ଆଜିଠୁ ଦ୍ୱିତୀୟ ପର୍ଯ୍ୟାୟ ମୌସୁମୀ ଅଧିବେଶନ, ଉପସ୍ଥାପନ ହେବ ବିଭିନ୍ନ ବିଭାଗର ଷ୍ଟାଣ୍ଡିଂ କମିଟି ରିପୋର୍ଟ
ଭୁବନେଶ୍ୱର : ଆଜି ଠାରୁ ଆରମ୍ଭ ହେଉଛି ବିଧାନସଭା ମୌସୁମୀ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ । ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ ଦିନରେ ବିଭିନ୍ନ ବିଭାଗର ଷ୍ଟାଣ୍ଡିଂ କମିଟି ରିପୋର୍ଟ ଉପସ୍ଥାପନ ହେବ । ୧୪ ତାରିଖରୁ ୨୮ ତାରିଖ ଯାଏ ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ଉପରେ ଆଲୋଚନା ହେବ । ଯେଉଁ ବିଭାଗର ଖର୍ଚ୍ଚ ଦାବି ଉପରେ ଆଲୋଚନା ହୋଇପାରିବନି, ତାହା ୨୯ ତାରିଖରେ ଗିଲୋଟିନ ଜରିଆରେ ପାରିତ ହେବ । ବାଚସ୍ପତି ବିକ୍ରମ କେଶରୀ ଆରୁଖ କହିଛନ୍ତି, ୩୦ ତାରିଖରେ ୨୦୨୨-୨୩ ଆର୍ôଥକ ବର୍ଷର ବ୍ୟୟ ମଞ୍ଜୁରୀ ବିଲ୍ ପାରିତ ହେବ । ପ୍ରଶ୍ନକାଳ ସ୍ୱାଭାବିକ କରିବାକୁ ସବୁ ବିଧାୟକଙ୍କ ସହଯୋଗ ଲୋଡ଼ିଥିବା କହିଛନ୍ତି ବାଚସ୍ପତି । ସେହିପରି ସରକାରୀ ଦଳର ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି, ଯାହା କାର୍ଯ୍ୟକ୍ରମ ଧାର୍ଯ୍ୟ ହୋଇଛି, ସେହି ଅନୁସାରେ ସବୁ କାର୍ଯ୍ୟକ୍ରମ ହେବ । ବିରୋଧୀ ଦଳ ଯେଉଁ ପ୍ରସଙ୍ଗ ଉଠାଇବେ, ଆଲୋଚନା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି । ବିରୋଧୀ ଦଳ ମୁଲତବୀ ପ୍ରସ୍ତାବ ଆଣିଲେ ମଧ୍ୟ ଆଲୋଚନା କରାଯିବ ।
ପ୍ରଥମ ପର୍ଯ୍ୟାୟରେ କେବଳ ଗୋଟେ ଦିନ ପ୍ରଶ୍ନକାଳ ପ୍ରଭାବିତ ହୋଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ କିପରି ପ୍ରଶ୍ନକାଳ ଶୃଙ୍ଖଳିତ ହେବ ସେ ନେଇ ପ୍ରୟାସ କରାଯିବ ବୋଲି ବାଚସ୍ପତି କହିଛନ୍ତି । ଦ୍ୱିତୀୟ ପର୍ଯ୍ୟାୟରେ ସରକାରଙ୍କୁ ଘେରିବାକୁ ଯୋଜନା କରିଛନ୍ତି ବିରୋଧୀ । ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା ପ୍ରସଙ୍ଗରେ ଛାତ୍ରୀଙ୍କ ମା’ଙ୍କୁ ଉଠାଇ ନେବା, ଚାଷୀ ସମସ୍ୟାକୁ ମୁଖ୍ୟ ପ୍ରସଙ୍ଗ କରିବ କଂଗ୍ରେସ । ସେପଟେ ବିଜେପି କହିଛି ରାଜ୍ୟରେ ଆଇନ ଶୃଙ୍ଖଳା ବିଗିଡିଛି । ମହିଳା ସୁରକ୍ଷିତ ନୁହେଁ, ଚୋରି, ଡକାୟତି ଚାଲିଛି । ଚାଷୀ ଆତ୍ମହତ୍ୟା ବଢୁଛି । ସରକାରୀ ତଥ୍ୟଠୁ ଅଧିକ ଚାଷୀ ଆତ୍ମହତ୍ୟା କରୁଛନ୍ତି । ସବୁ କ୍ଷେତ୍ରରେ ସରକାର ବିଫଳ । ରୁଚିକା ପ୍ରସଙ୍ଗ ବି ଉଠାଇବ ଦଳ । ଗୃହ କାର୍ଯ୍ୟ ଅଧିକ ସମୟ ଚାଲିବ ବୋଲି ଆଶା ରଖୁଛୁ । କିନ୍ତୁ ଗୁରୁତର ପ୍ରସଙ୍ଗକୁ ସରକାର ଏଡେଇଗଲେ ପ୍ରତିବାଦ କରାଯିବ ବୋଲି କହିଛନ୍ତି ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର । ସରକାରୀ ଦଳ ମୁଖ୍ୟ ସଚେତକ କହିଛନ୍ତି, ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନର ମୁଖ୍ୟ ପର୍ଯ୍ୟାୟ । ବିଭାଗୱାରୀ ଖର୍ଚ୍ଚ ଦାବି ଆଲୋଚନା ହେବ । ଯାହା କାର୍ଯ୍ୟକ୍ରମ ଧାର୍ଯ୍ୟ ହୋଇଛି ସେହି ଅନୁସାରେ ସମସ୍ତ କାର୍ଯ୍ୟକ୍ରମ ଚାଲିବ । ବରୋଧୀ ଦଳ ଯେଉଁ ପ୍ରସଙ୍ଗ ଉଠାଇବେ ସରକାର ଆଲୋଚନା ପାଇଁ ପ୍ରସ୍ତୁତ । ବିରୋଧୀ ଦଳ ମୁଲତବୀ ପ୍ରସ୍ତାବ ଆକାରରେ ଆଣିଲେ ଆଲୋଚନା କରାଯିବ ବୋଲି ସରକାରୀ ମୁଖ୍ୟ ସଚେତକ କହିଛନ୍ତି ।
