ଏସବିଆଇ ଏଟିଏମ ଲୁଟ ଘଟଣା : ୩ ଅଭିଯୁକ୍ତ ଗିରଫ, ୪ ଫେରାର
ଭୁବନେଶ୍ୱର : ଗଁଦିଆ ଥାନା ବରପଦା ଶ୍ରୀରାମଚନ୍ଦ୍ରପୁର ନିକଟରେ ଥିବା ଏସବିଆଇ ଏଟିଏମ ଲୁଟ ଘଟଣାର ପର୍ଦାଫାଶ । ଏଥିରେ ସମ୍ପୃକ୍ତ ୩ ଜଣ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଆଉ ୪ ଅଭିଯୁକ୍ତ ଫେରାର ଅଛନ୍ତି । ଧରାପଡ଼ିଥିବା ୩ ଅଭିଯୁକ୍ତ ହେଲେ ଢେଙ୍କାନାଳ ସଦର ଥାନା କଙ୍କଡ଼ାହାଡ଼ ଗାଁର ଜିତେନ୍ଦ୍ର ନାୟକ, ଭଦ୍ରକର ଜିଲ୍ଲାର ନିର ପାଣି, ଖୋର୍ଦ୍ଧାର ରାକେଶ ଦାସ । ଧରାପଡ଼ିଥିବା ଅଭିଯୁକ୍ତ ମାନଙ୍କ ଠାରୁ ୨ ଲକ୍ଷ ୫୬ ହଜାର ଟଙ୍କା ଉଦ୍ଧାର ହୋଇଛି । ସେହିପରି ଲୁଟରେ ବ୍ୟବହୃତ ହୋଇଥିବା ଲୁହା ଛେଣି, ସିସିଟିଭିର ଡିଭିଆର ବକ୍ସ, ଗୋଟିଏ କାର ଓ ବାଇକ ମଧ୍ୟ ଜବତ ହୋଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ ଏସପି ସୂଚନା ଦେଇଛନ୍ତି । ଅଭିଯୁକ୍ତଙ୍କୁ ଭଦ୍ରକ ଓ ବାଲେଶ୍ବରର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ଗିରଫ କରାଯାଇଥିବାର ସୂଚନା ମିଳିଛି।

ସୂଚନା ଯେ, ଗତ ଅକ୍ଟୋବର ୩ ତାରିଖ ମଧ୍ୟରାତିରେ ଏଟିଏମ ମେସିନ ଭାଙ୍ଗି ଦୁର୍ବୃତ୍ତମାନେ ୨୨ ଲକ୍ଷ ୧୭ ହଜାର ୯୦୦ ଟଙ୍କା ଲୁଟି ନେଇଥିଲେ । ଲୁଟେରାମାନେ କାଉଣ୍ଟର ଭିତରେ ପଶି ଗ୍ୟାସ୍ କଟର୍ ସାହାଯ୍ୟରେ ଏଟିଏମ୍ ମେସିନକୁ କାଟିଦେଇଥିଲେ। ଏହାପରେ ସେଥିରେ ଥିବା ୨୨ ଲକ୍ଷ ୧୭ ହଜାର ୯ ଶହ ଟଙ୍କା ନେଇଯାଇଥିବା ଜଣାଯାଇଛି। ଏ ସମ୍ପର୍କରେ ଖବରପାଇ ଢେଙ୍କାନାଳ ଏସପି ଏଲ୍. ଦିବ୍ୟା.ଭି, ଏସଡିପିଓ ବିକାଶ ବେଉରା ପ୍ରମୁଖ ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ସେହିପରି ରବିବାର ରାତିରେ ଗଁଦିଆ ପୁଲିସ ଦ୍ରୁତଗତିରେ ଯାଉଥିବା ଏକ କାରକୁ ସନ୍ଦେହରେ ପିଛା କରିବା ସମୟରେ ଚାଳକ ଉକ୍ତ ଗାଡ଼ିକୁ ପାଖ ଇଲେଇଜଙ୍ଗ କାଜୁ ବଗିଚାରେ ଛାଡ଼ି ଦେଇ ପଳାଇଥିଲା। ଉକ୍ତ କାରକୁ ପୋଲିସ ଜବତ କରି ଥାନାକୁ ଆଣିଥିଲା। ଏହି କାର୍ ସହିତ ଏଟିଏମ୍ ଲୁଟେରାଙ୍କର କିଛି ସଂପୃକ୍ତି ରହିଛି କି ନାହିଁ, ସେ ନେଇ ପୋଲିସ ତଦନ୍ତ ଜାରି ରଖିଥିଲା। ଘଟଣା ସମ୍ପର୍କରେ ଗଁଦିଆ ଥାନା ଅଧିକାରୀ ସତ୍ୟବ୍ରତ ଭୂତିଆ କହିଥିଲେ, ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଅଭିଯୋଗ କ୍ରମେ ଏକ ମାମଲା ରୁଜୁ କରାଯିବା ସହିତ ଏଟିଏମ୍ ଲୁଟେରାଙ୍କୁ ଧରିବା ନିମନ୍ତେ ବିଭିନ୍ନ ସ୍ଥାନରେ ଜୋର୍ଦାର୍ ଚଢ଼ଉ କରାଯାଇଥିଲା।
