ଦ୍ୱିତୀୟ ଦିନିକିଆ: ଜିମ୍ବାୱେକୁ ୫ ଓ୍ବିକେଟରେ ହରାଇ ସିରିଜ୍ କବଜା କଲା ଭାରତ
ହରାରେ: ଭାରତ ଏଠାରେ ଶନିବାର ଅନୁଷ୍ଠିତ ଦ୍ୱିତୀୟ ଦିନିକିଆରେ ଜିମ୍ବାୱେକୁ ୫ ଓ୍ବିକେଟରେ ହରାଇ ଦେଇଛି । ପୁଣି ଏକ ଏକତରଫା ବିଜୟ ସହ ଭାରତ ୨-୦ରେ ଅପରାଜେୟ ଅଗ୍ରଣୀ ସହ ତିନି ମ୍ୟାଚ୍ ବିଶିଷ୍ଟ ସିରିଜକୁ ଆଗୁଆ କବଜା କରିଛି। ଭାରତ ପୁଣି ଟସ୍ ଜିତି ଜିମ୍ବାୱେ କୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲା । ଭାରତୀୟ ବୋଲରଙ୍କ ଚମତ୍କାର ପ୍ରଦର୍ଶନ ଯୋଗୁଁ ଜିମ୍ବାୱେ ୩୮.୧ ଓଭରରେ ମାତ୍ର ୧୬୧ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା । ଶାର୍ଦ୍ଦୁଲ ଠାକୁର ସର୍ବାଧିକ ୩ଟି ୱିକେଟ୍ ନେଇଥିଲେ। ଏହି ମାମୁଲି ଟାର୍ଗେଟକୁ ଭାରତ ୨୫.୪ ଓଭରରେ ହାସଲ କରିନେଇଥିଲା । ଦଳ ପକ୍ଷରୁ ସଞ୍ଜୁ ସାମସନ ସର୍ବାଧିକ ୪୩ ରନ୍ ସଂଗ୍ରହ କରିଥିଲେ। ଅନ୍ୟପକ୍ଷରେ ଧାୱନ ଏବଂ ଶୁବମାନ ଗିଲଙ୍କ ବ୍ୟାଟରୁ ୩୩-୩୩ ରନ୍ ଆସିଥିଲା। କ୍ୟାପଟେନ କେଏଲ ରାହୁଲ ଆଜି ଇନିଂସ ଓପନ କରିଥିବା ବେଳେ ମାତ୍ର ୧ ରନ୍ କରି ଆଉଟ୍ ହୋଇଥିଲେ । ଜିମ୍ବାୱେ ପାଇଁ ଲୁକ ଜୋଙ୍ଗୱେ ସର୍ବାଧିକ ୨ଟି ୱିକେଟ୍ ନେଇଥିଲେ। ହ୍ବାଇଟ୍ ବଲ୍ କ୍ରିକେଟରେ ଭାରତୀୟ ଦଳର ଏହା କ୍ରମାଗତ ଚତୁର୍ଥ ସିରିଜ୍ ବିଜୟ। ଏହାପୂର୍ବରୁ ଟିମ୍ ଇଣ୍ଡିଆ ଦୁଇଥର ୱେଷ୍ଟଇଣ୍ଡିଜ ଏବଂ ଇଂଲଣ୍ଡକୁ ପରାସ୍ତ କରିଥିଲା। ସୂଚନା ଯେ, ସିରିଜ୍ର ତୃତୀୟ ମ୍ୟାଚ୍ ଆସନ୍ତା ୨୨ ତାରିଖରେ ଖେଳାଯିବ।
ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ କେଏଲ ରାହୁଲ ପୁଣିଥରେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ। ଜିମ୍ବାୱେର ଦୁଇ ଓପନର ତାକୁଦଜ୍ୱାନ୍ସେ କାଇତାନୋ ଓ ଇନୋସେଣ୍ଟ କାଇଆ ବେଶ ସତର୍କତାର ସହ ଇନିଂସ ଆରମ୍ଭ କରିଥିଲେ। ଉଭୟ ୯ ଓଭର ବ୍ୟାଟିଂ କରିଥିଲେ ମଧ୍ୟ କେବଳ ୨୦ ରନ ଯୋଡ଼ିବାକୁ ସକ୍ଷମ ହୋଇଥିଲେ। ଦଳୀୟ ସ୍କୋର ୨୦ ଥିବା ବେଳେ କାଇତାନୋ(୭)ଙ୍କୁ ମହମ୍ମଦ ସିରାଜ ଆଉଟ କରି ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ଏହାପରେ କାଇଆ(୧୬) ଶାର୍ଦ୍ଦୁଲ ଠାକୁରଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ। ଅଧିନାୟକ ରେଜିସ୍ ଚକଭା(୨) ଓ ୱେସଲି ମାଧେଭେରେ (୨) ପୁଣିଥରେ ସମସ୍ତଙ୍କୁ ନିରାଶ କରିଥିଲେ। ମାଧେଭେରେଙ୍କୁ ପ୍ରସିଦ୍ଧ କ୍ରିଷ୍ଣା ଓ ଚାକଭାଙ୍କୁ ଶାର୍ଦ୍ଦୁଲ ଠାକୁର ଆଉଟ କରିଥିଲେ। ସିକନ୍ଦର ରାଜା ଓ ସେନ ୱିଲିୟମ୍ସ କିଛି ସମୟ ଲଢ଼େଇ କରିଥିଲେ। ହେଲେ ଏହି ଯୋଡ଼ିକୁ କୁଲଦୀପ ଯାଦବ ଭାଙ୍ଗିଥିଲେ। ସେ ୧୬ ରନ କରିଥିବା ରାଜାଙ୍କୁ ପ୍ୟାଭିଲିୟନ ପଠାଇ ଦେଇଥିଲେ। ୭୨ ରନରେ ଜିମ୍ବାୱେ ୫ ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା। ହେଲେ ୱିଲିୟମ୍ସ ଓ ରାୟନ ବୁର୍ଲ ସ୍ଥିତି ସମ୍ଭାଳି ଦଳୀୟ ସ୍କୋରକୁ ୧୦୫ରେ ପହଞ୍ଚାଇ ଦେଇଥିଲେ। ତେବେ ୪୨ ରନ କରିଥିବା ୱିଲିୟମ୍ସଙ୍କୁ ଦୀପକ ଡୁଡ୍ଡା ଆଉଟ କରି ଘରୋଇ ଦଳକୁ ସବୁଠାରୁ ବଡ଼ ଝଟକା ଦେଇଥିଲେ। ବୁର୍ଲ କ୍ରିଜ୍ରେ ଥିବାରୁ ଜିମ୍ବାୱେ ତାଙ୍କ ଠାରୁ ଭଲ ଇନିଂସ ଆଶା ରଖିଥିଲା। ସେ ମଧ୍ୟ ଶେଷ ଯାଏ ଅପରାଜିତ ୩୯ ରନର ଇନିଂସ ଖେଳିଛନ୍ତି। ହେଲେ ଅନ୍ୟପଟେ ଲୁକ ଜଙ୍ଗୱି(୬) ବ୍ରାଡ ଇଭାନ୍ସ(୯) ଭିକ୍ଟର ନାଉଚି(୦) ଓ ତନକା ଚିଭାଙ୍ଗା(୪) କେହି ବି ତାଙ୍କ ସାଥ ଦେଇ ନଥିଲେ। ଶେଷରେ ପୂରା ଟିମ ୩୮.୧ ଓଭରରେ ୧୬୧ ରନ କରି ଅଲଆଉଟ ହୋଇ ଯାଇଥିଲା। ଭାରତ ପକ୍ଷରୁ ଶାର୍ଦ୍ଦୁଲ ଠାକୁର ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ମହମ୍ମଦ ସିରାଜ, ପ୍ରସିଦ୍ଧ, କୁଲଦୀପ ଯାଦବ, ଅକ୍ଷର ପଟେଲ ଓ ଦୀପକ ହୁଡ୍ଡା ଗୋଟିଏ ଲେଖାଏ ସଫଳତା ପାଇଛନ୍ତି।
୧୬୨ ରନର ଟାର୍ଗେଟ ପାଇଥିବା ଭାରତ ପାଇଁ ଆଜି ଶିଖର ଧୱନଙ୍କ ସହ ଅଧିନାୟକ କେଏଲ ରାହୁଲ ଇନିଂସ ଆରମ୍ଭ କରିଥିଲେ। ହେଲେ ରାହୁଲ କେବଳ ୧ ରନ କରିବାକୁ ସକ୍ଷମ ହୋଇଥିଲେ। ୩ନଂରେ ବ୍ୟାଟିଂ କରିବାକୁ ଆସିଥିବା ଗିଲ୍ ନିଜର ଜଲୱା ଦେଖାଇ ୩୩ ରନର ଇନିଂସ ଖେଳିଥିଲେ। ଧୱନ ମଧ୍ୟ ୩୩ ରନ କରିଛନ୍ତି। ରାହୁଲଙ୍କ ୱିକେଟ ନାଉଚି ନେଇଥିବା ବେଳେ ଧୱନଙ୍କୁ ଚିଭାଙ୍ଗା ପ୍ୟାଭିଲିୟନ ପଠାଇ ଦେଇଥିଲେ। ସେହିପରି ଜଙ୍ଗୱି ପ୍ରଥମେ ଗିଲ ଓ ପରେ ଈଶାନ କିଶନଙ୍କୁ ଆଉଟ କରିଥିଲେ। ଦୀପକ ହୁଡ୍ଡା(୨୫)ଙ୍କୁ ସିକନ୍ଦର ରାଜା ବୋଲ୍ଡ କରିଛନ୍ତି। ତେବେ ସଞ୍ଜୁ ସାମସନ ୪୩ ଓ ଅକ୍ଷର ପଟେଲ ଅପରାଜିତ ୬ ରନର ଇନିଂସ ଖେଳି ଭାରତ ପାଇଁ ବିଜୟ ମୁଣ୍ଡି ମାରିଛନ୍ତି। ଅପରାଜିତ ୪୩ ରନର ଇନିଂସରେ ସାମସନ ୪ଟି ଛକା ଓ ୩ଟି ଚୌକା ମାରିଛନ୍ତି। ସେହିପରି ଅକ୍ଷର ମଧ୍ୟ ନିଜର ଛୋଟିଆ ଇନିଂସରେ ଗୋଟିଏ ଚୌକା ମାରିଛନ୍ତି।
