‘ଓମିକ୍ରନ୍’ ଭାରିଏଂଟ ଚିହ୍ନଟ କରିଥିବା ବୈଜ୍ଞାନିକଙ୍କୁ ହତ୍ୟା ଧମକ
ନୂଆଦିଲ୍ଲୀ : କରୋନାର ନୂଆ ଭାରିଏଂଟ ଓମିକ୍ରନ୍ ଚାରିଆଡେ କାୟା ମେଲାଇଲାଣି। ଦିନକୁ ଦିନ ଗୋଟିଏ ଦେଶରୁ ଅନ୍ୟ ଦେଶକୁ ଦ୍ରୁତଗତିରେ ବ୍ୟାପିଲାଣି । ଦେଖୁ ଦେଖୁ ୬୦ରୁ ଅଧିକ ଦେଶକୁ ବ୍ୟାପିଗଲାଣି ଓମିକ୍ରନ୍ । ଏହାରି ଭିତରେ ଏହି ଭାରିଏଂଟକୁ ଚିହ୍ନଟ କରିଥିବା ବୈଜ୍ଞାନିକଙ୍କୁ ମିଳିଛି ହତ୍ୟା ଧମକ ।
ଦକ୍ଷିଣ ଆଫ୍ରିକାର ଯେଉଁ ବୈଜ୍ଞାନିକ ମାନେ କରୋନା ଭାଇରସ୍ର ଓମିକ୍ରନ୍ ଭାରିଏଂଟ ଚିହ୍ନଟ କରିଛନ୍ତି, ସେମାନଙ୍କୁ ହତ୍ୟା ଧମକ ମିଳିଛି । ଏନେଇ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସିରିଲ ରାମାଫୋସାଙ୍କୁ ଏକ ଚିଠି ପଠାଯାଇଛି । ଦକ୍ଷିଣ ଆଫ୍ରିକାର ୱେବସାଇଟ୍ ସଣ୍ଡେ ଟାଇମ୍ସରେ ପ୍ରକାଶିତ ଏକ ଖବର ମୁତାବକ, ଏହି ଧମକ ଦେଇଥିବା ଲୋକଙ୍କ ବିଷୟରେ ପୁଲିସ ତଦନ୍ତ ଆରମ୍ଭ କରିଛି । କେଉଁମାନେ ଏହି ଧମକପୂର୍ଣ୍ଣ ଚିଠି ପଠାଇଛନ୍ତି ସେ ନେଇ ପୁଲିସ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଛି । ସେପଟେ ଏହି ଚିଠିରେ ଧମକ ଦେଇଥିବା ଦୁର୍ବୃତ ଜଣକ ଲେଖିଛି ଯେ ‘ବୈଜ୍ଞାନିକମାନେ ଏହି ଭାରିଏଂଟକୁ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛନ୍ତି । ଏଭଳି ଆତଙ୍କ ସୃଷ୍ଟି କରିବା ଠିକ୍ ନୁହେଁ । ତେଣୁ ତାଙ୍କୁ ହତ୍ୟା କରାଯିବ ।’
