ପଦାରେ ପଡିଲା ବନ ବିଭାଗର ପାରିବାପଣିଆ! ସାତକୋଶିଆରେ ମହାବଳ ନିଖୋଜ
ଅନୁଗୁଳ : ପଦାରେ ପଡିଲା ବନ ବିଭାଗର ପାରିବାପଣିଆ। କର୍ତ୍ତୃପକ୍ଷଙ୍କ ବେପରୁଆ ମନୋଭାବ ପାଇଁ ବାଘଶୂନ୍ୟ ହେଲା ସାତକୋଶିଆ। ଗତ ଦୁଇ ମାସ ହେଲା ସାତକୋଶିଆରେ ଥିବା ଏକ ମାତ୍ର ବାଘୁଣୀ ନିଖୋଜ ହୋଇଛି। ବନ ବିଭାଗ ଯାହାର ପତ୍ତା ବର୍ତ୍ତମାନ ସୁଦ୍ଧା ପାଇପାରିନାହିଁ। ଫଳରେ ସାତକୋଶିଆ ଏବେ ମହାବଳ ବାଘ ଶୂନ୍ୟ ହୋଇଯାଇଥିବା ଆଶଙ୍କା କରାଯାଉଛି। ସତକୋଶିଆରେ ବାଘୁଣୀ ନିଖୋଜ ନେଇ ପିସିସିଏଫ ୱାଇଲଡ଼ ଲାଇଫ ଶଶି ପଲ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ, ମାସେ ହେଲା ବାଘୁଣୀ ନିଖୋଜ ହୋଇଛି। ଆମେ ଦେଖିବାକୁ ପାଉନୁ। ବୋଧେ ସେ ଅନ୍ୟ ଅଞ୍ଚଳ ଚାଲି ଯାଇ ଥାଇପରେ। ଏପରିକି ସାତକୋଶିଆର ବାଘ, ନନ୍ଦନକାନନରେ ବି ପୂର୍ବରୁ ଦେଖିବାକୁ ମିଳିଛି। ଗତ ଏକ ମାସ ହେବ କିଛି କ୍ୟାମେରା ବାଘ ଗଣନା ପାଇଁ ସ୍ଥାନାନ୍ତର କରାଯାଇଛି। ଏବେ ପୁଣି ସେହି ଜାଗାରେ କ୍ୟାମେରା ଲଗାଇବୁ, ଏହା ପରେ ଜଣା ପଡିବ ବାଘ ଅଛି କି ନାହିଁ। ତେବେ ଗତ କିଛି ଦିନ ତଳେ ଏକ ସମ୍ବର ଶିକାର ସାମ୍ନାକୁ ଆସିଛି। ଅନୁମାନ କରାଯାଉଛି ସେ ବଞ୍ଚିଛି।
ଶେଷ ଥର ପାଇଁ ସାତକୋଶିଆର ଥିବା ବାଘୁଣୀର ଚିତ୍ର କ୍ୟାମେରାରେ କଏଦ ହୋଇଥିଲା। ସେବେଠାରୁ ତାକୁ କେହି ଦେଖି ନାହାନ୍ତି। କିନ୍ତୁ ବାଘୁଣୀର ପାଦ ଚିହ୍ନ ଦେଖିଥିବା ବନ ବିଭାଗ ଦାବି କରୁଛି। ବାଘୁଣୀର ବୟସ ୧୫ ବର୍ଷରୁ ଅଧିକ ହୋଇଥିବା ବେଳେ ସେ ପ୍ରାୟ ସମୟରେ ଅସୁସ୍ଥ ରହୁଥିଲା। ତାର ଶରୀରରେ ବି ଘାଁ ହୋଇଯାଇଥିଲା। ଏପରି ଅବସ୍ଥାରେ ତାର ମୃତ୍ୟୁ ହୋଇଥିବା ନଚେତ ତାକୁ ଶିକାରୀମାନେ ହତ୍ୟା କରିଥାଇ ପାରନ୍ତି ବୋଲି ଆଶଙ୍କା କରାଯାଉଛି। ଅନ୍ୟପଟେ ସାତକୋଶିଆର ଏକ ମାତ୍ର ବାଘୁଣୀ ଯଦି ନ ମିଳେ ତେବେ ଏହି ବ୍ୟାଘ୍ର ଅଭ୍ୟାରଣ୍ୟ ନିଜକ ମାନ୍ୟତା ହରାଇବ ବୋଲି ପ୍ରାଣୀ ବିଶେଷଜ୍ଞମାନେ ମତ ଦେଇଛନ୍ତି। ୨୦୧୮ର ବାଘ ଗଣନାର ତଥ୍ୟାନୁସାରେ ଦେଶରେ ବାଘଙ୍କ ସଂଖ୍ୟାରେ ସାମାନ୍ୟ ବୃଦ୍ଧି ପାଇଛି। ୨୦୧୪ରେ ବାଘ ସଂଖ୍ୟା ୨୨୨୬ ଥିବା ବେଳେ ଚାରି ବର୍ଷ ପରେ ତାହା ୨୯୬୭କୁ ପହଞ୍ଚିଥିଲା। କିନ୍ତୁ ରାଜ୍ୟରେ ଦୁଇ ଦୁଇଟି ବ୍ୟାଘ୍ର ଅଭ୍ୟାରଣ୍ୟ (ଶିମିଳିପାଳ ଓ ସାତକୋଶିଆ) ନୈରାସ୍ୟଜନକ ପ୍ରଦର୍ଶନ କରିଛନ୍ତି। ସେହି ସମାନ ଅବଧି ମଧ୍ୟରେ ରାଜ୍ୟରେ ଗୋଟିଏ ମଧ୍ୟ ବାଘ ବୃଦ୍ଧି ହୋଇନାହିଁ। ଶିମିଳିପାଳ ଓ ସାତକୋଶିଆରେ ମାତ୍ର ୨୮ଟି ବାଘ ଥିଲେ। ସେଥି ମଧ୍ୟରୁ ସାତକୋଶିଆରେ ମାତ୍ର ଗୋଟିଏ ବାଘ ରେକର୍ଡ କରାଯାଇଥିଲା।
ରିପୋର୍ଟ ଅନୁସାରେ ସାତକୋଶିଆରେ ୬୮ଟି କ୍ୟାମେରା ପଏଣ୍ଟ ଓ ୨୮୨୯ଟି ନାଇଟ କ୍ୟାମେରା ଟ୍ରାପ ଲାଗିଛି। ଯେଉଁଥିରେ ମାତ୍ର ଗୋଟିଏ ବାଘକୁ ଟ୍ରାପ କରାଯାଇଥିଲା। ସେହିପରି ଶିମିଳିପାଳରେ ୮ଟି ଓ ଡେବ୍ରିଗଡରେ ଗୋଟିଏ, ଏପରି ମାତ୍ର ୧୦ଟି ବାଘ କ୍ୟାମେରାରେ କଏଦ ହୋଇଥିଲା। କିନ୍ତୁ ଓଡିଶା ବନ ବିଭାଗ ଅନୁସାରେ ୨୦୧୮ରେ ରାଜ୍ୟରେ ୨୮ଟି ବାଘ ଥିଲେ। ତେବେ ଏଥିରେ କେବଳ ୧୨ ମାସରୁ ଊର୍ଦ୍ଧ୍ୱ ବୟସର ବାଘକୁ ସାମିଲ କରାଯାଇଥିଲା। ୨୦୦୨ ମସିହାରେ ରାଜ୍ୟରେ ୬୦ଟି ଶାବକଙ୍କ ସମେତ ମୋଟ ୧୯୨ଟି ବାଘ (ଚିଡିଆଖାନା ବ୍ୟତୀତ) ଥିଲେ। କିନ୍ତୁ ୨୦୧୮ ଆସୁ ଆସୁ ବୟସ୍କ ବାଘ ସଂଖ୍ୟା ୨୮କୁ ଖସି ଆସିଲା। ଗତ ୧୬ ବର୍ଷ ଅର୍ଥାତ ୨୦୦୨ରୁ ୨୦୧୮ ମଧ୍ୟରେ ରାଜ୍ୟରେ ୧୦୪ଟି ବାଘ ପ୍ରାଣ ହରାଇଛନ୍ତି। ଏହି ସମୟ ମଧ୍ୟରେ ରାଜ୍ୟ ସରକାର ବାଘଙ୍କ ସଂରକ୍ଷଣ ଓ ପରିଚାଳନା ପାଇଁ ପ୍ରାୟ ୬୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହୀନତା ପାଇଁ ଶିକାର ଓ ଅନ୍ୟ କାରଣରୁ ରାଜ୍ୟରେ ବାଘ ସଂଖ୍ୟା ଲଗାତାର ହ୍ରାସ ପାଉଛି। ବନ୍ୟଜନ୍ତୁଙ୍କ ବସବାସ ପାଇଁ ଓଡିଶାରେ ଉପଯୁକ୍ତ ପରିବେଶ ରହିଛି। ଏଠାରେ ଜନ୍ତୁଙ୍କ ପାଇ ଜଙ୍ଗଲ ଓ ଖାଦ୍ୟର ଅଭାବ ନାହିଁ। କିନ୍ତୁ ବନ ବିଭାଗର ଅପାରଗତା ପାଇଁ ହାତୀ, ମହାବଳ ଓ କଲରାପତରିଆ ବାଘଙ୍କ ସଂଖ୍ୟା ହ୍ରାସ ପାଉଛି। ପ୍ରତି ଦିନେ ଦୁଇ ଦିନ ବ୍ୟବଧାନରେ ବିଭିନ୍ନ ଜିଲ୍ଲାରେ କ୍ରାଇମବ୍ରାଞ୍ଚ ଦ୍ୱାରା ବାଘ ଛାଲ ଓ ହାତୀ ଦାନ୍ତ ଜବତ ହେଉଛି। ଦୁଇ ବର୍ଷ ତଳେ ରାଜ୍ୟରେ ବ୍ୟାଘ୍ର ସମ୍ପ୍ରସାରଣ ପ୍ରକଳ୍ପ ଆରମ୍ଭ ହୋଇଥିଲା। କିନ୍ତୁ ତାହା ମଧ୍ୟ ବିଫଳ ହେଲା। ଫଳରେ ବାଘୁଣୀ ସୁନ୍ଦରୀ, ମଧ୍ୟପ୍ରଦେଶକୁ ଫେରିଗଲା।
ଏନଟିସିଏ ଅନୁସାରେ, ୨୦୨୧ରେ ଦେଶରେ ୧୨୬ଟି ବାଘଙ୍କ ମୃତ୍ୟୁ ହୋଇଛି। ୨୦୧୨ ଓ ୨୦୧୬ରେ ଏହି ସଂଖ୍ୟା ୧୨୧ ଥିଲା। ତେବେ ମଧ୍ୟପ୍ରଦେଶର ସର୍ବାଧିକ ବାଘ ପ୍ରାଣ ହରାଇଛନ୍ତି। ୨୦୧୪ ଓ ୨୦୧୯ ମଧ୍ୟରେ ବାଘ ଆକ୍ରମଣରେ ୨୨୫ ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟପଟେ ୨୦୧୪ରୁ ୨୦୧୮ ମଧ୍ୟରେ ଓଡିଶାକୁ ଛାଡି ଦେଲେ ଅନ୍ୟ ରାଜ୍ୟରେ ବାଘଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି।
