ଆଜିଠୁ ରାଜ୍ୟରେ ଖୋଲିବ ସ୍କୁଲ
- ପାଠ ପଢିବେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ
- କ୍ୟାମ୍ପସରେ ରହିବ ଆଇସୋଲେସନ ରୁମ୍
- ୩୦ ଜିଲ୍ଲାକୁ ଗଲେ ନୋଡାଲ୍ ଅଫିସର
- କଟକଣା ମଧ୍ୟରେ ଖୋଲିବ ହଷ୍ଟେଲ
ଆଜିଠୁ ଖୋଲିବ ସ୍କୁଲ
ଭୁବନେଶ୍ୱର : ସୋମବାର ଠାରୁ କୋଭିଡ୍ କଟକଣା ମଧ୍ୟରେ ଖୋଲିବ ସ୍କୁଲ । ସକାଳ ୧୦ ଟାରୁ କ୍ଲାସ ଆରମ୍ଭ ହୋଇ ଦିନ ୧.୩୦ ଯାଏ ଚାଲିବ। ସେଥିପାଇଁ ସ୍କୁଲ, ଛାତ୍ରଛାତ୍ରୀ ଓ ଶିକ୍ଷକ ସମେସ୍ତ ପ୍ରସ୍ତୁତ । ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଠ ପଢା ଆରମ୍ଭ ହେବ । ଏହା ପୂର୍ବରୁ ସ୍କୁଲ ଗୁଡିକରେ ସାନିଟାଇଜେସନ୍ କରାଯାଇଛି । ସ୍କୁଲ ସାନିଟାଇଜ୍ କରିବା ସହ ସ୍କୁଲ ପରିସର ସଫା କରାଯାଇଛି। ସାମାଜିକ ଦୂରତା କିପରି ରକ୍ଷା ହୋଇ କ୍ଲାସ ହେବ, ସେ ନେଇ ବିଭିନ୍ନ ସେକ୍ସନରେ ଶ୍ରେଣୀ ବିଭକ୍ତ କରାଯାଇଛି। ପାଣି ବ୍ୟବସ୍ଥା ସହ ସାନିଟାଇଜର ବ୍ୟବସ୍ଥା ହୋଇଛି। ହେଲେ ସ୍କୁଲରେ ନା ହେବ ପ୍ରାର୍ଥନା ନା ଟିଫିନ ବ୍ରେକ, ନନ୍-ଷ୍ଟପ୍ ଚାଲିବ କ୍ଲାସ। ରବିବାର ଓ ସମସ୍ତ ସରକାରୀ ଛୁଟି ଦିନ ଗୁଡ଼ିକରେ ସ୍କୁଲ ବନ୍ଦ ରହିବ। ପିଲାମାନେ ଅଭିଭାବକମାନଙ୍କ ସହ ଆଲୋଚନା କରି ସ୍କୁଲ ଆସି ପାରିବେ । ଛାତ୍ରଛାତ୍ରୀଙ୍କ ଶରୀରର ତାପମାତ୍ରା ମାପି କ୍ଲାସ ପ୍ରବେଶ ପାଇଁ ଅନୁମତି ମିଳିବ। ଲକ୍ଷଣ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ଆଇସୋଲେସନ ରୁମର ବ୍ୟବସ୍ଥା ହୋଇଛି। ଶିକ୍ଷକମାନେ ଟିକା ନେଇ ଆସିବାର ନିୟମ ହୋଇଛି। ତେବେ ଦ୍ୱିତୀୟ ଡୋଜ ଟିକା ନ ନେଇଥିଲେ ବି ଗୋଟିଏ ଡୋଜ ଟିକା ନେଇଥିବା ଶିକ୍ଷକ ସ୍କୁଲ ଆସିପାରିବେ।
ଏହା ସହ ଘରୋଇ ସଂସ୍ଥା ପରିଚାଳିତ ଇଂଲିଶ ମିଡିୟମ ସ୍କୁଲ, ଗଣଶିକ୍ଷା, ଏସସି/ଏସଟି ଓ ପଛୁଆ ବର୍ଗ ପରିଚାଳିତ ହଷ୍ଟେଲ ଖୋଲିବ । ହଷ୍ଟେଲ ଖୋଲିବା ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ଏସଓପି ଜାରି କରାଯାଇଥଲା । ନିର୍ଦ୍ଧିଷ୍ଟ ବ୍ୟବଧାନରେ ମେସ୍ ଓ ଶୌଚାଳୟ ବିଶୋଧନ ସହ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମାର୍ଗଦର୍ଶିକା ମାନିବାକୁ ଏସଓପିରେ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ପ୍ରତି ସତର୍କ ରହିବା, ହଷ୍ଟେଲ ପରିସରରେ ଗହଳି ଏଡାଇବାକୁ କୁହାଯାଇଛି । ଗତ ୧୭ ତାରିଖରେ ଗଣଶିକ୍ଷା ବିଭାଗ ସଚିବ ସତ୍ୟବ୍ରତ ସାହୁ ସୂଚନା ଦେଇଥିଲେ ଯେ ଯେଉଁ ସ୍କୁଲରେ ମାଟ୍ରିକ ପରୀକ୍ଷା କେନ୍ଦ୍ର ହୋଇଛି ସେଠାରେ ପରୀକ୍ଷା ପରେ ଖୋଲାଯିବ । ତେବେ ସ୍କୁଲକୁ ଆସିବା ଛାତ୍ରଛାତ୍ରୀଙ୍କ ଇଚ୍ଛାଧୀନ ରହିବ । ଏଥିସହ ସମସ୍ତ ଶ୍ରେଣୀର ଅନଲାଇନ୍ କ୍ଲାସ୍ ଜାରି ରହିବ । ସ୍କୁଲ ସକାଳ ୧୦ଟାରୁ ଦିନ ୧ଟା ୩୦ ପର୍ଯ୍ୟନ୍ତ ଖୋଲିବ । ସ୍କୁଲରେ ଖେଳଛୁଟି ହେବନି । ରବିବାର ଓ ସମସ୍ତ ସରକାରୀ ଛୁଟି ଦିନ ମାନଙ୍କରେ ସ୍କୁଲ ବନ୍ଦ ରହିବ । ପିଲାମାନେ ଅଭିଭାବକମାନଙ୍କ ସହ ଆଲୋଚନା କରି ସ୍କୁଲ ଆସି ପାରିବେ । ସ୍କୁଲ ଖୋଲିବା ନେଇ ଜିଲ୍ଲାପାଳ ନିଷ୍ପତି ନେବେ ।
ସୂଚନା ଯେ, କ୍ୟାମ୍ପସ୍ରେ ସାମାଜିକ ଦୂରତା ଓ ମାସ୍କକୁ ବାଧ୍ୟତାମୂଳକ କରାଯାଇଛି। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିଦେଇ ସ୍କୁଲଗୁଡ଼ିକ କ୍ଲାସରୁମ୍ ବାହାରେ ବି ପିଲାଙ୍କୁ ପଢ଼ାଇପାରିବେ। ତେବେ ପାଗ ଅନୁକୂଳ ଥିବା ଦରକାର। କୋଭିଡ୍-୧୯ ପାଇଁ ଜାରି ହୋଇଥିବା ହେଲପ୍ ଲାଇନ୍ ନମ୍ବରକୁ କ୍ୟାମ୍ପସରେ ପ୍ରଦର୍ଶିତ କରିବେ। ପ୍ରତି ସ୍କୁଲ୍ରେ ଆଇସୋଲେସନ୍ ରୁମ୍ ଖୋଲାଯିବ। କୋଭିଡ୍ ମନିଟରିଂ ଟିମ୍ ଗଠନ କରାଯିବ। ସ୍କୁଲ ଖୋଲିବାର ୩୦ ମିନିଟ୍ ଆଗରୁ ଓ ବନ୍ଦ ହେବାର ୩୦ ମିନିଟ୍ ପର୍ଯ୍ୟନ୍ତ ଟିମ୍ର ସଦସ୍ୟମାନେ ସ୍କୁଲରେ ଉପସ୍ଥିତ ରହି ତଦାରଖ କରିବେ। ପ୍ରତିଦିନ ସ୍କୁଲ ସଫେଇ କରାଯିବ। ତେବେ କୌଣସି ପିଲା ଯେପରି ଏହି ସଫେଇ କାର୍ଯ୍ୟରେ ନିୟୋଜିତ ନ ହୁଅନ୍ତି, ସେଥିପ୍ରତି ଦୃଷ୍ଟି ଦେବାକୁ ନିର୍ଦେଶ ଦିଆଯାଇଛି। ରବିବାର ଓ ଛୁଟି ଦିବସରେ ବିଦ୍ୟାଳୟ ବନ୍ଦ ରହିବ। ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ ସ୍ବତନ୍ତ୍ର ରିଲିଫ କମିସନରଙ୍କ ଦ୍ବାରା ପ୍ରକାଶିତ କରୋନା କଟକଣା ସବୁ ଶିକ୍ଷାନୁଷ୍ଠାନ ପାଳନ କରିବେ। ପୂର୍ବପରି ଅନ୍ଲାଇନ୍ରେ ପାଠପଢା ଚାଲିବ। ଯେଉଁ ଛାତ୍ରଛାତ୍ରୀ ଚାହିଁବେ ଅନ୍ଲାଇନ୍ କିମ୍ବା ଶ୍ରେଣୀଗୃହରେ ପାଠପଢି ପାରିବେ। ଶିକ୍ଷାନୁଷ୍ଠାନ ଆସିବାକୁ ଛାତ୍ରଛାତ୍ରୀଙ୍କୁ ବାଧ୍ୟ କରାଯିବନି। ଅଭିଭାବକଙ୍କ ସହ ଆଲୋଚନା କରିବା ପରେ ସେମାନେ ଶିକ୍ଷାନୁଷ୍ଠାନ ଆସିବେ। ବିଦ୍ୟାଳୟର ହଷ୍ଟେଲଗୁଡ଼ିକ ମଧ୍ୟ ସୋମବାରଠାରୁ ଖୋଲିବ। ହଷ୍ଟେଲ ଅନ୍ତେବାସୀଙ୍କ ମଧ୍ୟରେ ସାମାଜିକ ଦୂରତା, ନିୟମିତ ବ୍ୟବଧାନରେ ହଷ୍ଟେଲ ମେସ୍, ଶୌଚାଳୟ ଓ ସମସ୍ତେ ଚଳପ୍ରଚଳ କରୁଥିବା ଅଞ୍ଚଳକୁ ବିଶୋଧନ କରିବାକୁ କୁହାଯାଇଛି। ଅନ୍ତେବାସୀଙ୍କ ସ୍ବାସ୍ଥ୍ୟ ଓ ସ୍ବଚ୍ଛତା ଉପରେ ଗୁରୁତ୍ବ ଦିଆଯିବ। ହଷ୍ଟେଲରେ ରହିବା ପୂର୍ବରୁ ଅନ୍ତେବାସୀଙ୍କୁ ଅଭିଭାବକଙ୍କ ଅନୁମତି ଆବଶ୍ୟକ। ଶିକ୍ଷାନୁଷ୍ଠାନ ମୁଖ୍ୟମାନେ ସ୍ଥାନୀୟ ସ୍ବାସ୍ଥ୍ୟ ଅନୁଷ୍ଠାନ ସମ୍ପର୍କରେ ରହି ନିୟମିତ ଭାବେ ଅନ୍ତେବାସୀଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରାଇବେ। ଅନ୍ତେବାସୀ ଯେପରି ଗୋଟିଏ ସ୍ଥାନରେ ସମବେତ ନ ହୁଅନ୍ତି ସେଥିପ୍ରତି ହଷ୍ଟେଲ କର୍ତ୍ତୃପକ୍ଷ ଦୃଷ୍ଟିଦେବେ। ହଷ୍ଟେଲ କ୍ୟାମ୍ପସରେ ଏକ ଆଇସୋଲେସନ୍ ରୁମ୍ ରହିବ। ଯଦି କୌଣସି ଅନ୍ତେବାସୀ ଅସୁସ୍ଥ ହୁଅନ୍ତି ତାଙ୍କୁ ତୁରନ୍ତ ସେଠାରେ ରଖାଯିବା ସହ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ କୁହାଯାଇଛି। ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ ଦଶମ ଓ ଦ୍ବାଦଶ ଶ୍ରେଣୀ ଖୋଲିବା ପାଇଁ ସମସ୍ତ ପ୍ରସ୍ତୁତି ସରିଛି। ନୋଡାଲ ଅଫିସର ଜିଲ୍ଲା ଗସ୍ତରେ ଅଛନ୍ତି। ସ୍କୁଲଗୁଡ଼ିକ ବିଶୋଧନ ସରିଛି। ପ୍ରଧାନଶିକ୍ଷକମାନେ ଅଭିଭାବକଙ୍କ ସହ ଆଲୋଚନା କରି ଅନୁମତି ମାଗିଛନ୍ତି। ଯେଉଁ ଅଭିଭାବକ ନିଜ ପିଲାଙ୍କୁ ସ୍କୁଲ ପଠାଇବାକୁ ସଙ୍କୋଚ କରୁଛନ୍ତି, ସେମାନଙ୍କ ପାଇଁ ଅନ୍ଲାଇନ୍ ବ୍ୟବସ୍ଥା ରହିଛି। ଆବଶ୍ୟକ ସ୍ଥଳେ ସ୍କୁଲଗୁଡ଼ିକୁ ସେକ୍ସନରେ ବିଭକ୍ତ କରାଯିବ। ଏସ୍ଓପି ଅନୁସାରେ ସ୍କୁଲ ଖୋଲିବ।
