ଆଜି ଶ୍ରୀମନ୍ଦିରରେ ପହଞ୍ଚିବ ସାତପୁରୀ ତାଡ଼
ପୁରୀ : ଆସନ୍ତାକାଲି ସପ୍ତପୁରୀ ଅମାବାସ୍ୟା । ସପ୍ତପୁରୀ ଅମାବାସ୍ୟାରେ ମହାପ୍ରଭୁଙ୍କୁ ସାତ ପୁର ଦିଆ ସପ୍ତପୁରୀ ଲାଗି କରାଯାଇଥାଏ। ଫଳରେ ସୋମବାର ସାତପୁରୀ ତାଡ଼ ଶ୍ରୀମନ୍ଦିରରେ ପହଞ୍ଚିବ । ମା’ ଆଲାମଚଣ୍ଡୀଙ୍କ ମନ୍ଦିରରୁ ସପ୍ତପୁରୀ ତାଡ଼ ଶ୍ରୀମନ୍ଦିରକୁ ବିଜେ କରାଯିବ। ସ୍ବତନ୍ତ୍ର ଶୈଳୀରେ ପ୍ରସ୍ତୁତ ଏହି ତାଡ଼ ଆଣିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ସ୍ୱତନ୍ତ୍ର ପ୍ରତିନିଧି ଦଳ ମା’ ଆଲାମଚଣ୍ଡୀ ମନ୍ଦିରକୁ ଯିବେ। ମନ୍ଦିର ନିକଟରୁ ସାତପୁରୀ ତାଡ଼ ଘଣ୍ଟ ଘଣ୍ଟା କାହାଳୀର ପଟୁଆରରେ ବଡ଼ଦାଣ୍ଡ ହୋଇ ଶ୍ରୀମନ୍ଦିରରେ ପହଞ୍ଚିବ ।
ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଭ୍ରମଣ କରି ପରେ ଅଚିନ୍ତା ପହଣ୍ଡ ରୋଷ ବେହେରଣରେ ରଖାଯିବ । ସନ୍ଧ୍ୟା ଧୂପ ପରେ ପୂଜାପଣ୍ଡା ସାମନ୍ତ ଶ୍ରୀଅଙ୍ଗରୁ ଆଜ୍ଞାମାଳ ନେଇ ଦକ୍ଷିଣକାଳୀ ଠାକୁରାଣୀଙ୍କ ମନ୍ଦିରକୁ ଯିବେ । ଅମାବାସ୍ୟା ପୂର୍ବରୁ ସମସ୍ତ ପ୍ରସ୍ତୁତି କରାଯିବ । ଅମାବାସ୍ୟା ଦିନ ସନ୍ଧ୍ୟାଧୂପ ସରିବାପରେ ବସ୍ତ୍ରହରଣ ପ୍ରସ୍ତାବ ଅନୁଷ୍ଠିତ ହେବ ।
