ଆଜିଠୁ ଖୋଲିବ ସ୍କୁଲ, ବଦଳିଲା ସ୍କୁଲ ଖୋଲା ସମୟ
ଭୁବନେଶ୍ୱର : ସରିଲା ଖରା ଛୁଟି । ଗତ ୬ ତାରିଖରୁ ଆରମ୍ଭ ହୋଇଥିବା ଖରାଛୁଟି ବା ଗ୍ରୀଷ୍ମଛୁଟି ଗୁରୁବାର ଶେଷ ହୋଇଛି। ଗତ ଦୁଇ ବର୍ଷ ହେବ କରୋନା ପାଇଁ ପାଠ ପଢା ପ୍ରଭାବିତ ହୋଇଥିବାରୁ ଚଳିତ ବର୍ଷ ଖରା ଛୁଟି ଅବଧିକୁ କମାଇ ଦିଆ ଯାଇଥିଲା । ଫଳରେ ଆଜି ଠାରୁ ଖୋଲିବ ସ୍କୁଲ । ପୁଣି ସ୍କୁଲ ଯାଇ ପାଠ ପଢ଼ିବେ ଛାତ୍ରଛାତ୍ରୀ। ତେବେ ସ୍କୁଲ ଖୋଲିବା ପରେ ଆଉ ସକାଳୁଆ ପାଠପଢ଼ା ହେବ ନାହିଁ। ପୂର୍ବରୁ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟରେ ସକାଳୁଆ କ୍ଲାସ୍ ଆରମ୍ଭ ହୋଇଥିଲା। ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ ପିଲାମାନେ କ୍ଲାସ୍ କରୁଥିଲେ।

ମାତ୍ର ସ୍କୁଲ ଖୋଲିବା ପରେ ରାଜ୍ୟରେ ପାଠପଢ଼ା ସମୟରେ ପରିବର୍ତ୍ତନ ହେବ। ସରକାରୀ ବିଦ୍ୟାଳୟଗୁଡ଼ିକରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ ପୂର୍ବାହ୍ନ ୯ଟା ୩୦ରୁ ଆରମ୍ଭ ହୋଇ ଅପରାହ୍ନ ୪ଟା ୩୦ ଯାଏ ଚାଲିବ। ସେହିପରି ଘରୋଇ ତଥା ସରକାରୀ ସ୍ବୀକୃତିପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ ତୃତୀୟଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ସକାଳ ୬ଟା ୩୦ରୁ ୧୦ଟା ୩୦ ଏବଂ ଚତୁର୍ଥରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବ ବୋଲି ଜଣାପଡ଼ିଛି। ଯଦି ଗ୍ରୀଷ୍ମପ୍ରବାହ ଲାଗିରହେ ତେବେ ସ୍କୁଲରେ ପିଲାଙ୍କ ଲାଗି ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ସମସ୍ତ ଜିଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ନୂଆ ନିୟମରେ ଆରମ୍ଭ ହେବାକୁ ଯାଉଛି ପାଠ ପଢା ।
ସୂଚନା ଯେ, ଗତ ଦୁଇ ବର୍ଷ କରୋନା ମହାମାରୀ ପାଇଁ ଦେଶରେ ଲକଡାଉନ କରଯାଇଥିଲା । ଏହା ଦ୍ଵାରା ସମସ୍ତ ସ୍କୁଲ ଓ କଲେଜ ବନ୍ଦ କରଯାଇଥିଲା । ପିଲା ମାନେ ଘରେ ରହି ଅନଲାଇନ କ୍ଳାସ କରୁଥିଲେ । ଅନଲାଇନ କ୍ଳାସରେ ଠିକ ଭାବରେ ପଢି ପାରୁ ନଥିଲେ । ଏମିତିରେ ଅନଲାଇନରେ ପିଲା ମାନେ ଅତି ସହଜରେ ପରୀକ୍ଷା ଦେଇ ଭଲ ମାର୍କରେ ପାସ ହେଉଥିଲେ । ହେଲେ ଚଳିତ ବର୍ଷ ଯେଉଁ ପିଲା ମାନେ ପାଠ ପଢୁଛନ୍ତି ସେମାନଙ୍କ ପାଇଁ ବହୁତ ଷ୍ଟ୍ରିକ୍ଟ କରାଯାଇଛି । ସେହିପରି ମହାମାରୀ କରୋନା ପାଇଁ ପାଠପଢ଼ା ପ୍ରଭାବିତ ହୋଇଛି। ତେଣୁ ଏହାକୁ ଭରଣା କରିବା ଲାଗି ରାଜ୍ୟ ସରକାର ଖରାଛୁଟିକୁ କମାଇ ଦେଇଥିଲେ। ପୂର୍ବରୁ ପ୍ରାୟ ୨ମାସ ଖରାଛୁଟି ଦିଆଯାଉଥିବାବେଳେ ଏଥର ୬ରୁ ୧୬ତାରିଖ ପର୍ଯ୍ୟନ୍ତ ମାତ୍ର ୧୧ଦିନ ପାଇଁ ଛୁଟି ଦିଆଯାଇଥିଲା।
