କ ଓ ହାଇକୋର୍ଟଙ୍କ ଦ୍ଵାରା ଚୟନ କରାଯାଇଥିବା ପ୍ରତିନିଧି ମାନେ ଉପସ୍ଥିତ ରହିଛନ୍ତି ।
ଖବର ଅନୁଯାୟୀ, ପ୍ରକଳ୍ପକୁ ବିରୋଧ କରି ଗତ ଜାନୁଆରୀ ମାସରେ ପୋଲିସ ଓ ଆନ୍ଦୋଳନକାରୀ ମୁହାଁମୁହିଁ ହୋଇଥିଲେ । ଏହାପରେ ପୋଲିସ ପକ୍ଷରୁ ଲାଠି ଚାର୍ଜ କରାଯାଇଥିଲା । ଏହି ଘଟଣାରେ ବହୁ ଆନ୍ଦୋଳନକାରୀ ଆହତ ହୋଇଥିଲେ । ପରେ ଏହାର ପ୍ରତିବାଦରେ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା । ହାଇକୋର୍ଟ ମାମଲାରୁ ଶୁଣାଣି କରି ଢ଼ିଙ୍କିଆରେ ପୂନର୍ବାର ଜନ ଶୁଣାଣି କରି ଲୋକଙ୍କ ମତ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ, ଶନିବାର ଦିନ ୧୧ଟାରେ ଜନ ଶୁଣାଣି ଆରମ୍ଭ ହୋଇଥିବା ବେଳେ ପ୍ରକଳ୍ପ ବିରୋଧୀଙ୍କୁ କହିବାକୁ ସୁଯୋଗ ଦିଆଯାଉଥିବା ଅଭିଯୋଗ ଆସିଛି । ଏହାକୁ ନେଇ ବୈଠକ ସ୍ଥଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଗଣମାଧ୍ୟମ ଆଗରେ ବିରୋଧୀ ମାନେ ପ୍ରତିକ୍ରିୟା ରଖୁଥିବା ବେଳେ ପୋଲିସ ଏଥିରେ ପ୍ରତିରୋଧ କରିଛୁ । ଯାହାକୁ ନେଇ ପୋଲିସ ଓ ଗ୍ରାମବାସୀ ଧସ୍ତାଧସ୍ତି ହୋଇଛନ୍ତି ।
