ଆଜିଠୁ ପୁଣି ଖୋଲିଲା ସ୍କୁଲ, ସକାଳ ସାଢ଼େ ୬ରୁ ୧୧ଟା ଯାଏ ପାଠ ପଢ଼ା
?????????????????????????????????????????????????????????
ସକାଳ ୭ରୁ ୧୦ଟା ଯାଏଁ ଅଙ୍ଗନବାଡି କେନ୍ଦ୍ର
ଭୁବନେଶ୍ୱର : ଆଜି ଠାରୁ ପୁଣି ଖୋଲିଲା ସ୍କୁଲ। ୫ ଦିନର ଛୁଟି ପରେ ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ବିଦ୍ୟାଳୟ ଗୁଡ଼ିକରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସକାଳୁଆ ପାଠପଢ଼ା ଆରମ୍ଭ ହୋଇଛି। ଏଣିକି ଛୁଟି ଦିନ ବ୍ୟତିତ ଅନ୍ୟ ଦିନ ଗୁଡିକରେ ସକାଳ ସାଢ଼େ ୬ଟାରୁ ୧୧ଟା ଯାଏଁ କ୍ଲାସ ଚାଲିବ।
ସେହିପରି ଆଜିଠୁ ଅଙ୍ଗନବାଡି କେନ୍ଦ୍ର ମଧ୍ୟ ଖୋଲିଛି । ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ସକାଳ ୭ଟାରୁ ୧୦ଟା ଯାଏଁ ଚାଲିବା ବ୍ୟବସ୍ଥା ହୋଇଛି। ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ଗ୍ରୀଷ୍ମ ପ୍ରବାହ ସମସ୍ୟାର ମୁକାବିଲା ପାଇଁ ସମସ୍ତ ବ୍ୟବସ୍ଥା କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଛୋଟ ପିଲା ଏବଂ କର୍ମଚାରୀଙ୍କ ପାଇଁ ପାଣି ଏବଂ ଓଆରଏସ ବ୍ୟବସ୍ଥା ରଖିବାକୁ କୁହାଯାଇଛି । ସ୍ଥିତିକୁ ଦେଖି ଜିଲାପାଳ ନିଜ ନିଜ ଅଞ୍ଚଳ ପାଇଁ ନିଷ୍ପତ୍ତି ନେଇପାରିବେ । ଏମିତି ଆବଶ୍ୟକ ପଡ଼ିଲେ ନିଜ ନିଜ ଜିଲ୍ଲାରେ ସ୍କୁଲ କିମ୍ବା ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରଖିପାରିବେ।
ସୂଚନା ଯେ, ପ୍ରବଳ ଗ୍ରୀଷ୍ମ ପ୍ରବାହ କାରଣରୁ ଏପ୍ରିଲ ୧୨ ତାରିଖରୁ ସ୍କୁଲ ଛୁଟି କରିଦିଆଯାଇଥିଲା । ଆଜି ଠାରୁ ରାଜ୍ୟର ସମସ୍ତ ସ୍କୁଲ ଖୋଲିଥିବା ବେଳେ ସମ୍ବଲପୁରରେ କିନ୍ତୁ ସ୍କୁଲ ଖୋଲିବନି । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଛୁଟି ଅବଧି ବଢାଇଛନ୍ତି ସମ୍ବଲପୁର ଜିଲ୍ଲାପାଳ । ବୁଧବାରଠୁ ସମ୍ବଲପୁରରେ ସ୍କୁଲ ଖୋଲିବ ବୋଲି କୁହାଯାଇଛି । ଜିଲା ପ୍ରଶାସନ ନିଷ୍ପତ୍ତି କ୍ରମେ ସ୍କୁଲ ଛୁଟିକୁ ୨ ଦିନ ପାଇଁ ବଢ଼ାଇ ଦିଆଯାଇଛି।
